
ନୂଆଦିଲ୍ଲୀ: ହାଇଦ୍ରାବାଦରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧମକ ଦିଆଯାଇଛି। ତେବେ ଧମକ ଦେଇଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ବାସ୍ତବରେ ଏଠାରେ ଓଲ୍ଡ ସିଟିର ଏକ ଛୋଟ ଦଳର ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମୁଣ୍ଡ କାଟିଦେବାକୁ ଧମକ ଦେଇ ଗିରଫ ହୋଇଛନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମହମ୍ମଦଙ୍କ ଉପରେ ବିଜେପି ମୁଖପାତ୍ରଙ୍କ ମନ୍ତବ୍ୟକୁ ନେଇ ନିଜକୁ ‘ଅଲ ଇଣ୍ଡିଆ ମଜଲିସ-ଏ-ଇନକିଲାବ-ଏ-ମିଲା’ର ରାଷ୍ଟ୍ରୀୟ ସଂଯୋଜକ କହୁଥିବା ଅବଦୁଲ ମଜିଦ ଅତ୍ତାର ନାରାଜ ଥିଲେ। ଏକ ଫେସବୁକ ପୋଷ୍ଟରେ ସେ ଶୀର୍ଷ ଆରଏସଏସ ଏବଂ ବିଜେପି ନେତାଙ୍କୁ କ୍ଷମା ମାଗିବାକୁ କିମ୍ବା ମନ୍ତବ୍ୟ ପାଇଁ ମୁଣ୍ଡ କାଟିବାକୁ ପ୍ରସ୍ତୁତ ହେବାକୁ ଧମକ ଦେଇଥିଲେ। ତାଙ୍କ ପୋଷ୍ଟରେ ମୋଦୀ ଏବଂ ଯୋଗୀଙ୍କ ପୋଷ୍ଟର ମଧ୍ୟ ରହିଥିଲା। ଏହା ପରେ ଉତ୍ତେଜନାମୂଳକ ପୋଷ୍ଟର ଅଭିଯୋଗରେ ମୋଗଲପୁରା ପୋଲିସ ଅତ୍ତାରଙ୍କୁ ଗିରଫ କରିଥିଲା।
ଉଲ୍ଲେଖ ଯୋଗ୍ୟ ଯେ, ଜୁଲାଇ ୨ ଏବଂ ୩ ତାରିଖରେ ହାଇଦ୍ରାବାଦରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକର କିଛି ଦିନ ପୂର୍ବରୁ ଅତ୍ତାରଙ୍କ ଗିରଫଦାରୀ ହୋଇଛି, ଯେଉଁଥିରେ ମୋଦୀ ଏବଂ ଶାହାଙ୍କ ସମେତ ସମସ୍ତ ବରିଷ୍ଠ ନେତା ଯୋଗଦେବେ।