ଇକ୍ବେଡରର ସରକାରୀ ଓ୍ବେବ୍ସାଇଟ୍ ଗୁଡିକ ଉପରେ ୪ କୋଟିରୁ ଅଧିକ ଥର ଆକ୍ରମଣ ହୋଇଥିବା ନେଇ ଇକ୍ବେଡର ରାଷ୍ଟ୍ରପତି ଲେନିନ୍ ମରେନୋ ସୂଚନା ଦେଇଛନ୍ତି। ଓ୍ବିକିଲିକ୍ସର ପ୍ରତିଷ୍ଠାତା ଜୁଲିଆନ୍ ଆସାଞ୍ଜଙ୍କ ଗିରଫଦାରୀ ପରେ ଏହି ଆକ୍ରମଣ ହୋଇଥିବାର ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ ଯେ, ଇକ୍ବେଡର ପକ୍ଷରୁ ୨୦୧୭ରେ ଆସାଞ୍ଜଙ୍କୁ ନାଗରିକତ୍ବ ପ୍ରଦାନ କରାଯାଇଥିବା ବେଳେ ମରେନୋଙ୍କ କାର୍ଯ୍ୟକାଳ ସମୟରେ ଏହାକୁ ଋଦ୍ଦ କରାଯିବା ସହିତ ରାଜନୈତିକ ସୁରକ୍ଷାକୁ ହଟା ଯାଇଥିଲା। ଏହି ଗିରଫଦାରୀ ପରେ ବିଭିନ୍ନ ହ୍ୟାକର ମାନେ ୪ କୋଟି ଥର ଇକ୍ବେଡରର ସରକାରୀ ଓ୍ବେବ୍ସାଇଟ୍କୁ ହ୍ୟାକ୍ କରିଛନ୍ତି। ଇକ୍ବେଡରର ସୂଚନା ଏବଂ ପ୍ରସାରଣ ବିଭାଗର ମନ୍ତ୍ରୀ ପାର୍ଟିସିଓ ରିଏଲ ସୂଚନା ଦେଇ କହିଛନ୍ତି କି, ଏହି ସମସ୍ତ ହ୍ୟାକିଂ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରାଜିଲ୍, ହଲାଣ୍ଡ, ଜର୍ମାନୀ, ରୋମାନିଆ, ଫ୍ରାନ୍ସ ଏବଂ ଅଷ୍ଟ୍ରିଆରୁ ହେଉଛି। ଏହି ହ୍ୟାକିଂ ଦ୍ବାରା କୌଣସି ସୂଚନା ଏବଂ ତଥ୍ୟ ଚୋରି ହୋଇ ନାହିଁ ବୋଲି ଦୂରସଞ୍ଚାର ବିଭାଗ ମନ୍ତ୍ରୀ ଜାଭିଏର ଜାରା ସୂଚନା ଦେଇଛନ୍ତି।