୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାର ଅନ୍ୟତମ ଅଭିଯୁକ୍ତ ସାଧ୍ବୀ ପ୍ରଜ୍ଞା ସିଂ ଠାକୁର ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି। ଗୁରୁବାର ଭୋପାଳ ବିଜେପି ମୁଖ୍ୟ କାାର୍ଯ୍ୟାଳୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କୁ ଭେଟିଥିଲେ ପ୍ରଜ୍ଞା। ଏହି ବୈଠକ ପରେ ଆନୁଷ୍ଠାନିକ ଭାବରେ ବିଜେପିର ଯୋଗଦେବା ବିଷୟରେ ଘୋଷଣା କରିବା ସହିତ ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ ବୋଲି ସୂଚନା ଦେଇଛନ୍ତି। ୨୦୦୮ ମାଲେଗାଓଁ ବିସ୍ଫେରଣରେ ଅନ୍ୟତମ ଅଭିଯୁକ୍ତ ପ୍ରଜ୍ଞା ୯ ବର୍ଷ ଜେଲ୍ରେ ରହିବା ପରେ ବର୍ତ୍ତମାନ ଜାମିନରେ ଅଛନ୍ତି। ଏହା ସହିତ ଜମ୍ମୁ କାଶ୍ମୀରରେ ବିଜେପିର ସହଯୋଗୀ ରହିଥିବା ପିଡିପି ମୁଖ୍ୟ ମେହେବୁବା ମୁଫ୍ତି କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଏହି ଗେରୁଆ ଦଳ ଆତଙ୍କବାଦରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଟିକଟ୍ ଦେଇ ପାରିବ ମାତ୍ର ଯଦି ପିଡିପିରୁ ସେହିପରି କେହି ଛିଡା ହୁଅନ୍ତି ତେବେ ବିଜେପିର କିଛି ପ୍ରୟୋଜିତ ଗଣମାଧ୍ୟମ ଏହାକୁ ବଢାଇ ଚଢାଇ କହିବେ ଏବଂ ଲେଖିବେ। ବିଜେପି ହିସାବରେ ଆତଙ୍କ ସହିତ ଜଡିତ ଥିବା ଲୋକ ନୁହନ୍ତି ବରଂ ସମସ୍ତ ମୁସଲିମ୍ ଆତଙ୍କବାଦୀ ବୋଲି ଟ୍ବିଟ୍ କରିଛନ୍ତି ମୁଫ୍ତି।