ବିଜେଡ଼ି ବିଧାୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ମୃତ୍ୟୁରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

Published: Apr 20, 2019, 5:37 pm IST
Ex Minister Bedprakash Agrwalla no more

କେନ୍ଦ୍ରାପଡା ଜିଲ୍ଲାର ବରିଷ୍ଠ ବିଜେଡି ନେତା ବେଦ ପ୍ରକାଶ ଅଗ୍ରୱାଲଙ୍କ ପରଲୋକ ହୋଇଯାଇଛି। ବେଦ ପ୍ରକାଶଙ୍କ  ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ବିଜେଡ଼ିର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ରାଜନେତା ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ବିଷୟରେ ଶୋକ ପ୍ରକାଶ କରିଛନ୍ତି।  ତାଙ୍କ ମୃତ୍ୟୁରେ ସେ ଅତ୍ୟନ୍ତ ଦୁଃଖୀ ବୋଲି କହିବା ସହିତ  ସେ ଥିଲେ ବିଜୁ ବାବୁଙ୍କ ଘନିଷ୍ଠ ଏବଂ ଦୀର୍ଘ ଦିନ ଧରି ଲୋକଙ୍କ ସେବା କରିଛନ୍ତି। ତାଙ୍କ ପରି ଜଣେ ମାର୍ଗଦର୍ଶକଙ୍କୁ ହରାଇବା ବ୍ୟତିଗତ ଭାବେ ତାଙ୍କ ପାଇଁ ଏବଂ ଦଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ନବୀନ। କେନ୍ଦ୍ରାପଡ଼ା ଓ ପାଟକୁରାବାସୀଙ୍କ ପାଇଁ ଏକ ବଡ଼ କ୍ଷତି ବୋଲି କହିଛନ୍ତି ନବୀନ ପଟ୍ଟନାୟକ। ସେହିପରି ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ମୃତ୍ୟୁ ପରେ ରାଜ୍ୟପାଳ ଗଣେଶୀ ଲାଲ୍‌ ମଧ୍ୟ ଶୋକ ପ୍ରାର୍ଥନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିବା ସହ ଟୁଇଟ୍‌ କରି ବେଦଙ୍କ ପରିବାରକୁ ସାନ୍ତ୍ୱନା ଜଣାଇଛନ୍ତି। ସେହିପରି ବିଜେପି ରଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ,ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ, କନ୍ଧମାଳର ବିଜେଡ଼ି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ, ରାଜ୍ୟସଭା ସାଂସଦ ତଥା କେନ୍ଦ୍ରାପଡ଼ାର ବିଜେଡ଼ିର ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି ପ୍ରମୁଖ ତାଙ୍କ ମୃତ୍ୟୁରେ ଶୋକ ପ୍ରାର୍ଥନା ଜଣାଇଛନ୍ତି। ବେଦ ପ୍ରକାଶ ଅଗ୍ରୱାଲଙ୍କ ବିୟୋଗରେ ଶୋକ ପ୍ରକାଶ କରି ବେଦଙ୍କ ପ୍ରତି ଅନ୍ୟାୟ ହୋଇଛି ବୋଲି ପାଟକୁରାର ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର କହିଛନ୍ତି। ଗତ ୩ ମାସ ଧରି ବେଦ ପ୍ରକାଶ ଚିକିତ୍ସାଧୀନ ଥିଲେ। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ସେ ଶଯ୍ୟାଶାୟୀ ଥିଲେ। ଯେଉଁମାନେ ତାଙ୍କୁ ଠିଆ କରାଇଥିଲେ, ସେମାନେ ତାଙ୍କ ପ୍ରତି ଅନ୍ୟାୟ କରିଥିଲେ। ତାଙ୍କ ପ୍ରତି ଠିକ୍ ନ୍ୟାୟ କରାଯାଇନାହିଁ ବୋଲି ମୋର ମନେ ହେଉଛି। ତାଙ୍କ ପରଲୋକରେ ମୁଁ ବ୍ୟକ୍ତିଗତ ଭାବେ ମର୍ମାହତ ବୋଲି ବିଜୟ ମହାପାତ୍ର କହିଛନ୍ତି।

Related posts