
ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପାଇଁ ଆଉ ଦିନ କେଇଟା ବାକି ରହିଛି। ଏବେ ସବୁ ଦଳଙ୍କ ତୁଫାନୀ ପ୍ରଚାର ଚାଲିଛି। ଏହିକ୍ରମରେ ବିଜେପି ଖୁବ୍ ଆଗରେ ରହିଛି। ଓଡ଼ିଶାକୁ ପ୍ରାୟେ କେନ୍ଦ୍ରମନ୍ତ୍ରୀଙ୍କ ତୁଫାନୀ ଗସ୍ତ ସହିତ ପ୍ରଚାର ମଧ୍ୟ ଚାଲିଛି। ଗତକାଲି ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଆସିଥିବାବେଳେ ଆଜି ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ମୁଖତାର ଆବାସ୍ ନକ୍ଭୀ। ଶନିବାର ଦିନ ଆୟୋଜିତ ସାଲେପୁରଠାରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ଯୋଗଦେଇ କଂଗ୍ରେସ ଉପରେ ବର୍ଷିଥିଲେ। ନକ୍ଭୀ କହିଥିଲେ, ବିଜେପି ସରକାର ସମୟରେ ସଂଖ୍ୟାଲଘୁ ସୁରକ୍ଷିତ ରହିଛନ୍ତି। ପୂର୍ବ ସରକାର ବେଳେ ପ୍ରତିମାସରେ କେଉଁଠି ନା କେଉଁଠି ଦଙ୍ଗା ହେଉଥିଲା। ଦଙ୍ଗାରେ ଶହ ଶହ ନିରୀହ ଲୋକଙ୍କ ଜୀବନହାନି ଘଟୁଥିଲା। ମୋଦୀ ସରକାର ଆସିବା ପରେ ଗତ ୫ବର୍ଷରେ ଗୋଟିଏ ବି ଦଙ୍ଗା ଘଟିନି। ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଆଦି ରାଜ୍ୟରେ ସଂଖ୍ୟାଲଘୁ ସୁରକ୍ଷିତ ଅଛନ୍ତି। ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ବିଜେପି ସରକାର ଆଣିବାକୁ ନକ୍ଭୀ ଆହ୍ବାନ ଦେଇଥିଲେ। ଏହି ସଭାରେ ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି ଏ ରାକ୍ଷସ ସରକାରକୁ ଆଉ ସୁଯୋଗ ଦେଲେ ମହିଳାମାନେ ଅସୁରକ୍ଷିତ ହୋଇପଡ଼ିବେ ବୋଲି କହିବା ସହିତ ଏବେ ସରକାର ବଦଳାଇବାର ସମୟ ଆସିଛି ବୋଲି କହିଛନ୍ତି।