ଭୋଟ ଗଣତିର ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି କରିବା ସହ ସେମାନଙ୍କୁ ହତୋତ୍ସାହିତ ନ ହେବାକୁ କହିଛନ୍ତି। ରାହୁଲ ଗାନ୍ଧି ଏକଜିଟ୍ ପୋଲ୍କୁ ଫେକ୍ ବୋଲି କହିଛନ୍ତି। ଏଥିସହ ସେ ଦଳୀୟ କର୍ମୀଙ୍କୁ ଆସନ୍ତା ୨୪ ଘଣ୍ଟା ପାଇଁ ସତର୍କ ରହିବା ସହ ନିର୍ଭୟ ଭାବେ କାର୍ଯ୍ୟ କରୁନ୍ତୁ ବୋଲି କହିଛନ୍ତି। ଏହାପୂର୍ବରୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ଏକଜିଟ୍ ପୋଲ୍ରେ ମୋଦିଙ୍କୁ ସମର୍ଥନ ମିଳିଥିବା ପ୍ରକାଶ ପାଇବା ପରେ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଏକଜିଟ୍ ପରିଣାମ ଉପରେ ବିଶ୍ବାସ ନରଖି କଂଗ୍ରେସ ଉପରେ ଭରସା ତଥା ଅନ୍ତିମ ଫଳାଫଳକୁ ଅପେକ୍ଷା କରିବାକୁ କହିଥିଲେ । ସେହିପରି ରାହୁଲ୍ ମଧ୍ୟ ଆଜି କଂଗ୍ରେସ ଉପରେ ଭରସା ରଖିବା ସହିତ ନିଜ ଉପରେ ଭରସା ରଖିବା ଉଚିତ୍ ବୋଲି କହିଛନ୍ତି । ଆପଣମାନଙ୍କର ପରିଶ୍ରମ ବେକାର ଯିବ ନାହିଁ ବୋଲି ରାହୁଲ୍ ଗାନ୍ଧି ଦଳୀୟ କର୍ମୀଙ୍କୁ କହିଛନ୍ତି । କଂଗ୍ରେସ ଚଳିତ ନିର୍ବାଚନରେ ଭଲ ଫଳ କରିବ ଦଳୀୟ କର୍ମୀଙ୍କୁ ସେ କହିଛନ୍ତି ।