ଜବରଦଖଲ ବିରୋଧରେ ଡିସିପି ଅଫିସ ଘେରାଉ କଲା ଯୁବ କଂଗ୍ରେସ

Published: Mar 29, 2022, 5:49 pm IST

ଭୁବନେଶ୍ୱର : ରାଜଧାନୀ ଓ ଏହାର ଉପକଣ୍ଠରେ ଜମି ମାଫିଆଙ୍କ ପ୍ରାଦୁର୍ଭାବ ବିରୋଧରେ ବିକ୍ଷୋଭ କରିଛି ଯୁବ କଂଗ୍ରେସ। ସେମାନେ ଅଭିଯୋଗ କରିଛନ୍ତି ଯେ, ସରକାରୀ ଜମି ଜବରଦଖଲ, ସାଧାରଣ ଜନତାଙ୍କ ଜମି ଉପରେ ବେଆଇନ୍ କବ୍‌ଜା ସହ ତାହାକୁ ନିଜ ନାମରେ ପ୍ଲଟ୍ କରି ବିକୁଛନ୍ତି ଜମି ମାଫିଆ।

ଭୁବନେଶ୍ୱରରେ ଶାସନ କଳ, ଅମଲା ଓ ପୋଲିସ ବିଭାଗ ଥିବା ସତ୍ତ୍ୱେ ସେମାନଙ୍କ ନାକ ତଳେ ଚାଲିଛି ଏଭଳି ବେଆଇନ ଜମି ହଡ଼ପ ବୋଲି ଯୁବ କଂଗ୍ରେସ କହିଛି। ତାହାର ଏକ ଉଦାହରଣ ନାରଗୋଦା ଓ ଘଙ୍ଗାପାଟଣାରେ ଦେଖିବାକୁ ମିଳିଛି। ଏହାର ପ୍ରତିବାଦ ସ୍ୱରୂପ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟ ସଭାପତି ଡକ୍ଟର ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ମଙ୍ଗଳବାର ଡିସିପି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ ବେଳେ ଆଶୁତୋଷ ଲେଙ୍କା, ରିତୁଲ ମହାପାତ୍ର, ବିଶ୍ୱଜିତ, ପଙ୍କଜ କୁମାର ଜେନା, ଅକ୍ଷୟ ସ୍ୱାଇଁ, ସୁନିଲ ସ୍ୱାଇଁ, ସୌଭାଗ୍ୟ ଜେନା, ମିଲୁ ପାଇକରାୟ, ମିହିର ପାଇକରାୟ, ଦୀପକ କୁମାର ଭୋଳ, ସଦାଶିବ ସାହୁ, ନୃସିଂହ ଚରଣ ଜେନା, ସନ୍ତୋଷ ସାହୁ ଓ ଉଲ୍ଲାସ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Related posts