ପ୍ରଥମ ମହିଳା ପାଇଲଟ୍‌ ଭାବରେ ଯୁଦ୍ଧବିମାନ ଉଡାଇବେ ଭାବନା କଣ୍ଠ

Published: May 23, 2019, 12:26 pm IST
bhavana kanth first fighter pilot

ଭାରତର ପ୍ରଥମ ମହିଳା ପାଇଲଟ ଭାବେ ଯୁଦ୍ଧବିମାନ ଉଡ଼ାଇବାରେ ଯୋଗ୍ୟତା ହାସଲ କରି ଇତିହାସ ରଚିଛନ୍ତି ଫ୍ଲାଇଟ ଲେଫ୍ଟନାଣ୍ଟ ଭାବନା କଣ୍ଠ। ସେ ପ୍ରଥମ ଥର ପାଇଁ ୨୦୧୮ ମାର୍ଚ୍ଚରେ ଏକୁଟିଆ ମିଗ୍‌-୨୧ ବାଇସନ୍‌ ଯୁଦ୍ଧବିମାନ ଉଡ଼ାଇଥିଲେ। ଇତିମଧ୍ୟରେ ସେ ଯୁଦ୍ଧ ସମୟରେ ବିମାନ ଉଡ଼ାଇବା ତାଲିମ ଶେଷ କରିଛନ୍ତି। ବୁଧବାର ସେ ଏ ବାବଦ ସ୍ବୀକୃତି ଲାଭ କରିଛନ୍ତି। ଦିନବେଳା ଯୁଦ୍ଧରେ ସେ ଏଣିକି ସାମିଲ ହୋଇପାରିବେ। ଭାବନା ସମ୍ପ୍ରତି ରାଜସ୍ଥାନର ବିକାନେରସ୍ଥିତ ନଲ୍‌ ବିମାନ ଘାଟିଠାରେ କାର୍ଯ୍ୟରତ ଅଛନ୍ତି। ରାତ୍ରିକାଳୀନ ଯୁଦ୍ଧବିମାନ ଉଡ଼ାଇବା ତାଲିମ ଗ୍ରହଣ ପରେ ସେ ରାତି ଯୁଦ୍ଧ ଅଭିଯାନରେ ମଧ୍ୟ ସାମିଲ ହୋଇପାରିବେ ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି। ନିଜର ନିଷ୍ଠା ବଳରେ ଭାବନା ଏହି କୃତିତ୍ବର ଅଧିକାରୀ ହୋଇଥିବା କହିଛନ୍ତି ବାୟୁସେନା ଅଧିକାରୀ ଅନୁପମ ବାନାର୍ଜୀ। ସୂଚନାଯୋଗ୍ୟ ଯେ ୨୦୧୬ ଜୁଲାଇରେ ଭାବନାଙ୍କ ସହିତ ଅବନି ଚତୁର୍ବେଦୀ ଓ ମୋହନା ସିଂହ ପ୍ରଥମ ମହିଳା ଭାବେ ‘ଫ୍ଲାଇଂ ଅଫିସର’ ଭାବେ ବାୟୁସେନାରେ ସାମିଲ ହୋଇଥିଲେ। ବର୍ଷକରୁ କମ୍‌ ସମୟ ମଧ୍ୟରେ ୨୦୧୭ ନଭେମ୍ବରରେ ସେ ପରୀକ୍ଷାମୂଳକ ଭାବେ ଯୁଦ୍ଧବିମାନ ଉଡ଼ାଇବାକୁ ସକ୍ଷମ ହୋଇଥିଲେ। ଏବେ ବାୟୁସେନା ପକ୍ଷରୁ ଦ୍ବିତୀୟ ଦଫାରେ ତିନି ଜଣ ମହିଳାଙ୍କୁ ଏଥିପାଇଁ ବଛାଯାଇଛି।

Related posts