ଜାତି ଯୋଗୁଁ ରାଷ୍ଟ୍ରପତି ହୋଇଛନ୍ତି କୋବିନ୍ଦ : ଅଶୋକ ଗେହଲଟ୍‌

Published: Apr 17, 2019, 4:41 pm IST

ଚଳିତ ଲୋକସଭା ନିର୍ବାଚନ ପୂର୍ବରୁ ବିବାଦୀୟ ବୟାନ ନେଇ ବିଭିନ୍ନ ନେତାଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ବାସନ୍ଦାଦେଶ ଲାଗିଥିଲେ ମଧ୍ୟ ବିବାଦୀୟ ବୟାନରୁ କ୍ଷାନ୍ତ ରହୁନାହାନ୍ତି ନେତା। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ନେଇ କଂଗ୍ରେସ ଏକ ବିବାଦୀୟ ବୟାନ ଦେଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ୍‌ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ତାଙ୍କର ଜାତି ପାଇଁ ରାଷ୍ଟ୍ରପତି କରାଯାଇଛି ବୋଲି ଗେହଲଟ କହିଛନ୍ତି। କୋବିନ୍ଦଙ୍କୁ ରାଷ୍ଟ୍ରପତି ପଦ ପାଇଁ ଛିଡା କରି ବିଜେପି ନିଜର ଜାତିଗତ ଭୋଟ ହାତେଇବା ପାଇଁ ଚେଷ୍ଟା କରିଛି। କୋବିନ୍ଦଙ୍କୁ ପ୍ରାର୍ଥୀ କରି ୨୦୧୭ ଗୁଜୁରାଟ ନିର୍ବାଚନରେ କୋଲି ସମୁଦାୟଙ୍କ ଭୋଟ ହାସଲ ର ପ୍ରୟାସ ଥିଲା ବୋଲି ଅଭିଯୋଗ ଆଣିଛନ୍ତି ଗେହଲଟ। ଏକ ନିର୍ବାଚନୀ ପ୍ରଚାର ବୈଠକରେ ଗେହଲଟ ଏହି ମନ୍ତବ୍ୟ ପ୍ରଦାନ କରିଛନ୍ତି। ଏହା ସହିତ ଗେହଲଟ କହିଛନ୍ତି ୨୦୧୭ରେ ଗୁଜରାତରେ କଂଗ୍ରେସ ବିଜୟୀ ହେବା ସ୍ଥିତିରେ ଥିବା ଯୋଗୁଁ ଡରିଯାଇ ମୋଦି ଏପରି ନିଷ୍ପତ୍ତି ନେଇଥିଲେ ଯାହା ବିଜେପି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ମାତ୍ର ଏହା ଦ୍ବାରା ଲାଲକୃଷ୍ଣ ଆଡଭାନୀ ରାଷ୍ଟ୍ରପତି ଦୌଡରୁ ବାହାର ହୋଇ ଯାଇଥିଲେ।

Related posts