ପଛୁଆବର୍ଗର ହୋଇଥିବାରୁ କଂଗ୍ରେସ ମୋତେ ଗାଳି ଦେଉଛି : ପ୍ରଧାନମନ୍ତ୍ରୀ ମୋଦି

Published: Apr 17, 2019, 1:43 pm IST

ମହାରାଷ୍ଟ୍ରରେ ମାଢାଠାରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କଂଗ୍ରେସ ଉପରେ ଆକ୍ରମଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, କଂଗ୍ରେସ ମୋତେ ଗାଳି ଦେଉ ଦେଉ ଏବେ ପୁରା ସମାଜକୁ ଗାଳି ଦେବାରେ ଲାଗିପଡିଛି। ପୂର୍ବରୁ ଚୌକିଦାର ଚୋର ବୋଲି କହୁଥିବାବେଳେ ଏବେ ପ୍ରତ୍ୟେକ ମୋଦି ସାଙ୍ଗିଆକୁ ଚୋର ବୋଲି କହିଲେଣି। ପଛୁଆବର୍ଗ ହେବା କାରଣରୁ ତାଙ୍କୁ ଅନେକ ଥର କଂଗ୍ରେସ ଓ କଂଗ୍ରେସର ସହଯୋଗୀମାନେ ତାଙ୍କ ମର୍ଯ୍ୟାଦା ବିଷୟରେ ଟିପ୍ପଣୀ କରିବା ସହିତ ତାଙ୍କ ଜାତିକୁ ନେଇ ମଧ୍ୟ କହୁଥିଲେ। କିନ୍ତୁ ଏଥର ପୂରା ପଛୁଆ ସମାଜକୁ ଚୋର କହିଛି କଂଗ୍ରେସ। ଏହା ସହିତ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, କଂଗ୍ରେସ ତରଫରୁ ପୁଣି ଥରେ ମୋ’ ପରିବାର ରହିବା ନ ରହିବା ଉପରେ ମଧ୍ୟ ଆକ୍ରମଣ କରାଯାଇଛି। ପରିବାର ବ୍ୟବସ୍ଥା ହେଉଛି ଭାରତୀୟ ସମାଜର ହଜାର ବର୍ଷର ବିଶେଷ୍ବତା, ଯାହା ସାହସ ଓ ଗୌରବର ପରିଚୟ। ପରିବାରର ଅଭିଜ୍ଞତା ତଥା ସଂସ୍କାର ଥିବା କାରଣରୁ ଏହି ବିଷୟରେ ଶରଦ ପଓ୍ବାର୍‌ଙ୍କ ଟିପ୍ପଣୀ ଯଥାର୍ଥ ବୋଲି କହିଛନ୍ତି ମୋଦି। ସେହିପରି ଏହି ରାଲିରେ ମଜବୁତ୍‌ ଓ ସମ୍ବେଦନଶୀଳ ସରକାରର ଅର୍ଥ ବୁଝାଇବା ସହିତ ଏପରି ଏକ ହିନ୍ଦୁସ୍ତାନର ପରିକଳ୍ପନା ଦେଖାଇଛନ୍ତି, ଯାହାକୁ କେହି ଆଖି ଉଠାଇ କରି ଦେଖିବା ପାଇଁ ଶହେ ଥର ଚିନ୍ତା କରିବ ବୋଲି କହିଛନ୍ତି ମୋଦି। ୟୁପିଏ ସରକାରର ଭ୍ରଷ୍ଟାଚାର ଓ ଦୁର୍ନୀତି ବିଷୟରେ ଅବତାରଣା କରି ମୋଦି ନିଜ ସରକାରରେ ଭ୍ରଷ୍ଟାଚାରର କଳା ଦାଗଟିଏ ହୋଇନଥିବାର କହିଛନ୍ତି। ଏହି ରାଲିରେ ମହାମେଣ୍ଟ ଉପରେ ମଧ୍ୟ ଟାର୍ଗେଟ୍‌ କରି ଏହି ମହାମେଣ୍ଟର ଅପମିଶ୍ରଣକୁ ନେଇ ମଧ୍ୟ ମୋଦି କଡ଼ା ସମାଲୋଚନା କରିଛନ୍ତି।

Related posts