ଟିଡିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଶନିବାର ଦିନ ଚନ୍ଦ୍ରବାବୁ ନାଇଡୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି । ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣର ଗୋଟିଏ ଦିନ ପୂର୍ବରୁ ନାଇଡୁ ରାହୁଲଙ୍କୁ ଭେଟିବା ସହିତ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଆଲୋଚନା କରିଥିବା ଜଣାପଡିଛି । କଂଗ୍ରେସ ସଭାପତିଙ୍କୁ ଭେଟିବା ପୂର୍ବରୁ ସିପିଆଇ ନେତା ସୁଧାକର ରେଡ୍ଡୀ ଏବଂ ଡି. ରାଜାଙ୍କୁ ଭେଟି ଅଣ ବିଜେପି ସରକାର ଗଠନ ନେଇ ଆଲୋଚନା କରିଥିଲେ । ଏହା ସହିତ ଆଜିର ଦିନରେ ଏନ୍ସିପି ମୁଖ୍ୟ ଶରଦ ପଓ୍ବାର ଏବଂ ଏଲ୍ଜେଡି ନେତା ଶରଦ ଯାଦବଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏହି ସମସ୍ତ ନେତାଙ୍କୁ ଭେଟି ସାରିବା ପରେ ସନ୍ଧ୍ୟାରେ ଉତ୍ତର ପ୍ରଦେଶ ଗସ୍ତ କରି ବିଏସ୍ପି ସୁପ୍ରିମୋ ମାୟାବତୀ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିବା ଜଣା ପଡିଛି । ବିଜେପି ନେତୃତ୍ବାଧୀନ ଏନ୍ଡିଏ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ୍ ନମ୍ବର ହାସଲରେ ବିଫଳ ହେବ । ତେଣୁ ସରକାର ଗଠନ ପାଇଁ ଉପଯୁକ୍ତ ଯୋଜନା ପ୍ରସ୍ତୁତ ରଖିବା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ପ୍ରକାଶ କରିଛନ୍ତି ନାଇଡୁ । ସରକାର ଗଠନ ପାଇଁ ତୃଣମୂଳ ନେତ୍ରୀ ମମତା ବାନାର୍ଜୀଙ୍କ ସହିତ ମଧ୍ୟ ଆଲୋଚନାରତ ଅଛନ୍ତି ନାଇଡୁ ।