ଆଜି ହେଉଛି ଲୋକପ୍ରିୟ ଅଭିନେତା ମୋହନଲାଲ୍ଙ୍କର ୫୯ତମ ଜନ୍ମଦିବସ। ୧୯୬୦ ମସିହା ମେ ୨୧ ତାରିଖରେ କେରଳର ପଥନମ୍ଥିଟ୍ଟାର ଏଲାନ୍ପୁରରେ ଜନ୍ମ ହୋଇଥିଲେ ଏହି ଅଭିନେତା ଜଣକ। ତାଙ୍କ ପିତା ବିଶ୍ବନାଥ ନାୟାର କେରଳ ସରକାରଙ୍କ ଆଇନ ସଚିବ ଥିଲେ। କେରଳର ମହତ୍ମା ଗାନ୍ଧୀ କଲେଜରୁ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ମୋହନଲାଲ ୧୯୭୭ ଏବଂ ୭୮ରେ କେରଳ କୁସ୍ତିର ରାଜ୍ୟ ଚାମ୍ପିୟନ୍ ଥିଲେ। ୧୯୭୮ରେ ତାଙ୍କ ପ୍ରଥମ ମଲୟାଲମ୍ ଫିଲ୍ମ ‘ଥିରାନୋତ୍ତମ୍’ ରିଲିଜ୍ ହୋଇଥିଲା। ତେବେ ‘ମଂଜିଲ୍ ବ୍ରିନ୍ଜାଲ୍ ପୋକାଲ୍’ ଚଳଚ୍ଚିତ୍ରରେ ନକାରାତ୍ମକ ଚରିତ୍ରରେ ଅଭିନୟ କରି ବେଶ୍ ଚର୍ଚ୍ଚାକୁ ଆସିଥିଲେ। ମୋହନଲାଲ ନିଜ କ୍ୟାରିୟରେ ୫ଟି ଜାତୀୟ ପୁରସ୍କାର ହାସଲ କରିବା ସହିତ ଭାରତ ସରକାରଙ୍କ ପକ୍ଷରୁ ସମ୍ମାନଜନକ ପଦ୍ମଶ୍ରୀ (୨୦୦୧)ରେ ସମ୍ମାନିତ ହୋଇଥିବାବେଳେ ଭାରତୀୟ ଫିଲ୍ମ ଜଗତ ପାଇଁ ତାଙ୍କର ଉଲ୍ଲେଖନୀୟ ଅବଦାନ ତାଙ୍କୁ ଚଳିତ ବର୍ଷର ପଦ୍ମ ବିଭୂଷଣ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଛି। ୧୯୮୬ ରୁ ୨୦୦୦ ମସିହା ମଧ୍ୟରେ ମୋହନଲାଲ ନିଜ କ୍ୟାରିୟରରେ ଅବିଶ୍ବସନୀୟ ସଫଳତା ପାଇଥିଲେ। ଏହି ସମୟରେ ଏକାଧିକ ବକ୍ସ ଅଫିସ୍ ସଫଳତା ସହିତ ୪ଟି ଜାତୀୟ ପୁରସ୍କାର ହାସଲ କରିଥିଲେ। ମାଲାୟଲମ୍ ଇଣ୍ଡଷ୍ଟ୍ରିର ସର୍ବାଧିକ ଆୟକାରୀ ଫିଲ୍ମ ତାଲିକାରେ ପ୍ରଥମ ୪ ସ୍ଥାନରେ ମୋହନଲାଲଙ୍କ ଫିଲ୍ମ ରହିଛି। ନିକଟକରେ ରିଲିଜ୍ ହୋଇଥିବା ମୋହନଲାଲଙ୍କ ଫିଲ୍ମ ଲୁସିଫର ୨୦୦ କୋଟି ଅତିକ୍ରମ କରିଥିଲା। ୩୦୦ରୁ ଅଧିକ ଚଳଚିତ୍ରରେ ଅଭିନୟ କରିଥିବା ମୋହନ ଲାଲଙ୍କ ଅଭିନୀତ କିଛି ଶ୍ରେଷ୍ଠ ଚଳଚିତ୍ର ହେଉଛି କୀରିଦମ୍, ଭାରଥମ୍, ବାନପ୍ରସ୍ଥମ୍, ଜନତା ଗ୍ୟାରେଜ୍, ମୁନିଥ୍ରିଭଲ୍ଲିକାଲଥାଲିରକୁମ୍ବୋଲ, ପୁଲି ମୁରୁଗନ ଏବଂ ଲୁସିଫର। ମୋହନଲାଲ ନିଜର ଆଗାମୀ ଟ୍ରାଇ ଲାଙ୍ଗୁଆଲ ଫିଲ୍ମ କାପ୍ପାନ୍ରେ ନଜର ଆସୁଛନ୍ତି ୧୯୮୮ରେ ସୁଚିତ୍ରା ବାଲାଜୀଙ୍କୁ ମୋହନଲାଲ ବିବାହ କରିଥିବା ବେଳେ ତାଙ୍କ ପୁତ୍ର ପ୍ରଣବ ମଧ୍ୟ ମାଲାୟଲମ୍ ଇଣ୍ଡଷ୍ଟ୍ରୀରେ କାର୍ଯ୍ୟରତ ଅଛନ୍ତି।