କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାମାଙ୍କନ ପତ୍ର କାଏମ୍ ରହିଛି। ନାମାଙ୍କନ ଖାରଜ ପାଇଁ ଯେଉଁସବୁ ଆବେଦନ ହୋଇଥିଲା ତାହା ଖାରଜ ହୋଇଯାଇଛି। ଆମେଠି ଜିଲ୍ଲାପାଳ କାର୍ଯ୍ୟାଳୟସ୍ଥିତ ଡିଏମ୍ କୋର୍ଟରେ ରିଟର୍ଣ୍ଣିଂ ଅଫିସର ଏହି ନିଷତ୍ତି ନେଇଛନ୍ତି। ସୋମବାର ଦିନ ଆମେଠି ରିଟର୍ଣ୍ଣିଂ ଅଫିସର ରାମ ମନୋହର ମିଶ୍ର ଶୁଣାଣୀ କରି ରାହୁଲଙ୍କ ନାମାଙ୍କନ ପତ୍ର ବୈଧ ବୋଲି ଘୋଷଣା କରିଛନ୍ତି। ଆମେଠି ଲୋକସଭା ଆସନ ପାଇଁ ରାହୁଲ ଗତ ୧୦ ତାରିଖରେ ୪ଟି ସେଟ୍ରେ ନାମାଙ୍କନପତ୍ର ଦାଖଲ କରିଥିଲେ। ଗତ ଶନିବାର ନାମାଙ୍କନପତ୍ର ଯାଞ୍ଚ ସମୟରେ ବହୁଜନ ମୁକ୍ତି ପାର୍ଟିର ଅଫଜାଲ ୱାରିସ, ସ୍ବାଧୀନ ନେତା ଧ୍ରୁବଲାଲ, ସୁରେଶ କୁମାର କୁକ୍ଳ ଏବଂ ସୁରେଶ ଚନ୍ଦ୍ର ଯାଦବ ପ୍ରମୁଖ ରାହୁଲ ପ୍ରାର୍ଥିପତ୍ରର ବୈଧତାକୁ ନେଇ ପ୍ରଶ୍ନ ଉଠାଇବା ସହ ନିଜ ନିଜ ଓକିଲଙ୍କ ଜରିଆରେ ରିଟର୍ନିଂ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରି ତାଙ୍କ ନାମାଙ୍କନପତ୍ର ରଦ୍ଦ କରିବାକୁ ଦାବି କରିଥିଲେ। ସେମାନେ ରାହୁଲଙ୍କ ନାଗରିକତା, ଡିଗ୍ରୀ ଏବଂ ଆଉ କିଛି ତଥ୍ୟ ଲୁଚାଇଥିବାର ଅଭିଯୋଗ କରିବା ସହ ନାମାଙ୍କନ ପତ୍ର ଖାରଜ କରିବା ପାଇଁ ଦାବି କରିଥିଲେ। ଆମେଠି ଜିଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଜିଲା ମାଜିଷ୍ଟ୍ରେଟ୍ଙ୍କ କୋର୍ଟରେ ମାମଲାର ଶୁଣାଣି ହୋଇଥିଲା। ରାହୁଲଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଉପରେ ତାଙ୍କ ଓକିଲ ଜବାବ ରଖିଥିଲେ। ନିର୍ବାଚନ ଅଧିକାରୀ ମାମଲାର ଶୁଣାଣି କରିବା ପରେ ପ୍ରାର୍ଥିପତ୍ର ଯାଞ୍ଚ କରିବା ସହ ଏହାକୁ ବୈଧ ରଖିଥିଲେ।