ଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ୧୯ ଅକ୍ଟୋବର ୨୦୨୨ରେ ଦିଲ୍ଲୀର ଚାନ୍ଦିନୀ ଚୌକ ଠାରେ ସ୍ୱଚ୍ଛ ଭାରତ ୨୦୨୨ କାର୍ଯ୍ୟକ୍ରମ ଅଧୀନରେ ବୃହତ୍ ସ୍ୱଚ୍ଛତା ଅଭିଯାନର ଉଦ୍ଘାଟନ କରିବେ। ସମାନ ଧରଣର ସ୍ୱଚ୍ଛତା ଅଭିଯାନ ୧୯ ଅକ୍ଟୋବର ୨୦୨୨ରେ ସାରା ଦେଶର ସମସ୍ତ ଗ୍ରାମ ଗୁଡିକରେ ଚାଲୁ କରାଯିବ। ଏହାର ଉଦ୍ଦେଶ୍ୟ ହେଉଛି ଯୁବ ବ୍ୟାପାର ବିଭାଗ ତଥା ଏହାର ସହଯୋଗୀ ସଙ୍ଗଠନ ଗୁଡିକ, ଯଥା ଏନ୍ୱାଇକେଏସ୍ ଏବଂ ଏନ୍ଏସ୍ଏସ୍ ଦ୍ୱାରା ସ୍ୱଚ୍ଛ ଭାରତ ୨୦୨୨ କାର୍ଯ୍ୟକ୍ରମର ପ୍ରୟାସ ଗୁଡିକୁ ମଜଭୁତ କରିବା ଏବଂ ସାରା ଦେଶର ସମସ୍ତ ଗ୍ରାମ ଗୁଡିକରେ ଏହି ଭଳି କାର୍ଯ୍ୟକ୍ରମ ଆୟୋଜିତ କରି ଏହି ଅଭିଯାନରେ ଜନ ଭାଗୀଦାରୀକୁ ସୁନିଶ୍ଚିତ କରିବାର କାର୍ଯ୍ୟକୁ ଆହୁରି ଦ୍ରୁତ କରିବା।
ଏକ ଛୋଟ ଆରମ୍ଭ ମହାନ ଏବଂ ବଡ ବଡ ପରିବର୍ତ୍ତନ ଆଡକୁ ଆଗେଇ ନେଇ ଯାଇପାରେ। ଆଜାଦୀର ଅମୃତ ମହୋତ୍ସବ ଉପଲକ୍ଷରେ ଯୁବ ବ୍ୟାପାର ବିଭାଗ ଦ୍ୱାରା ଆରମ୍ଭ କରା ଯାଇଥିବା ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଏହି କଥାକୁ ପ୍ରମାଣିତ କରିଥାଏ।
ପ୍ରାୟ ୧୭ ଦିନ ପୂର୍ବରୁ, ଏକ ମାସର ଅବଧିରେ ଏକ କୋଟି କିଲୋଗ୍ରାମ୍ ଅବର୍ଜନା ସଂଗ୍ରହ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଥିଲା। ଏବେ ସୁଦ୍ଧା, ସାରା ଦେଶରେ ସମସ୍ତ ଜିଲ୍ଲା ଗୁଡିକର ଯୁବକ ମାନଙ୍କର ଏବଂ ଜୀବନର ବିଭିନ୍ନ କ୍ଷେତ୍ର ଗୁଡିକ ସହିତ ଯୋଡି ହୋଇଥିବା ଲୋକ ମାନଙ୍କ ପକ୍ଷରୁ ମିଳୁଥିବା ବହୁତ ସମର୍ଥନ ଏବଂ ପ୍ରତିକ୍ରିୟା ସହିତ ୬୦ ଲକ୍ଷ କିଲୋଗ୍ରାମ୍ରୁ ଅଧିକ ଆବର୍ଜନା ସଂଗ୍ରହ କରା ଯାଇଛି।
ଏହା ଗୋଟିଏ ପ୍ରକାରର ଟ୍ରେଣ୍ଡ ସେଟର୍ ଅଟେ। ଭିନ୍ନ ଭିନ୍ନ ପୃଷ୍ଠଭୂମି ଏବଂ ବିଭିନ୍ନ ପ୍ରକାରର ଲୋକ, ବିଶେଷ ରୂପରେ ଯୁବକ ମାନେ କେବଳ ଏହି କାର୍ଯ୍ୟକ୍ରମରେ ଭାଗ ନେଉ ନାହାନ୍ତି, ବରଂ ଅନ୍ୟ ମାନଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ରୂପରେ ସ୍ୱେଚ୍ଛାକୃତ ଭାବେ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ନିମନ୍ତେ ପ୍ରେରିତ ଏବଂ ପ୍ରୋତ୍ସାହିତ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି।
ସ୍ୱଚ୍ଛତା ଅଭିଯାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ’ ଙ୍କ ଦ୍ୱାରା ୨୦୧୪ ମସିହାରେ ଆରମ୍ଭ କରା ଯାଇଥିଲା ଏବଂ ସେବେ ଠାରୁ ଏହି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ଦେଖା ଯାଇ ପାରିଛି। ଏହି କାର୍ଯ୍ୟକ୍ରମ ନୂଆ ରୂପରେ କେନ୍ଦ୍ରିତ ଏବଂ ପ୍ରତିବଦ୍ଧତା ସହିତ ପ୍ରଧାନମନ୍ତ୍ରୀଙ୍କ ନେତ୍ୱତ୍ୱରେ ଆରମ୍ଭ କରା ଯାଇଥିବା ପଦକ୍ଷେପ ଅଟେ।
ସ୍ୱଚ୍ଛ ଭାରତ ଏକ ଯୁବା କେନ୍ଦ୍ରିତ ମଡେଲ୍। ଏହି କାର୍ଯ୍ୟକ୍ରମର ସଙ୍କଳ୍ପତା, ଲୋକ ମାନଙ୍କୁ ସଙ୍ଗଠିତ କରିବାର କାର୍ଯ୍ୟ ଏବଂ ଏହାର ସଫଳ କାର୍ଯ୍ୟାନ୍ୱୟନରେ ଯୁବକ ମାନଙ୍କର ମୁଖ୍ୟ ଭୂମିକା ସମ୍ପର୍କରେ ପରିକଳ୍ପନା କରା ଯାଇଛି। ସୀମା ଭିତରୁ ବାହାରି ବିକାଶର ମୁଖ୍ୟ ଧାରାରେ ଯୁବକ ମାନେ ଯୋଗ ଦେବା ଦେଶ ନିମନ୍ତେ ଶୁଭ ସଙ୍କେତ ଅଟେ।
ଯଦିଓ ଏହି କାର୍ଯ୍ୟକ୍ରମର ମୁଖ୍ୟ କେନ୍ଦ୍ର ଗ୍ରାମ ଅଟେ, କିନ୍ତୁ ଜନସଂଖ୍ୟାର ବିଶେଷ ବର୍ଗ, ଯେମିତିକି ଧାର୍ମିକ ସଙ୍ଗଠନ, ଶିକ୍ଷକ, କର୍ପୋରେଟ୍ ସଙ୍ଗଠନ, ମହିଳା ସମୂହ ଏବଂ ଅନ୍ୟ ଲୋକମାନେ ମଧ୍ୟ ଏଥିରେ ଭାଗ ନେଇ ଏହି ଲକ୍ଷ୍ୟ ପ୍ରତି ନିଜର ଏକତା ଦେଖାଉଛନ୍ତି ଏବଂ ଏହାକୁ ବାସ୍ତବରେ ଏକ ଜନ ଆନ୍ଦୋଳନରେ ପରିବର୍ତ୍ତନ କରୁଛନ୍ତି।
ସମାନ ଅଭିଯାନ ଐତିହାସିକ/ପ୍ରତିଷ୍ଠିତ ସ୍ଥାନ ଗୁଡିକରେ ଏବଂ ଅନ୍ୟାନ୍ୟ ହଟ୍ସ୍ପଟ୍ରେ, ଯେମିତି ପର୍ଯ୍ୟଟନ ସ୍ଥଳୀ, ବସ୍ ଷ୍ଟାଣ୍ଡ/ରେଳ ଷ୍ଟେସନ୍ ଗୁଡିକରେ, ଜାତୀୟ ରାଜପଥ ଏବଂ ଶୈକ୍ଷିକ ସଂସ୍ଥା ଗୁଡିକରେ ମଧ୍ୟ ଚାଲୁ କରା ଯାଉଛି।
ଏହି କାର୍ଯ୍ୟକ୍ରମ ଏହାର ସ୍ତର ଏବଂ ବ୍ୟାପକତା, ଦୁଇଟି ଦୃଷ୍ଟିରୁ ବିଶେଷ ଅଟେ ଏବଂ ଏହା ଯୁବକ ମାନଙ୍କ ଭାଗୀଦାରୀ ଦ୍ୱାରା ଜନ ଆନ୍ଦୋଳନର ମଡେଲ୍ ଉପରେ ପରିକଳ୍ପିତ କରା ଯାଇଛି ତଥା ଏହା ମାଧ୍ୟମରେ ଏହି କାର୍ଯ୍ୟକ୍ରମର ସଫଳତା ଏବଂ ନିରନ୍ତରତା ନିମନ୍ତେ ପ୍ରତ୍ୟେକ ନାଗରିକ ମାନଙ୍କର ଭୂମିକା ଏବଂ ଯୋଗଦାନକୁ ନିର୍ଦ୍ଧାରିତ କରା ଯାଇଛି। ସ୍ୱଚ୍ଛ ଭାରତ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ଏହା ସାଧାରଣ ଲୋକ ମାନଙ୍କର ବାସ୍ତବିକ ଚିନ୍ତାଧାରାକୁ ଏବଂ ଏହି ସମସ୍ୟା ଗୁଡ଼ିକୁ ଦୂର କରିବା ନିମନ୍ତେ ସେମାନଙ୍କର ସଙ୍କଳ୍ପକୁ ମଧ୍ୟ ଦର୍ଶାଇଥାଏ।
ଏହି ପଦକ୍ଷେପର ମୁଖ୍ୟ ପ୍ରେରକ ତତ୍ୱ ହେଉଛି ନିଜର ସୀମାକୁ ଭୂଲି ସମସ୍ତ ହିତଧାରକ ମାନଙ୍କ ମଧ୍ୟରେ ସମନ୍ୱୟ ଏବଂ ତାଳମେଳ ରକ୍ଷା କରିବା। ବିଭିନ୍ନ ବିଭାଗ/ଏଜେନ୍ସି ଗୁଡିକ, ସିବିଓ ଗୁଡିକ ଏବଂ ସିଭିଲ୍ ସୋସାଇଟି ସଙ୍ଗଠନ ଗୁଡିକ, ଏକକ ବ୍ୟବହୃତ ପ୍ଲାଷ୍ଟିକ୍ର ବ୍ୟବହାରକୁ ସମାପ୍ତ କରିବା ଏବଂ ସ୍ୱଚ୍ଛତାକୁ ସୁନିଶ୍ଚିତ କରିବାର ସାଧାରଣ ଲକ୍ଷ୍ୟକୁ ସାକାର କରିବା ନିମନ୍ତେ ସେମାନେ ସମସ୍ତେ ଏକାଠି ହୋଇଛନ୍ତି।
ଏହି ସ୍ୱଚ୍ଛ ଭାରତ ପଦକ୍ଷେପର ଯାତ୍ରା ଏନ୍ୱାଇକେଏସ୍ ଏବଂ ଏନ୍ଏସ୍ଏସ୍ର ସେହି ଲକ୍ଷ ଲକ୍ଷ ଯୁବ ସ୍ୱୟଂସେବକ ମାନଙ୍କର ସମର୍ଥନ ଏବଂ ଯୋଗଦାନ ବିନା ସମ୍ଭବ ହୋଇ ପାରି ନଥାନ୍ତା, ଯେଉଁମାନେ ସେବା ମନୋଭାବ ନେଇ ଲଗାତାର କାମ କରୁଛନ୍ତି।
ଏଭଳି ଲକ୍ଷ ଲକ୍ଷ ଯୋଦ୍ଧା ମଧ୍ୟ ଅଛନ୍ତି, ଯେଉଁମାନେ ସାମନାକୁ ନଆସୁଥିଲେ ବି ନିଜେ ସ୍ୱେଚ୍ଛାକୃତ ଭାବେ ସ୍ୱଚ୍ଛତା ଅଭିଯାନରେ ସାମିଲ୍ ହୋଇଛନ୍ତି ଏବଂ ବିନା କୌଣସି ପଦବୀ ଏବଂ ଦାବି ଉପସ୍ଥାପନ କରି ଏଥିରେ ଯୋଗଦାନ ଦେଇଛନ୍ତି। ସେମାନେ ଏହି ଅଭିଯାନର ପ୍ରକୃତ ହିରୋ ଅଟନ୍ତି।