ଚିଲିକା: ଗୁରୁତର ରୋଗରେ ପୀଡିତ ଥିବା ଗୁରୁଙ୍କୁ ସହାୟ ହେଲେ ଖୋର୍ଦ୍ଧା ଜିଲ୍ଲାପାଳ

Published: Oct 28, 2021, 9:51 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ଦୀର୍ଘ ଦିନ ଧରି ପରିତ୍ୟକ୍ତ ଘରେ ପଡିରହିଥିବା ଜଣେ ଗୁରୁତର ରୋଗୀର ଦୁଃଖ ବୁଝିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର। ଅସହାୟ ଅବସ୍ଥାରେ ପଡିଥିବା ରୋଗୀଙ୍କୁ ଜିଲ୍ଲାପାଳ ତୁରନ୍ତ ଚିକିତ୍ସା ଯୋଗାଇଛନ୍ତି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଅଧୀନସ୍ଥ ହାଟ ବରଡି ଗ୍ରାମର ଗୁରୁ ବେହେରା ଗୁରୁତର ରୋଗରେ ପୀଡିତ ହୋଇ କୁହୁଡ଼ି ରେଳ ଷ୍ଟେସନରେ ଥିବା ପରିତ୍ୟକ୍ତ ଗୃହରେ ୨ପୁଅ, ଗୋଟିଏ ଝିଅ ଓ ସ୍ତ୍ରୀ ଙ୍କୁ ନେଇ ଦୟନୀୟ ଅବସ୍ଥାରେ ଦୀର୍ଘ ଦିନ ଧରି ପଡି ରହିଥିଲେ। ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟକୁ ଖବର ପହଁଚିଥିଲା। ଜିଲ୍ଲାପାଳ ଖବର ପାଇ ରୋଗୀଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଚିଲିକା ବ୍ଲକ୍ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ଏହା ପରେ ଚିଲିକା ତହସିଲଦାର ପୁନମ ମହାପାତ୍ର ରୋଗୀଙ୍କୁ ଚିକିତ୍ସା ପାଇଁ ସ୍ୱଳ୍ପ ସମୟରେ ଆମ୍ବୁଲାନ୍ସ ବ୍ୟବସ୍ଥା କରିଥିଲେ। ଏହାପରେ ଚିଲିକା ବିଡ଼ିଓଙ୍କ ନିର୍ଦ୍ଦେଶରେ ବ୍ଲକ୍ ପ୍ରଶାସନ ପକ୍ଷରୁ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ କାର୍ଯ୍ୟାଳୟର ଆସିଷ୍ଟାଣ୍ଡ ପ୍ରୋଗ୍ରାମ ଅଫିସର ଜି. ସାଗର ଅର୍ଜୁନ ପାତ୍ର, ବାଲୁଗାଁ ମେଡିକାଲ ଅଫିସର ସୈମ୍ୟକାନ୍ତ ଦାସପଟ୍ଟନାୟକଙ୍କ ତତ୍ବାବଧାନରେ ଜରିପଡା ମେଡିକାଲ ହେଲଥ ସୁପରଭାଇଜ ସୁଶାନ୍ତ କୁମାର ରାଉତରାୟ, ଜରିପଡା ଅତିରିକ୍ତ ରାଜସ୍ବ ନିରକ୍ଷକ କୈଳାସ ଚନ୍ଦ୍ର ବେହେରା ଓ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ତୁରନ୍ତ ଗୁରୁ ବେହେରାଙ୍କ ନିକଟରେ ପହଂଚି ଉନ୍ନତ ଚିକିତ୍ସା ପାଇଁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ୧୦୮ ଆମ୍ବୁଲାନ୍ସ ଜରିଆରେ ପଠାଇଥିଲେ। କିନ୍ତୁ ବର୍ତ୍ତମାନ ସମ୍ପୃକ୍ତ ରୋଗୀ ଜଣକ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବାର ଜିଲ୍ଲାପାଳ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

ଏଭଳି ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଥିବାରୁ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ସ୍ଥାନୀୟ ଜନସାଧାରଣ ପ୍ରଶଂସା କରିଛନ୍ତି।

Related posts