୨୦୧୯ ନିର୍ବାଚନ ପାଇଁ ଗତକାଲି ମତଦାନ ସରିଯାଇଥିବା ବେଳେ ଆସନ୍ତା ୨୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। ହେଲେ ତା’ପୂର୍ବରୁ ଏକ୍ସିଟ୍ ପୋଲ୍ ଆକଳନକୁ ନେଇ ଭିନ୍ନ ଭିନ୍ନ ଫଳାଫଳ ଆସୁଛି। ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପିର ବରିଷ୍ଠ ନେତା ଦାମୋଦର ରାଉତ। ଓଡ଼ିଶାରେ ଏଥର ଝୁଲା ବିଧାନସଭା ହେବ ବୋଲି ମତ ରଖିଛନ୍ତି ଦାମୋଦର। ଓଡ଼ିଶାରେ ବିଜେପି ୫୫ରୁ ଅଧିକ ଆସନ ପାଇବ ବୋଲି କହିବା ସହିତ ବିଜେଡ଼ି ମ୍ୟାଜିକ୍ ନମ୍ବର ଛୁଇଁପାରିବା କଷ୍ଟକର ବୋଲି ସେ କହିଛନ୍ତି। ତେବେ ସରକାର ଗଢିବା ପାଇଁ ବିଜେଡ଼ି କଂଗ୍ରେସ ସହ ମେଣ୍ଟ କରିପାରନ୍ତି ବୋଲି କହିଛନ୍ତି ଦାମୋଦର ରାଉତ। ସେହିପରି ଏକ୍ସିଟ୍ ପୋଲ୍ ଆକଳନକୁ ନେଇ ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସପକ୍ଷରେ ଜନାଦେଶ ରହିବ। ବିଜେଡିର ଲୋକସଭା ସଂଖ୍ୟା କିଛି ହ୍ରାସ ହେବ। କିନ୍ତୁ ଆଗରେ ରହିବ। ବିଜେଡି ତଳକୁ ବିଜେପି ରହିବ। ବିଧାନସଭାରେ ବିଜେଡି ଗତଥର ଭଳି ସ୍ଥିତି ବଜାୟ ରଖିବ। ଓଡ଼ିଶାବାସୀ ନବୀନଙ୍କ ସପକ୍ଷରେ ଅଛନ୍ତି ଓ ଭୋଟ୍ ଦେଇଛନ୍ତି ବୋଲି ପ୍ରଫୁଲ୍ଲ କହିଛନ୍ତି। ତେବେ ଏକ୍ସିଟ୍ ପୋଲ୍ କେତେଦୂର ସତ୍ୟ ହେଉଛି, ତାହା ଆଗାମୀ ୨୩ ତାରିଖରେ ଜଣାପଡ଼ିବ।