କନ୍ଦର୍ପ ବେହେରା
ରେଢାଖୋଲ: ଦିନକୁ ଦିନ ରେଢାଖୋଲ ସବ୍ଡିଭିଜନରେ ହାତୀ, ମଣିଷ ଲଢେଇ ବଢିବାରେ ଲାଗିଛି। କେଉଁଠି ହାତୀ ମଣିଷକୁ ମାରୁଛି ତ ଆଉ କେଉଁଠି ମଣିଷ ହାତୀକୁ ଗୁଳି କରି ମାରିବା ନିତ୍ୟ ନୈମିତକ ହୋଇଗଲାଣି। ହାତୀମାନେ ଚାଷୀମାନଙ୍କର ଫସଲ ନଷ୍ଟ କରିଦେଉଛନ୍ତି ତ କାହାର ଘର ଭାଙ୍ଗି ଛାରଖାର କରିଦେଉଛନ୍ତିି। ହାତୀ ମାନଙ୍କର ଉତ୍ପାତରେ ଏଠାକାର ଜନସାଧାରଣଙ୍କ ମନରେ କୋକୁଆ ଭୟ ଦେଖା ଦେଲାଣି।
ଗତକାଲି ନାକଟିଦେଉଳ ବ୍ଲକ୍ ବାମରା ବନଖଣ୍ଡ କିସିଣ୍ଡା କୁୁଲାଡେରା ଜଙ୍ଗଲରେ ଏକ ଅସୁସ୍ଥ ହାତୀର ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି। ବନବିଭାଗ ଗତକାଲି ମୃତ ହାତୀର ଶବକୁ ଠାବ କରିଥିଲେ ମଧ୍ୟ ଗଣ ମାଧ୍ୟମକୁ ସୂଚନା ଦେଇ ନ ଥିଲା। ସେଇ ଜଙ୍ଗଲରେ ବନ ବିଭାଗର ପ୍ରାୟ ୧୦ ରୁ ୧୨ ଜଣ କର୍ମଚାରୀ ମୃତ ହାତୀକୁ ଜଗି ରହିଥିଲେ। ଗତକାଲି ଡିଏଫ୍ଓ ଫାଲଗୁନି ସାରଥୀ ମଲ୍ଲୀକ କିସିଣ୍ଡା ରେ ରହି ହାତୀ ମୃତ୍ୟୁ କାରଣ ସଂପର୍କରେ ବିଭଗୀୟ କର୍ମଚାରୀଙ୍କ ସହ ଆଲୋଚନା କରୁଥିବାର ଖବର ହସ୍ତଗତ ହୋଇଛି।
ବେସରକାରୀ ସୂତ୍ରରୁ ଜାହା ଜଣା ପଡିଛି, କିଛି ଦିନ ହେଲା କୁଲାଡେରା ଜଙ୍ଗଲରେ ଏକ ଅଣ୍ଡିରା ହାତୀ ଅସୁସ୍ଥ ହୋଇପଡିଥିଲା। ହାତୀଟିର ଗୋଡରେ ଆଘାତ ଲାଗିଥିବା ଅନୁମାନ କରାଯାଇଥିଲା। ଅସୁସ୍ଥ ହାତୀ ପାଖକୁ ମଧ୍ୟ ବନବିଭାଗ ଯାଇଥିଲା। ଗତକାଲି ବନବିଭାଗର ରେଞର ରବିନ୍ କିସ୍କୋ, ଫରେଷ୍ଟର ଅନୁରାଧା ଖରସେଲ୍ ତଥା ବନ ବିଭାଗର ଅନ୍ୟ କର୍ମଚାରୀ ମାନେ ଯାଇ ମୃତ ହାତୀକୁ ଠାବ କରିଥିଲେ। ସଂଧ୍ୟା ହୋଇ ଯିବାରୁ ହାତୀର ଶବ ବ୍ୟବଚ୍ଛେଦ କରା ଯାଇ ପାରି ନ ଥିଲା। ଆଜି ହାତୀର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣା ପଡିଛି। କିଛି ଦିନ ହେଲା କେବଳ କୁଲାଡେରା ଜଙ୍ଗଲରେ ହିଁ ଅସୁସ୍ଥ ହାତୀଟି ରହିଥିଲା। ତାର ଗୋଡରେ ଆଘାତ ଲାଗିଥିବାରୁ ସେ ବେଶି ବାଟ ଯାଇ ପାରୁ ନ ଥିଲା।
ଏ ଅଂଚଳରେ ବହୁ ମାଫିଆ ହାତୀକୁ ମାରି ତାର ଦାନ୍ତ କାଟି ନେବାକୁ ପ୍ରୟାସ କରୁଥିବାର ନଜିର୍ ରହିଛି। ହେଲେ ସୁଯୋଗ ପାଇ ପାରୁ ନ ଥିବାରୁ ସେମାନେ ହାତୀ ମାନଙ୍କୁ ହତ୍ୟା କରିିପାରୁ ନାହାନ୍ତି। ଦିନକୁ ଦିନ ହାତୀ ବଂଶ ଲୋପ ପାଇଯାଉ ଥିବାରୁ ଚିନ୍ତାର କାରଣ ହୋଇଛି।