ଜାନୁଆରୀ ୩୧ ପର୍ଯ୍ୟନ୍ତ ସମସ୍ତ ବାଣିଜ୍ୟିକ ବିମାନ ଉପରେ ଲାଗିଲା ପ୍ରତିବନ୍ଧକ

Published: Dec 9, 2021, 7:48 pm IST

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍ ଭାରିଆଣ୍ଟସ୍ ବୃଦ୍ଧି ପାଉଥିବା ବେଳେ ବାଣିଜ୍ୟିକ ଯାତ୍ରୀ ସେବାର ବାତିଲକୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସର୍କୁଲାରରେ ଏହା ସ୍ପଷ୍ଟ କରାଯାଇଛି ଯେ, ବିମାନ ଚଳାଚଳ ସ୍ଥଗିତ ରଖିବା କାର୍ଗୋ ଏବଂ ଡିଜିସିଏ ଅନୁମୋଦିତ ବିମାନ ଉପରେ ପ୍ରଭାବ ପକାଇବ ନାହିଁ। ସର୍କୁଲାରରେ ଏହା ମଧ୍ୟ କୁହାଯାଇଛି ଯେ, ବିଭିନ୍ନ ବିମାନ ମାର୍ଗରେ ପରିସ୍ଥିତି ଅନୁଯାୟୀ ଆନ୍ତର୍ଜାତୀୟ ବିମାନ ଉଡ଼ାଣକୁ ଅନୁମୋଦନ କରାଯାଇପାରିବ।

ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଘୋଷଣା କରିଛି ଯେ, ଡିସେମ୍ବର ୧୫ ତାରିଖରୁ ଆରମ୍ଭ ହେବାକୁ ଥିବା ଆନ୍ତର୍ଜାତୀୟ ବିମାନ ସେବା ସ୍ଥଗିତ ରଖାଯାଇଛି। କିନ୍ତୁ ବିମାନ ଉଡ଼ାଣ କେତେ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବ, ତାହା ସ୍ପଷ୍ଟ ହୋଇପାରିନି। ନଭେମ୍ବର ୨୬ ତାରିଖରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଥିଲା ଯେ, ଡିସେମ୍ବର ୧୫ ତାରିଖରୁ ଭାରତକୁ ଏବଂ ଆନ୍ତର୍ଜାତୀୟ ବିମାନ ଚଳାଚଳ ସାଧାରଣ ଭାବରେ ଚାଲିବ।

କୋଭିଡ ମହାମାରୀ ହେତୁ ମାର୍ଚ୍ଚ ୨୩ ତାରିଖ ୨୦୨୦ ଠାରୁ ଭାରତକୁ ଆସୁଥିବା ସମସ୍ତ ଆନ୍ତର୍ଜାତୀୟ ବିମାନ ବନ୍ଦ ରହିଛି। ତେବେ ଗତ ବର୍ଷ ଜୁଲାଇରୁ ପ୍ରାୟ ୨୮ଟି ଦେଶ ସହିତ ଏୟାର ବବୁଲ ଚୁକ୍ତି ଅନୁଯାୟୀ ସ୍ୱତନ୍ତ୍ର ଆନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଚଳାଚଳ କରୁଛି।

କରୋନା ଭାଇରସର ଓମିକ୍ରନ୍ ପ୍ରକାର ସମଗ୍ର ବିଶ୍ୱରେ ଏକ ନୂତନ ଭୟ ସୃଷ୍ଟି କରିଛି। ହୁ’ ଏହି ପ୍ରକାରକୁ ‘ଭାରିଆଣ୍ଟ ଅଫ୍ କନ୍ସର୍ନ’ ବୋଲି କହିଛି ଏବଂ ସମସ୍ତ ଦେଶକୁ ସତର୍କ ରହିବାକୁ କହିଛି। ଏହି କାରଣରୁ ଭାରତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛି। ଏୟାର ବବଲ ଅନୁଯାୟୀ ବିମାନଗୁଡ଼ିକ ବିଷୟରେ ମଧ୍ୟ ନୂତନ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହା ବ୍ୟତୀତ, ବିପଦ ବର୍ଗରେ ଥିବା ଦେଶମାନଙ୍କୁ ସେଠାରୁ ଆସୁଥିବା ଯାତ୍ରୀମାନଙ୍କ ପ୍ରତି ଅଧିକ ସତର୍କ ରହିବାକୁ କୁହାଯାଇଛି।

Related posts