
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଜିଲ୍ଲାରେ ବନ୍ୟା ପରବର୍ତ୍ତି ସ୍ଥିତିର ସମୀକ୍ଷା କରିଛନ୍ତି। ଓସୱାନ ସମ୍ମିଳନୀ କକ୍ଷରେ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାର ବନ୍ୟାଞ୍ଚଳରେ ପାନୀୟ ଜଳ,ସ୍ବାସ୍ଥ୍ୟ, ସଡକ ପଥ, ବିଦ୍ୟୁତ ସଂଯୋଗ ପୁନଃ କାର୍ଯ୍ୟକ୍ଷମ କରିବା ସହ ସର୍ବନିମ୍ନ ସୁବିଧା ଉପଲବ୍ଧ କରାଇବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଛି। ଏଭଳି ଅଭିଯୋଗ ଆସିବା ପରେ ଯାଞ୍ଚ କରି ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ସେହିଭଳି କ୍ଷତିଗ୍ରସ୍ତ ଅଞ୍ଚଳରେ କ୍ଷୟକ୍ଷତି ଆକଳନ ରିପୋର୍ଟ ଆଜି ତୁରନ୍ତ ପ୍ରଦାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କ୍ଷୟକ୍ଷତି ଆକଳନ ସମୟରେ ଯୋଗ୍ୟ ହିତାଧିକାରୀ ଯେପରି କ୍ଷତିପୂରଣ ପାଇବାରୁ ବଞ୍ଚିତ ନହୁଅନ୍ତି ଏବଂ ଅଯୋଗ୍ୟ ବ୍ୟକ୍ତି କ୍ଷତିପୂରଣ ପାଇବା ତାଲିକାଭୁକ୍ତ ନହେବାକୁ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପୂର୍ବରୁ ନିର୍ଦ୍ଦେଶ ଦେଇସାରିଛନ୍ତି। ଆକଳନ ନିମନ୍ତେ ପ୍ରତି ବ୍ଲକସ୍ତରରେ ଟିମ ମାନ ଗଠନ କରାଯାଇ ଉକ୍ତଟିମରେ ପଞ୍ଚାୟତିରାଜ, ରାଜସ୍ବ ଏବଂ ସଂପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ରଖିବା ନିମନ୍ତେ ପୂର୍ବ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା।
ଉକ୍ତ ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଉପ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଭୁବନେଶ୍ବର ଉପ ଜିଲ୍ଲାପାଳ ଦେବବ୍ରତ୍ତ ସାହୁ, ଜିଲ୍ଲା ଆପଦକାଳୀନ ଅଧିକାରୀ ଉର୍ମିପ୍ରଭା ମହାରଣା, ବିଭାଗୀୟ ଅଧିକାରୀ ଏବଂ ବିଭିନ୍ନ ବ୍ଲକରେ ସଂପୃକ୍ତ ବିଡିଓ, ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।