ଭାରସାମ୍ୟ ହରାଇ ଅଟୋକୁ ଧକ୍କା ଦେଲା ଟ୍ରାକ୍ଟର: ୫ ଛାତ୍ରଛାତ୍ରୀ ଗୁରୁତର, ଏମକେସିଜି ରେ ଭର୍ତ୍ତି

Published: Feb 9, 2023, 6:38 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଆଜି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘାଟିଯାଇଛି। ଛାତ୍ରଛାତ୍ରୀଙ୍କୁ ସ୍କୁଲ ନେଇ ଯାଉଥିବା ଅଟୋକୁ ଗୋଟିଏ ଟ୍ରାକ୍ଟର ଧକ୍କା ଦେଇଛି। ଯାହାଫଳରେ ୫ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତ ଛାତ୍ରଛାତ୍ରୀଙ୍କୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ସାନଖେମୁଣ୍ଡି ବ୍ଲକ ଛନମେରି ଆଦର୍ଶ ବିଦ୍ୟାଳୟକୁ ଏକ ଅଟୋରେ ୫ ଛାତ୍ରଛାତ୍ରୀ ଆଜି ସକାଳେ ଯାଉଥିଲେ। ଅଟୋଟି ସ୍କୁଲ ପାଖାପାଖି ହୋଇ ଯାଇଥିଲା। ମାତ୍ର ପଳାସପୁର କାଳୀ ମନ୍ଦିର ନିକଟରେ ହଠାତ୍‌ ଏକ ଇଟା ବୋଝେଇ ଟ୍ରାକ୍ଟର ଭାରସାମ୍ୟ ହରାଇ ଅଟୋକୁ ପିଟିଥିଲା। ଫଳରେ ଛାତ୍ରଛାତ୍ରୀମାନେ ଛିଟିକି ରାସ୍ତାରେ ଏଣେତେଣେ ପଡ଼ିଥିଲେ।

ତୁରନ୍ତ ସ୍ଥାନୀୟ ଲୋକେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଉତ୍ତ୍ୟକ୍ତ ଲୋକେ ଟ୍ରାକ୍ଟର ଚାଳକ ଓ ଅଟୋ ଚାଳକଙ୍କୁ ଅଟକ ରଖି ପୁଲିସ୍‌ ଜିମା ଦେଇଛନ୍ତି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related posts