
ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ଉପଦେଷ୍ଟାଙ୍କ ବିବାଦୀୟ ବିବୃତ୍ତି ଯୋଗୁଁ ଏକ ଅଡୁଆ ସୃଷ୍ଟି ହୋଇଛି। ଏହା ଉପରେ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏଭଳି ବିବୃତ୍ତି ନଦେବା ପାଇଁ ଚେତାବନୀ ଦେଇଛନ୍ତି। କାଶ୍ମୀର ଏବଂ ପାକିସ୍ଥାନ ଭଳି ସମ୍ବେଦନଶୀଳ ଜାତୀୟ ପ୍ରସଙ୍ଗରେ ସିଦ୍ଧୁଙ୍କ ପରାମର୍ଶଦାତାଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି। ଦେଶର ଶାନ୍ତି ଏବଂ ସ୍ଥିରତା ପାଇଁ ଏହା ବିପଜ୍ଜନକ ବୋଲି ସେ କହିଛନ୍ତି। ବାସ୍ତବରେ ଉପଦେଷ୍ଟା ମାଲବିନ୍ଦର ସିଂ ମାଲି ଜାମ୍ମୁ କାଶ୍ମୀରକୁ ନେଇ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି।
ଉଲ୍ଲେଖ ଯୋଗ୍ୟ ଯେ, ମାଲବିନ୍ଦର ସିଂ ମାଲି ଜାମ୍ମୁ କାଶ୍ମୀର ଉପରେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ ଦାବି କରିଥିଲେ ଯେ, କାଶ୍ମୀର ଏକ ଅଲଗା ଦେଶ। ଉଭୟ ଭାରତ ଏବଂ ପାକିସ୍ତାନ କାଶ୍ମୀରର ବେଆଇନ ଦଖଲକାରୀ ବୋଲି ସେ କହିଥିଲେ। ଏହି ବିବୃତ୍ତି ପରେ ବିରୋଧୀଙ୍କ ସମେତ କଂଗ୍ରେସ ନେତାମାନେ ମଧ୍ୟ ମାଲିଙ୍କୁ ଟାର୍ଗେଟ କରିଥିଲେ।