
ପାଟନା: ୨୦୨୪ ଲୋକସଭା ନିର୍ବାଚନ ବହୁତ ସମୟ ଅଛି। କିନ୍ତୁ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମିଶନ ୨୦୨୪ରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିୟୋଜିତ ଅଛନ୍ତି। ସେ ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରିବାକୁ ଚେଷ୍ଟା କରୁଛନ୍ତି। ପୁଣିଥରେ ସେ ଦିଲ୍ଲୀ ଗସ୍ତରେ ଅଛନ୍ତି। ରବିବାର ଦିନ ସେ ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ। ସାଥିରେ ଲାଲୁ ଯାଦବ ମଧ୍ୟ ଥିଲେ। ଏକ କାର୍ଯ୍ୟକ୍ରମରେ ମଧ୍ୟ ଉଭୟ ଭାଗ ନେଇଥିଲେ। ଏଥି ସହ ଆଜି ଆପ୍ନା ଦଳର ରାଷ୍ଟ୍ରୀୟ ସଭାପତି କୃଷ୍ଣା ପଟେଲଙ୍କୁ ଭେଟିଥିଲେ।
ନୂତନ ସରକାର ଗଠନ ପରେ ନୀତୀଶ କୁମାର ଏବଂ ସୋନିଆ ଗାନ୍ଧୀ ପ୍ରଥମ ଥର ପାଇଁ ସାକ୍ଷାତ କରିଛନ୍ତି। ସୋନିଆଙ୍କ ସହ ଲାଲୁ-ନୀତୀଶଙ୍କ ବୈଠକ ୨୦୨୪ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ବିରୋଧରେ ବିରୋଧୀ ଦଳମାନଙ୍କୁ ଏକଜୁଟ କରିବାର ପ୍ରୟାସ ଭାବରେ ଦେଖାଯାଉଛି।
ରବିବାର ଦିନ ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ନୀତୀଶ କୁମାର ଏବଂ ଲାଲୁ ପ୍ରସାଦ ଯାଦବ ମିଳିତ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଅନେକଙ୍କୁ ଜେଲରେ ରଖିବା ପାଇଁ ବିଜେପି କାର୍ଯ୍ୟ କରିଛି। ଦେଶରେ ମୁଦ୍ରାସ୍ଫୀତି, ବେକାରୀ ଏବଂ ଦାରିଦ୍ର୍ୟ ଶିଖରରେ ରହିଛି। ନୀତୀଶ କହିଛନ୍ତି ଯେ, ଆମେ ଦୁହେଁ ଏକାଠି ବସି ସୋନିଆ ଗାନ୍ଧୀଙ୍କ ସହ କଥା ହୋଇଛୁ। ଏବେ ଆମକୁ ଦେଶ ପାଇଁ ଏକାଠି କାମ କରିବାକୁ ପଡ଼ିବ। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଦେବୀ ଲାଲଙ୍କ ଜନ୍ମ ବାର୍ଷିକୀ ପାଳନ ପାଇଁ ହରିୟାଣାରେ ଭାରତୀୟ ଜାତୀୟ ଲୋକ ଦଳ (INLD) ଦ୍ୱାରା ଆୟୋଜିତ ଏକ ରାଲିରେ ନୀତୀଶ କୁମାର ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହି ସମୟ ମଧ୍ୟରେ ସେ କହିଛନ୍ତି ଯେ, ଯଦି ସମସ୍ତ ଅଣ-ବିଜେପି ଦଳ ଏକଜୁଟ ହୁଅନ୍ତି, ତେବେ ଦେଶକୁ ନଷ୍ଟ କରିବା ଲୋକଙ୍କ ଠାରୁ ମୁକ୍ତି ମିଳିପାରିବ।