ସାରା ରାଜ୍ୟରେ ଗ୍ରୀଷ୍ମର ପ୍ରଭାବ ଜାରି ରହିଛି। ପ୍ରବଳ ଖରା ସହ ଅସହ୍ୟ ଗୁଳୁଗୁଳି ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରୁଛି। ଏହି ଗ୍ରୀଷ୍ମ ପ୍ରବାହ ଆସନ୍ତା ୨୨ ଯାଏଁ ରହିବ ବୋଲି ଏସଆରସି ସୋମବାର ସୂଚନା ଦେଇଛନ୍ତି। ପଶ୍ଚିମ ଓଡ଼ିଶାର କିଛି ଜିଲାରେ ତାପମାତ୍ରା ବଢିବା ସହ ୨୨ ଯାଏଁ ସାରା ରାଜ୍ୟରେ ତାପମାତ୍ରା ଆହୁରି ବଢିବ ବୋଲି ସେ କହିଛନ୍ତି। ଜଳଛତ୍ର ସହ ଆନୁସଙ୍ଗିକ ବ୍ୟବସ୍ଥା କରିବା ପାଇଁ ମଧ୍ୟ ଏସଆରସି ବିଷ୍ଣୁପଦ ସେଠୀ ନିର୍ଦ୍ଦେଶ ଦେଇଛନ୍ତି। କିଛି ସହରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ରାଜ୍ୟର ଉତ୍ତପ୍ତ ସହର ଭାବେ ପରିଚିତ ଟିଟିଲାଗଡ଼ର ତାପମାତ୍ରା ୪୫ ଡିଗ୍ରୀ ଉପରେ ରହୁଛି। ଟଣା ଖରାରେ ବାହାରକୁ ନ ବାହାରିବା ପାଇଁ ଅନୁରୋଧ କରାଯାଇଛି। ନିଜର ସୁରକ୍ଷା ପାଇଁ ପାଣି ବୋତଲ ଓ ଛତା ବ୍ୟବହାର କରିବେ। ବର୍ତ୍ତମାନ ସୁଦ୍ଧା ଅଶୁଂଘାତରେ କାହାର ମୃତ୍ୟୁ ଘଟିଥିବା ନେଇ ସୂଚନା ଆସି ନାହିଁ।” ତେବେ ଚଳିତଥର ମୌସୁମୀ ଓଡ଼ିଶା ଉପକୂଳ ସପ୍ତାହେ ବିଳମ୍ବରେ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ତରଫରୁ ସୂଚନା ରହିଛି।