ଡକ୍ଟର ଫକୀର ମୋହନ ନାହାକ
ନବମ ଭାରତୀୟ ବିଜ୍ଞାନ ଚଳଚ୍ଚିତ୍ର ମହୋତ୍ସବର ଆୟୋଜନ ଦାୟିତ୍ୱ ଥାଏ ଆମରି ଉପରେ। ମୋର କର୍ମସ୍ଥଳୀ ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟକୁ ଏହି ଦାୟିତ୍ୱ ଦିଆଯାଇଥିବାରୁ, ଏହାକୁ କିଭଳି ସୁଚାରୁ ରୂପେ ଆୟୋଜନ କରାଯାଇପାରିବ, ତାହା ଥିଲା ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ। କାର୍ଯ୍ୟକ୍ରମରେ ଦେଶର ସମସ୍ତ ରାଜ୍ୟରୁ ପ୍ରତିନିଧି ଓ ପ୍ରତିଯୋଗୀମାନେ ସାମିଲ ହୋଇଥାନ୍ତି। ଚୂଡ଼ାନ୍ତ ଚୟନକାରୀ ବିଶେଷଜ୍ଞମାନଙ୍କ ସହିତ ମୋତେ ସଂଯୋଗ କରାଯାଇଥିଲା। କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଯୋଗଦେବା ପାଇଁ ମୋତେ ସଅଳ ଘରୁ ବାହାରିବାକୁ ପଡ଼ିଲା।
ଘରୁ ଯାଇ ପ୍ରଥମ ଟ୍ରାଫିକ୍ ଛକ ପାର ହେବା ପାଇଁ ମୁଁ ସବୁଜ ସଂକେତକୁ ଅପେକ୍ଷା କରି ରହିଥାଏ ଏବଂ ନିଜ ସ୍ଥାନରେ ଠିଆ ହୋଇଥାଏ, ଏତିକିବେଳେ ଡାହାଣପଟୁ ଏକ କାର୍ ମୋତେ ଧକ୍କା ଦେଲା ଏବଂ ସେଠାରେ ହିଁ ମୁଁ ପଡ଼ିଯାଇଥିଲି। ତେବେ ସଂପୃକ୍ତ କାରର ଡ୍ରାଇଭର ମୋତେ ଉଠାଇବା ପରିବର୍ତ୍ତେ ନିଜ ରାସ୍ତାରେ ଦ୍ରୁତଗତିରେ ଚାଲିଗଲା। ଏପଟେ ମୋ ବାମ ହାତଟି ଯେ କଚଟି ପାଖରୁ ଭାଙ୍ଗି ଯାଇଥିଲା, ତାହା ମୁଁ ହଠାତ୍ ଅନୁଭବ କରିପାରିଲି ନାହିଁ। ସେପଟେ କାର୍ଯ୍ୟକ୍ରମରେ ଯେଭଳି କୌଣସି ବ୍ୟାଘାତ ନଘଟେ ସେଥିପାଇଁ ମୁଁ ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ପହଞ୍ଚି ଯାଇଥିଲି। ଏଣେ ମୋ ହାତର ଯନ୍ତ୍ରଣା ବଢୁଥାଏ।
ଏତିକିବେଳେ ହଠାତ୍ ଭାରତୀୟ ବିଜ୍ଞାନ ପ୍ରସାରର ଅଧ୍ୟକ୍ଷ ପ୍ରଫେସର ନକୁଳ ପରାଶରଙ୍କ ସହ ଆମ୍ନାସାମ୍ନା ହେଲା। ସେ ଥିଲେ ଏହି ଚଳଚ୍ଚିତ୍ର ମହୋତ୍ସବର ଉଦ୍ୟୋକ୍ତା। ପୂର୍ବରୁ ତାଙ୍କ ସହିତ କେବେ ଦେଖା ହୋଇନଥିଲା କି ପରିଚୟ ନଥିଲା। ତେବେ ସେ କଣ ଭାବିଲେ କେଜାଣି, ମୋତେ ଦେଖିବା ପରେ ହଠାତ୍ କହିଲେ ଜୟ ଜଗନ୍ନାଥ। ବାସ୍, ତା ପରେ ମନେ ହେଲା ସତେ ଯେମିତି ଆମେ ପରସ୍ପରକୁ ବର୍ଷ ବର୍ଷ ଧରି ଜାଣିଛୁ। ସେ ମୋତେ କହିଲେ, ଆପଣ ବ୍ୟସ୍ତ ହୁଅନ୍ତୁନି, ଜଗନ୍ନାଥଙ୍କ କୃପାରୁ ସବୁ ଠିକ୍ ହୋଇଯିବ।
ସେଦିନର କାର୍ଯ୍ୟକ୍ରମ ସୁରୁଖୁରୁରେ ସରିଗଲା। ବିଳମ୍ବିତ ରାତିରେ ଘରକୁ ଫେରିଲି। ଘରେ ମୋର ସାଢ଼େ ତିନି ବର୍ଷର ଝିଅ ନ ଶୋଇ ମୋ ଅପେକ୍ଷାରେ ରହିଥିଲା। ଯେତେବେଳେ ଶୁଣିଲା, ମୋର ଦୁର୍ଘଟଣାରେ ହାତଟି ଭାଙ୍ଗିଯାଇଛି, ସେ ମୋ ପାଖକୁ ଦୌଡ଼ି ଆସିଲା। କହିଲା, ବାବା, ତମ ହାତ ଭଲ ହୋଇଯିବ। ଦଦନାଥ (ଜଗନ୍ନାଥ) ଭଲ କରିଦେବେ। ତା ପରେ ଦେଖିଲା ବେଳକୁ, ସିଏ କୁଆଡ଼େ ଗାଏବ। ମୁଁ ଖୋଜିଲା ବେଳକୁ ମୋ ଝିଅ ଥିଲା ପୂଜା ଘରେ। ସେଇଠିଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ସମ୍ମୁଖରେ ଆଣ୍ଠୁମାଡ଼ି ବସି ପ୍ରାର୍ଥନା କରୁଛି। ତା ଦରୋଟି ଓଠରେ ସେ କହୁଛି, ଦଦନାଥ (ଜଗନ୍ନାଥ) ମୋ ବାବାର ହାତ ଭଲ କରିଦିଅ।
ମୁଁ ମୋ ଲୁହକୁ ନିୟନ୍ତ୍ରଣ କରିପାରିଲି ନାହିଁ। ଦୌଡ଼ି ଯାଇ କୋଳେଇ ଧରିଲି ମୋ ଝିଅକୁ। ସେ ମୋ ଆଖିରୁ ଲୁହ ପୋଛିଦେଇ କହୁଥିଲା, ବାବା ଦଦନାଥ (ଜଗନ୍ନାଥ) ଦେଖୁଛନ୍ତି, କାନ୍ଦନି। ହାତରେ ପ୍ଲାଷ୍ଟର ପଡ଼ିଲା। ତିନି ସପ୍ତାହ ପରେ ମୋ ହାତ ବି ଠିକ୍ ହୋଇଗଲା। କିନ୍ତୁ ସେବେଠାରୁ ମୋ ଝିଅ ଭିତରେ ଗୋଟିଏ ବିଶ୍ୱାସ ଆହୁରି ଅଧିକ ଦୃଢ଼ ହୋଇଗଲା ଯେ, ଯଦି କେବେବି ଆମେ କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତାହେଲେ ଜଗନ୍ନାଥ ଅଛନ୍ତି ଆମକୁ ସେହି ବିପତ୍ତିରୁ ଉଦ୍ଧାର କରିବା ପାଇଁ।
କହିବାର କଥା ହେଲା, ଜଗନ୍ନାଥ କେବଳ ଏକ ଶବ୍ଦ, ଏକ ବିଗ୍ରହ, ବା ଏକ ଧର୍ମୀୟ ଧାରଣା ନୁହେଁ। ଜଗନ୍ନାଥ ଏକ ଅନୁଭବ। ସେହି ଅନୁଭବ ହିଁ ତ କହେ, ପ୍ରଭୁ ଭାବକୁ ନିକଟ ଅଭାବକୁ ଦୂର। ଥରେ ମନ ଖୋଲି ନିଜ ମନକୁ ତାଙ୍କ ପାଖରେ ଅଜାଡ଼ି ଦେଇ ଦେଖ, କଣ ପ୍ରତ୍ୟୁତ୍ତର ଦେଉଛନ୍ତି ସେ। ଆମେ ସମୟର ଏମିତି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଅଛନ୍ତି ଯେ, ଯେଉଁଠି ଅଧିକାଂଶ ସମୟରେ ଆମେ ସ୍ଥିର କରିପାରୁନାହାନ୍ତି ପ୍ରକୃତ ଠିକ୍ କଣ? ବିଭିନ୍ନ ମାଧ୍ୟମରେ ପ୍ରତିଦିନ ଆମ ସାମ୍ନାକୁ ଆସୁଥିବା ତଥ୍ୟ ଆମକୁ ବିଭ୍ରାନ୍ତ କରେ। ଯାହା ଫଳରେ ଆମେ ଆମ ମୂଳଠୁ ଦୂରେଇ ଯାଉଛୁ।
କିନ୍ତୁ ଏହା ପ୍ରକୃଷ୍ଟ ସମୟ, ଆମ ଭିତରେ ପୁଣି ଥରେ ସେହି ଜଗନ୍ନାଥ ଚେତନା ଏବଂ ଅନୁଭବକୁ ଜାଗ୍ରତ କରିବା। ବିଶେଷକରି ଉତ୍ତର ପିଢ଼ିର ଆମ ଦାୟାଦମାନେ ଯଦି ସେହି ଚେତନାକୁ ମୂଳରୁ ହିଁ ଆପଣେଇ ନପାରିବେ, ତାହେଲେ ହୁଏତ ସେମାନଙ୍କ ଭିତରେ ସେହି ବିଶ୍ୱାସକୁ ଜାଗ୍ରତ କରାଇବା ଆମ ପକ୍ଷେ କଷ୍ଟକର ହୋଇପଡ଼ିବ। ପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କ ଭିତରେ ସେହି ଦିବ୍ୟ ଚେତନାକୁ ଜାଗ୍ରତ କରନ୍ତୁ। ଏତିକି ହିଁ ପ୍ରାର୍ଥନା।
(ଲେଖକ ହେଉଛନ୍ତି ବିଭାଗୀୟ ମୁଖ୍ୟ , ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ , ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ, ଫୋନ୍- 9937252464 )
Digital Art By – SuryaKanta