
ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର କହିଛନ୍ତି ଯେ ଦେଶରେ ଦ୍ରୁତଗତିରେ ବିକଶିତ ହେଉଥିବା ଡିଜିଟାଲ ଭିତ୍ତିଭୂମି ଏବଂ ଏଭିଜିସି (ଆନିମେସନ, ଭିଜୁଆଲ ଇଫେକ୍ଟସ, ଗେମିଙ୍ଗ ଓ କମିକ୍ସ) କ୍ଷେତ୍ରରେ ଚାଲିଥିବା ପ୍ରଗତି ଭାରତକୁ ବିଶ୍ୱର ପ୍ରମୁଖ ମିଡିଆ (ଗଣମାଧ୍ୟମ) ଓ ଏଣ୍ଟରଟେନମେଣ୍ଟ (ମନୋରଞ୍ଜନ) ର ପୋଷ୍ଟ ପ୍ରଡକ୍ସନ ହବ୍ରେ ପରିଣତ କରିବାକୁ ଦକ୍ଷତା ବହନ କରୁଛି।
ପୁଣେ ସ୍ଥିତ ସିମ୍ବାୟୋସିସ୍ ସ୍କିଲ ଓ ପ୍ରଫେସନାଲ ବିଶ୍ୱବିଦ୍ୟାଳୟର “ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ପରିବର୍ତ୍ତନଶୀଳ ଦୃଶ୍ୟପଟ-୨୦୨୨” ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ରରେ ମୂଳ ବକ୍ତୃତା ପ୍ରଦାନ କରି ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ ଦେଶରେ ଏବେ ଏଭିଜିସି କ୍ଷେତ୍ରରେ ଏକ ଦୃଢ ଡିଜିଟାଲ ମୂଳଦୁଆ ତିଆରି ହୋଇଛି । ଦେଶର ଓ ବିଶ୍ୱର ଆବଶ୍ୟକତା ପୂରଣ ପାଇଁ ବିଶ୍ୱସ୍ତରୀୟ ସର୍ଜନାତ୍ମକ ପ୍ରତିଭା ବିକଶିତ କରିବାକୁ ସରକାର ଏଭିଜିସି କ୍ଷେତ୍ର ନିମନ୍ତେ ଏକ ଟାସ୍କଫୋର୍ସ ଗଠନ କରିଛନ୍ତି।
ମନ୍ତ୍ରୀ ଶ୍ରୀ ଠାକୁର ଆହୁରି କହିଛନ୍ତି ଯେ ଦେଶର ମିଡିଆ ଓ ଏଂଟରଟେଂନମେଣ୍ଟ ପରିବେଶ ଏକ ଦ୍ରୁତ ବିକାଶୋନ୍ମୁଖୀ ଉଦ୍ୟୋଗ ଯାହାର ଭବିଷ୍ୟତ ଅତ୍ୟନ୍ତ ଉଜ୍ଜ୍ୱଳ। ଏହି ଉଦ୍ୟୋଗର ଆକାର ୨୦୨୫ ସୁଦ୍ଧା ବାର୍ଷିକ ୪ଲକ୍ଷ କୋଟି ଟଙ୍କା ଛୁଇଁବା ଆଶା କରାଯାଉଛି। ଆହୁରି ମଧ୍ୟ ଏହି ଉଦ୍ୟୋଗର ଆକାର ୨୦୩୦ ସୁଦ୍ଧା ୧୦୦ ବିଲିୟନ ଡଲାର ବା ୭.୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବା ବୋଲି ସେ କହିଛନ୍ତି।
ମନ୍ତ୍ରୀ ଆହୁରି କହିଛନ୍ତି ଯେ ଭାରତ ସରକାର ଅଡିଓ-ଭିଜୁଆଲ ସର୍ଭିସ(ଦୃଶ୍ୟ-ଶ୍ରାବ୍ୟ ସେବା)କୁ ୧୨ଟି ଚମ୍ପିଅନ ସେବା କ୍ଷେତ୍ର ମଧ୍ୟରେ ସ୍ଥାନିତ କରିଛନ୍ତି ଏବଂ ଏହି କ୍ଷେତ୍ରରେ ଅଭିବୃଦ୍ଧିର ଧାରାକୁ ତ୍ୱରାନ୍ୱିତ କରିବାକୁ ଅନେକ ଗୁରୁତ୍ୱପୂର୍ଣ୍ଣ ନୀତି ଓ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି।
ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ “ ଆମେ ଉଚ୍ଚମାନର ବିଷୟବସ୍ତୁ (କ୍ୱାଲିଟି କଂଟେଂଟ) ସୃଷ୍ଟିର ଡିଜିଟାଲ ଯୁଗରେ ପାଦ ଦେବାକୁ ଯାଉଥିବାରୁ ରେଡିଓ, ଫିଲ୍ମ ଏବଂ ମନୋରଞ୍ଜନ ଉଦ୍ୟୋଗରେ ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଭିଡିଓ ଏଡିଟିଙ୍ଗ, କଲର ଗ୍ରେଡିଂ, ଭିଜୁଆଲ ଇଫେକ୍ଟ, ସାଉଣ୍ଡ ଡିଜାଇନ, ରୋଟୋସ୍କେପିଙ୍ଗ ଓ ଥ୍ରୀଡି ମଡେଲିଂ ଆଦି କ୍ଷେତ୍ରରେ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇସାରିଲାଣି। ଏସବୁ କ୍ଷେତ୍ରରେ ନିର୍ଦ୍ଦିଷ୍ଟ କୌଶଳ ଓ ଦକ୍ଷତାର ଆବଶ୍ୟକତା ରହିଛି। ଅତଏବ ଏହି କ୍ଷେତ୍ରର ଆବଶ୍ୟକତା ପୂରଣ କ୍ଷେତ୍ରରେ ଉଦ୍ୟୋଗ ଓ ଶିକ୍ଷା ତଥା ଗବେଷଣା ଅନୁଷ୍ଠାନମାନେ ଆଗେଇ ଆସିବା ଅପରିହାର୍ଯ୍ୟ। ଏହି କ୍ଷେତ୍ରରେ ଯେଉଁ ନୂଆ ନୂଆ ଟେକ୍ନୋଲୋଜି ଟ୍ରେଣ୍ଡ ଆସୁଛି ତା’ସହିତ ଛାତ୍ରଛାତ୍ରୀମାନଙ୍କୁ ଅବଗତ ଓ ଅଭ୍ୟାସ କରିବାକୁ ସରକାର ଘରୋଇ ଉଦ୍ୟୋଗ ସହିତ ସମ୍ଭାବ୍ୟ ଅଂଶୀଦାରୀ ଗଢିବାକୁ ଉଦ୍ୟମ କରୁଛନ୍ତି।
ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ ଟେକ୍ନୋଲୋଜି ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶେଷ ଆଗ୍ରହ ଦେଶର ଯୁବବର୍ଗଙ୍କ ଆଶା ଆକାଂକ୍ଷା ବଢାଇଛି। ସେଥିପାଇଁ ସରକାର ନୂଆ ନୂଆ ସୁବିଧା ସୁଯୋଗ ସୃଷ୍ଟି କରୁଛନ୍ତି। ସ୍କିଲ ଇଣ୍ଡିଆ ମିଶନ ମାଧ୍ୟମରେ ଭାରତ ସରକାର ଦେଶର ଯୁବସମାଜକୁ ସଶକ୍ତ ଓ ସମର୍ଥ କରି ପ୍ରଧାନମନ୍ତ୍ରୀଙ୍କ ଆଶା ଓ ଲକ୍ଷ୍ୟକୁ ପୂରଣ କରୁଛନ୍ତି। ଏହା ଫଳରେ ଯୁବ ସମାଜର ଆଶାରେ ଡେଣା ଲାଗିଛି। ସ୍କିଲ ଇଣ୍ଡିଆ ମିଶନ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ବଜାରର ଆବଶ୍ୟକତାକୁ ବିଚାରକୁ ନେଇ ୪୦କୋଟି ଯୁବକଙ୍କୁ ସମର୍ଥ ଓ ସଶକ୍ତ କରିବାର ଲକ୍ଷ୍ୟ ସରକାର ରଖାଯାଇଛି।
‘୭୫ କ୍ରିଏଟିଭ ମାଇଣ୍ଡସ ଅଫ ଟୁମରୋ’ ପ୍ରୋଜେକ୍ଟ ଯାହା ୨୦୨୧ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ ଅବସରରେ ଆରମ୍ଭ ହୋଇଥିଲା। ସେ ସମ୍ପର୍କରେ ଶ୍ରୀ ଠାକୁର କହିଛନ୍ତି ଯେ ଏହି ପ୍ରକଳ୍ପର ଅନେକ ପ୍ରତିଭା ମିଡିଆ ଓ ଏଣ୍ଟରଟେନମେଣ୍ଟ କ୍ଷେତ୍ରକୁ ଉଲ୍ଲେଖନୀୟ ସୃଷ୍ଟି ଧର୍ମୀ ଅବଦାନ ଯୋଗାଉଛନ୍ତି। ସେମାନଙ୍କ ମଧ୍ୟରୁ ଆଉ କେତେକ ମଧ୍ୟ ସଫଳତାର ସହିତ ନିଜର ଷ୍ଟାର୍ଟଅପ୍ ଆରମ୍ଭ କରିଛନ୍ତି।
ଦେଶର କ୍ରମବର୍ଦ୍ଧିନଶୀଳ ଷ୍ଟାର୍ଟଅପ ସଂସ୍କତି ଓ ପରିତନ୍ତ୍ର ସମ୍ପର୍କରେ ସେ କହିଛନ୍ତି ଯେ କୋଭିଡ ମହାମାରୀ କାଳରେ ମଧ୍ୟ ଏ କ୍ଷେତ୍ରରେ ଭାରତର ଉଦ୍ୟମରେ ଭଟ୍ଟା ପଡି ନ ଥିଲା। ଏହି କଠିନ ସମୟରେ ଭାରତରେ ୫୦ଟି ନୂଆ ୟୁନିକର୍ଣ୍ଣ ଗଠିତ ହୋଇଥିଲା। ଏହା ଭାରତୀୟ ଉଦ୍ୟମିତାର ଉତ୍ସାହର ପ୍ରମାଣ ବହନ କରେ। ଏଫ୍ଟିଆଇଆଇ ଓ ଏସ୍ଆରଏଫଟିଆଇ ଭଳି ପ୍ରମୁଖ ଚଳଚ୍ଚିତ୍ର ଶିକ୍ଷାନୁଷ୍ଠାନ ବା ଫିଲ୍ମ ସ୍କୁଲଗୁଡିକରୁ ବାହାରୁଥିବା ପ୍ରତିଭାମାନେ ଏଭଳି ଅଧିକରୁ ଅଧିକ ଷ୍ଟାର୍ଟଅପ୍ ନିର୍ମାଣ କରିବେ ବୋଲି ସେ ଆଶାପ୍ରକାଶ କରିଥିଲେ।
ଏକ ଗ୍ଲୋବାଲ କଣ୍ଟେଣ୍ଟ ହବ୍ ଭାବେ ଭାରତ
ଡିଜିଟାଲ ଇଣ୍ଡିଆର ସଫଳତା ମାଧ୍ୟମରେ ଭାରତର କଣ୍ଟେଣ୍ଟ କ୍ରିଏସନ(ବିଷୟବସ୍ତୁ ସୃଷ୍ଟି କରିବା) ଉଦ୍ୟୋଗ ଏକ ବଡ ପ୍ରୋତ୍ସାହନ ପାଇଥିବା ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ “ଉତ୍ତମ ମାନର ବିଷୟବସ୍ତୁ, ସହଜ ପହଂଚ ଓ ଆଗ୍ରହୀ ଶ୍ରୋତା /ଦର୍ଶକଙ୍କ ଉପସ୍ଥିତି ଭାରତକୁ ଏ କ୍ଷେତ୍ରରେ ତାହାର ସଫଳ କାହାଣୀ ବିଶ୍ୱ ସମୁଦାୟକୁ ଶୁଣାଇବାକୁ ପ୍ରସ୍ତୁତ କରିଛି। ଏହା ଭାରତକୁ ବିଶ୍ୱର ଏକ ପ୍ରମୁଖ କଂଟେଂଟ ହବ୍ରେ ପରିଣତ କରିବାକୁ ଯାଉଛି । ସେ ଆହୁରି କହିଛନ୍ତି ଯେ ଏହି ପ୍ରୟାସ ପଛରେ ଥିବା ବୈଷୟିକ ଲୋକଶକ୍ତିର ଉଦ୍ୟମକୁ ଉପଯୁକ୍ତଭାବେ ପୁରସ୍କୃତ ଓ ମାନ୍ୟତା ପ୍ରଦାନ କରାଯିବାର ଆବଶ୍ୟକତା ରହିଛି। ସେଥିପାଇଁ ଅଗ୍ରଣୀ ଚରିତ୍ରଙ୍କ ଉପରେ ଦୃଷ୍ଟି କେନ୍ଦ୍ରୀତ କରିବାର ପ୍ରଚଳିତ ଧାରାକୁ ବଦଳାଇବାକୁ ପଡିବ।
ଏହି ଜାତୀୟ ସମ୍ମିଳନୀରେ ଅସ୍କାର ଓ ‘ବାଫଟା’ ପୁରସ୍କାର ବିଜୟୀ ସାଉଣ୍ଡ ଡିଜାଇନର ରେସୁଲ ପୁକୁଟ୍ଟୀ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ। ସେ କହିଥିଲେ ଯେ ଦେଶର ଶିକ୍ଷାନୁଷ୍ଠାନ ସମୂହ ଛାତ୍ରଛାତ୍ରୀଙ୍କୁ ବାହାର ଦୁନିଆର ସମ୍ମୁଖୀନ ହେବା ପାଇଁ ସେମାନଙ୍କର ଦକ୍ଷତା ବିକାଶ କରିବା ବ୍ୟତୀତ ପ୍ରାଚୀନ ଭାରତୀୟ ପରମ୍ପରାକୁ ଅନୁସରଣ କରି ଶିକ୍ଷାଦାନ କରିବା ଆବଶ୍ୟକ।
ଆନିମେସନ,ଭିଏପ୍ଏକ୍ସ, ଗେମିଂ ଓ କମିକ୍ସ, ଓଟିଟି, ଟିଭି, ଫିଲ୍ମ ପ୍ରଡକ୍ସନ, ଅଗମେଣ୍ଟଡ୍ ରିୟଲିଟି/ଭର୍ଚୁଆଲ ରିୟଲିଟି, ଇମ୍ର୍ସିଭ ମିଡିଆ ସ୍କିଲ ଆଦି ଉତ୍ଥାନମୁଖୀ କ୍ଷେତ୍ର ଓ ତାହାର ସୁଯୋଗ ଉପରେ ଏହି ସମ୍ମିଳନୀରେ ଆଲୋଚନା କରାଯାଇଥିଲା। ଏଥିରେ ମିଡିଆ ଓ ମନୋରଞ୍ଜନ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିତ୍ୱ ତଥା ସିମ୍ବାୟୋସିସ୍ ସ୍କିଲ ଓ ପ୍ରଫେସନାଲ ୟୁନିଭିରସିଟିର କୁଳାଧିପତି ଡକ୍ଟର ଏସ.ପି. ମଜୁମଦାର, ଉପକୂଳାଧିପତି ଡଃ ସ୍ୱାତୀ ମଜୁମଦାର ଓ କୁଳପତି ଡଃ ଗୌରୀ ଶିଉରକର ପ୍ରମୁଖ ଯୋଗଦେଇଥିଲେ।