ଖୋର୍ଦ୍ଧା : ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଜିଲ୍ଲାସ୍ତରୀୟ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

Published: Aug 2, 2022, 11:16 pm IST

ଖୋର୍ଦ୍ଧା : ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଜିଲ୍ଲାସ୍ତରୀୟ ଦିନିକିଆ ବାର୍ଷିକ ସମ୍ମିଳନୀ ସ୍ଥାନୀୟ ଜୟୀ ରାଜଗୁରୁ ଟାଉନ ହଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଏହାର ଉଦଘାଟନ କରିଛନ୍ତି। ଶିକ୍ଷକ ମାନଙ୍କ ଦେଶର ଭବିଷ୍ୟତ ଗଠନରେ ପ୍ରମୁଖ ଭୂମିକା ରହିଛି।

ଶୃଙ୍ଖଳିତ, ଉତ୍ସଗୀକୃତ ଓ ସତ୍ୟନିଷ୍ଠ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଛନ୍ତି। ଶିକ୍ଷକତା ଭଳି ପେଶାରେ ମଣିଷ ଗଠନ ନିମନ୍ତେ ଐଶ୍ବରିକ ଶକ୍ତି ଭରି ରହିଛି। ପ୍ରତିଯୋଗିତା ଯୁଗରେ ତିଷ୍ଠି ରହିବାକୁ ମାନସିକତାରେ ପରିବର୍ତ୍ତନ ଆବଶ୍ୟକତା ରହିଥିବା ଜିଲ୍ଲାପାଳ କହିଛନ୍ତି।

ପିଲାମାନେ ଅଭିଭାବକଙ୍କ ବ୍ୟତୀତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଅନୁସରଣ କରିଥାନ୍ତି । ନିଜେ ନୀତିନିଷ୍ଠ ହୋଇ କାର୍ଯ୍ୟ କରିବାକୁ ସେ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଛନ୍ତି। ୫- ଟି ମାଧ୍ୟମରେ ଅନେକ ବିଦ୍ୟାଳୟରେ ଭିତ୍ତିଭୂମିର ବ୍ୟାପକ ରୂପାନ୍ତରଣ କରାଯାଇଛି। ଏହାଦ୍ବାରା ସ୍ମାର୍ଟ କ୍ଲାସରୁମରେ ବସି ଛାତ୍ରଛାତ୍ରୀ ମାନେ ଭିନ୍ନ ଅନୁଭବ କରୁଛନ୍ତି। ସରକାରୀ ବିଦ୍ୟାଳୟ ପ୍ରତି ପୂର୍ବରୁ ଥିବା ମାନସିକତାରେ ପରିବର୍ତ୍ତନ ହୋଇଛି। ଉପଲବ୍ଧ ସମ୍ବଳ ଓ ପାଣ୍ଠିର ସଦ ବ୍ୟବହାର କରିବାକୁ ଶିକ୍ଷକ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ସେହିଭଳି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖୋରଧା ଉପ ଜିଲ୍ଲାପାଳ ଶ୍ରୀ ଗୌରବ ଶିବାଜୀ ଇଶଲୱାର କହିଲେ ଯେ ପାଠପଢା ସହ ସୃଜନଶୀଳତାର ଆବଶ୍ୟକ ରହିଛି। ଏଥିନିମନ୍ତେ ବିଦ୍ୟାଳୟ ପ୍ରକୃଷ୍ଟ ସ୍ଥାନ। ପୁସ୍ତକ ଲବ୍ଧ ଜ୍ଞାନ ସହ ବ୍ୟବହାରିକ ଜ୍ଞାନର ମଧ୍ୟ ସମାନ ଆବଶ୍ୟକତା ଥିବା ସେ କହିଛନ୍ତି। ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ବିଶ୍ବନାଥ ତରାଇ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅପରାହ୍ନରେ ଖୋରଧା ବିଧାୟକ ଶ୍ରୀ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଯୋଗଦେଇ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରିବା ସହ ଉତ୍ତମ ଶିକ୍ଷା ପ୍ରଦାନ କରି ଜିଲ୍ଲା ପାଇଁ ଗୌରବ ଆଣିଦେବାକୁ ପରାମର୍ଶ ଦେଇଛନ୍ତି।

ଅତିରିକ୍ତ ଶିକ୍ଷାଧକାରୀ ଶ୍ରୀମତୀ ସ୍ନିଗ୍ଧା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ସରୋଜ କୁମାର ସିଂ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ଉନ୍ନତିକରଣ ଓ ପରିଚାଳନା ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା। ବ୍ଲକ ଶିକ୍ଷାଧିକାରୀ ମାନଙ୍କ ସମେତ ୨୯୨ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ ।

Related posts