ବିଶ୍ବକପ୍ ପାଇଁ ଭାରତୀୟ ଦଳ ଘୋଷଣାର ଦୁଇ ଦିନ ପରେ ବିସିସିଆଇ ଅତିରିକ୍ତ ଖେଳାଳିଙ୍କ ନାମ ଘୋଷଣା କରିଛି। ୧୫ ଜଣିଆ ଦଳରୁ ବାଦ ପଡିଥିବା ଦୁଇ ପ୍ରମୁଖ ଦାବିଦାର ଋଷଭ ପନ୍ତ , ଅମ୍ବାତି ରାୟୁଡୁ ଏବଂ ନବଦୀପ ସାଇନିଙ୍କୁ ଅତିରିକ୍ତ ଖେଳାଳି ଭାବରେ ରଖାଯାଇଛି। ଏହା ସହିତ ଆଭେଶ୍ ଖାନ୍, ଖଲିଲ୍ ଅହମ୍ମଦ, ଏବଂ ଦୀପକ ଚହରଙ୍କୁ ନେଟ୍ସ ବୋଲର ଭାବରେ ମନୋନୀତ କରାଯାଇଛି। ଚାମ୍ପିୟନ୍ସ ଟ୍ରଫି ପରି ବିଶ୍ବକପ୍ ପାଇଁ ମଧ୍ୟ ତିନି ଅତିରିକ୍ତ ଖେଳାଳିଙ୍କୁ ମନୋନୀତ କରାଯାଇଛି। ଯଦି କୌଣସି ଖେଳାଳି ଆହତ ହୁଅନ୍ତି ତେବେ ଏହି ତିନି ଖେଳାଳି ତାଙ୍କ ସ୍ଥାନ ନେବେ। ଭାରତୀୟ ଦଳରେ ବିଜୟ ଶଙ୍କର ଏବଂ ଦୀନେଶ କାର୍ତ୍ତିକଙ୍କ ଚୟନ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଏହାକୁ ନେଇ ସ୍ପଷ୍ଟୀକରଣ ଦେଇଥିଲେ ମୁଖ୍ୟ ଚୟନକର୍ତ୍ତା ଏମ୍ଏସ୍କେ ପ୍ରସାଦ। କାର୍ତ୍ତିକ ଉନ୍ନତ ଓ୍ବିକେଟ୍ କିପିଂ ପାଇଁ ଅଗ୍ରାଧିକାର ପାଇଥିବା ବେଳେ ଶଙ୍କର ନିଜର ଅଲରାଉଣ୍ଡିଂ କ୍ଷମତା ପାଇଁ ରାୟୁଡୁଙ୍କ ଠାରୁ ଆଗରେ ରହିଥିଲେ। ଯଦି କୌଣସି ଖେଳାଳି ଟୁର୍ଣ୍ଣାମେଣ୍ଟ ମଧ୍ୟରେ ଆହତ ହୁଅନ୍ତି ତେବେ ସିଧାସଳଖ ପନ୍ତ କିମ୍ବା ରାୟୁଡୁଙ୍କୁ ଦଳରେ ସାମିଲ କରାଯିବ।