ଆସନ୍ତା ୨୦୧୯ କ୍ରିକେଟ ବିଶ୍ବକପ୍ ପାଇଁ ଫିଟ୍ ଘୋଷିତ ହୋଇଛନ୍ତି କେଦାର ଯାଦବ । କେଦାରଙ୍କ ଫିଟ୍ ଘୋଷଣା ହେବା ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସିଖବର । ଏହା ସହିତ କେଦାର ଭାରତୀୟ ଦଳ ସହିତ ଇଂଲଣ୍ଡ ଗସ୍ତ କରିବା ସ୍ପଷ୍ଟ ହୋଇଛି । ଭାରତୀୟ ମଧ୍ୟକ୍ରମର ଜଣେ ଗୁରୁତ୍ବପୂର୍ଣ୍ଣ ସଦସ୍ୟ ରହିଥିବା କେଦାର ଜଣେ ଉପଯୋଗୀ ବୋଲର ମଧ୍ୟ । ସଦ୍ୟ ସମାପିତ ଆଇପିଏଲ୍ରେ କ୍ଷେତ୍ରରକ୍ଷଣ ସମୟରେ ଯାଦବଙ୍କ କାନ୍ଧରେ ଆଘାତ ଲାଗିଥିଲା । ଏହି ଆଘାତ ଫଳରେ ଯାଦବ ଚେନ୍ନାଇର ନକ୍ଆଉଟ୍ ଗେମ୍ ଖେଳିବାରୁ ବଞ୍ଚିତ ହୋଇଥିଲେ । ଏହି ୩୪ ବର୍ଷୀୟ ଖେଳାଳି ଜଣକ ଭାରତୀୟ ଟିମ୍ର ଫିଜିଓ ପ୍ୟାଟ୍ରିକ୍ ଫରହତ୍ଙ୍କ ନେତୃତ୍ବରେ ପ୍ରଶିକ୍ଷଣ ନେଇ ଫିଟ୍ ହେବା ସହ ମେ ୨୨ରେ ଇଂଲଣ୍ଡ ଯାଉଥିବା ଭାରତୀୟ ଦଳ ସହ ଯୋଗ ଦେବା ସ୍ପଷ୍ଟ ହୋଇଛି । ସୂଚନାଯୋଗ୍ୟ ଯେ, କେଦାର ୫୯ଟି ଦିନିକିଆ ମ୍ୟାଚ୍ ଖେଳି ୪୩.୪୮ ହାରରେ ୧୧୭୪ ରନ୍ ସଂଗ୍ରହ କରିବା ସହିତ ବୋଲିଂରେ ୨୭ଟି ଓ୍ବିକେଟ୍ ଅକ୍ତିଆର କରିଛନ୍ତି । ଭାରତୀୟ ଦଳ ସାଉଥାମ୍ପଟନ୍ର ରୋଜ ବାଉଲ୍ ଷ୍ଟାଡିୟମ୍ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବ ।