ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର ଆଜି ନୂଆଦିଲ୍ଲୀ ଠାରେ ବିପର୍ଯ୍ୟୟ ବିପତ୍ତି ହ୍ରାସ ପାଇଁ ଜାତୀୟ ମଞ୍ଚ (ଏନପିଡିଆରଆର)ର ତୃତୀୟ ଅଧିବେଶନରେ ଉଦଯାପନୀ ସମାରୋହକୁ ସମ୍ବୋଧିତ କରିଛନ୍ତି। ଶ୍ରୀ ମିଶ୍ର ୨୦୧୩ ଠାରୁ ଏନପିଡିଆରଆର ସମସ୍ତ ତିନୋଟି ଅଧିବେଶନରେ ଅଂଶଗ୍ରହଣ କରି ଆସୁଛନ୍ତି। ଏହି କାର୍ଯ୍ୟକ୍ରମରେ ଆଲୋଚନା ପାଇଁ ମିଳୁଥିବା ଅଧିକ ସୁଯୋଗ ଏବଂ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ବିଚାରବିମର୍ଶକୁ ନେଇ ସେ ଖୁସି ବ୍ୟକ୍ତ କରିଥିଲେ। ସର୍ବଭାରତୀୟ ଉପସ୍ଥିତି କାରଣରୁ, ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନା ଅନୁରୂପ ବିପର୍ଯ୍ୟୟ ବିପତ୍ତି ହ୍ରାସକୁ ଏକ ଜନଆନ୍ଦୋଳନରେ ପରିଣତ କରିଛି ବୋଲି ଶ୍ରୀ ମିଶ୍ର କହିଥିଲେ।
ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ କହିଥିଲେ ଯେ, ସାମ୍ପ୍ରତିକ ସମୟରେ ବିପର୍ଯ୍ୟୟ ବିପତ୍ତି ବୃଦ୍ଧି ପାଇବା ସହିତ ନୂଆ ପ୍ରକାରର ବିପଦ ଆମ ସମ୍ମୁଖରେ ଉଭା ହେଉଛି। ଏଭଳି ଏକ ସମୟରେ ସ୍ଥାନୀୟ ସ୍ତରରେ ବିପର୍ଯ୍ୟୟ ବିପତ୍ତି ପରିଚାଳନା ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ଏନପିଡିଆରଆରର ଚଳିତ ଅଧିବେଶନର ବିଷୟବସ୍ତୁ ‘‘ପରିବର୍ତ୍ତିତ ଜଳବାୟୁରେ ସ୍ଥାନୀୟ ସ୍ତରରେ ସହନଶୀଳତା ନିର୍ମାଣ’’ ଉପରେ ଗୁରୁତ୍ବାରୋପ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ୧୦ ସୂତ୍ରୀ ଏଜେଣ୍ଡାରେ ସ୍ଥାନୀୟ କ୍ଷମତା ଓ ରଣନୀତି ପ୍ରସ୍ତୁତି ଏବଂ ବିଶେଷ କରି ବିପର୍ଯ୍ୟୟ ବିପତ୍ତି ପରିଚାଳନାରେ ମହିଳାଙ୍କ ନେତୃତ୍ବ ଉପରେ ଜୋର ଦିଆଯାଇଛି ବୋଲି ଶ୍ରୀ ମିଶ୍ର ସୂଚନା ଦେଇଥିଲେ। ଏହି ଅଧିବେଶନରେ ହୋଇଥିବା ବିଚାରବିମର୍ଶରୁ ଶିକ୍ଷା ଲାଭ କରିବା ଦ୍ବାରା ପ୍ରଧାନମନ୍ତ୍ରୀଙ୍କ ଦଶ ସୂତ୍ରୀ ଏଜେଣ୍ଡା ଓ ସେଣ୍ଡାଇ ଫ୍ରେମୱର୍କର କାର୍ଯ୍ୟକାରିତା ଦିଗରେ ସହାୟକ ହେବ।
ଅଂଶୀଦାରମାନଙ୍କ ଅନୁସରଣ ଲାଗି ଦୁଇଟି ବ୍ୟାପକ ବିଷୟ ସମ୍ପର୍କରେ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ। ପ୍ରଥମଟି ହେଉଛି, ରାଜ୍ୟ ଓ ଜିଲ୍ଲା ସ୍ତରରେ ବିପର୍ଯ୍ୟୟ ବିପତ୍ତି ପରିଚାଳନା ବ୍ୟବସ୍ଥାକୁ ପେସାଦାର ସ୍ବରୂପ ପ୍ରଦାନ କରିବା ଏବଂ ଦ୍ବିତୀୟରେ, ଜନସାଧାରଣଙ୍କ ଆବଶ୍ୟକତାକୁ ପୂରଣ କରୁଥିବା କାର୍ଯ୍ୟକ୍ରମ ଓ ହସ୍ତକ୍ଷେପ ବିକଶିତ କରିବା।
ପ୍ରଥମ ବିଷୟବସ୍ତୁ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ କହିଥିଲେ ଯେ, ଜାତୀୟ, ରାଜ୍ୟ ଏବଂ ଜିଲ୍ଲା ସମେତ ସବୁ ସ୍ତରରେ ବିପର୍ଯ୍ୟୟ ପ୍ରଶମନ ପରିଚାଳନାର ସମସ୍ତ ଦିଗକୁ ପେସାଦାର ପ୍ରଶିକ୍ଷଣ ହାସଲ କରିଥିବା କର୍ମଚାରୀଙ୍କ ଦ୍ବାରା ପରିଚାଳିତ ହେବା ଉଚିତ୍। ଏଥିରେ ଉଦ୍ଦେଶ୍ୟ ପୂରଣ କରୁଥିବା ବ୍ୟବସ୍ଥା ରହିବା ଆବଶ୍ୟକ। ଆହୁରି ପ୍ରଶାସନିକ ଭିତ୍ତିଭୂମି, ଆଧୁନିକ କାର୍ଯ୍ୟ ପରିସର ଏବଂ ଜରୁରିକାଳୀନ ଅପରେସନ ସେଣ୍ଟର ଭଳି ଜରୁରି ସୁବିଧା ପ୍ରସ୍ତୁତ କରାଯିବା ଆବଶ୍ୟକ ବୋଲି ଶ୍ରୀ ମିଶ୍ର କହିଥିଲେ। ଏହି ପେସାଦାର ବ୍ୟବସ୍ଥା ଏସଡିଏମଏସ ଏବଂ ଡିଡିଏମଏଗୁଡ଼ିକୁ କଭର କରିବା ଆବଶ୍ୟକ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ କହିଥିଲେ ଯେ, ଏନଡିଆରଏଫ ଏବଂ ଏସଡିଆରଏଫ ଭଳି ସଂଗଠନ ମୁଣ୍ଡ ଟେକିବା ପରେ ବିପର୍ଯ୍ୟୟ ମୁକାବିଲା ଯେଭଳି ଭାବେ ପେସାଦାର ହୋଇପାରିଛି ଠିକ ସେହିପରି ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ଓ ବିପର୍ଯ୍ୟୟ ପ୍ରଶମନକୁ ପେସାଦାର ସ୍ବରୂପ ପ୍ରଦାନ କରାଯିବାର ଆବଶ୍ୟକତା ରହିଛି। ଶ୍ରୀ ମିଶ୍ର କହିଥିଲେ ଯେ, ରାଜ୍ୟମାନଙ୍କ ପାଖରେ ଯଥେଷ୍ଟ ସମ୍ବଳ ରହିଛି ଏବଂ ସେମାନଙ୍କୁ ଏନଡିଏମଏ, ଏନଆଇଡିଏମ ଏବଂ ଏନଡିଆରଏଫ ଦ୍ବାରା ସମନ୍ବିତ ଢଙ୍ଗରେ ସହାୟତା ଯୋଗାଇ ଦିଆଯିବ।
କାର୍ଯ୍ୟକ୍ରମ ବିକାଶ ଉପରେ ଆଧାରିତ ଦ୍ବିତୀୟ ବିଷୟବସ୍ତୁ ଉପରେ ଗୁରୁତ୍ବାରୋପ କରି ଶ୍ରୀ ମିଶ୍ର କହିଥିଲେ ଯେ, ନୀତି ଓ କାର୍ଯ୍ୟକ୍ରମ ବିକଶିତ କରିବା ସମୟରେ ଆମକୁ ବିଭିନ୍ନ କ୍ଷେତ୍ରରେ କାମ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ବିପର୍ଯ୍ୟୟ ପ୍ରଶମନ, ପରିବେଶ, ଜଳ ଉତ୍ସ, ଶିକ୍ଷା, ସହରାଞ୍ଚଳ ପ୍ରଶାସନ, କୃଷି ଓ ଜନସ୍ବାସ୍ଥ୍ୟ କ୍ଷେତ୍ରରେ ମିଳିତ ପ୍ରୟାସ କରିବା ଜରୁରି ବୋଲି ସେ କହିଥିଲେ।
ବିପତ୍ତି ହ୍ରାସ ପାଇଁ ଆମର ନିୟମିତ କାର୍ଯ୍ୟକ୍ରମଗୁଡ଼ିକ କିଭଳି ଭାବେ କାର୍ଯ୍ୟକାରୀ କରିବାକୁ ହେବ ଯେପର୍ଯ୍ୟନ୍ତ ଆମେ ତାହା ଜାଣିପାରିବା ନାହିଁ ସେପର୍ଯ୍ୟନ୍ତ ବିପର୍ଯ୍ୟୟ ବିପତ୍ତି ପ୍ରଶମନକୁ ମୁଖ୍ୟଧାରାକୁ ଆଣିବା ସମ୍ଭବ ନୁହେଁ। ଏହି ପରିପ୍ରେକ୍ଷୀରେ ଉପଯୁକ୍ତ ପରିସ୍ଥିତିକୁ ଧ୍ୟାନରେ ରଖି ଆନ୍ତଃକ୍ଷେତ୍ରୀୟ କାର୍ଯ୍ୟକ୍ରମ ବିକଶିତ କରିବା ଲାଗି ବିଚାର କରିବା ନିମନ୍ତେ ପ୍ରମୁଖ ସଚିବ ଏନଡିଏମଏକୁ ପରାମର୍ଶ ଦେଇଥିଲେ।
ବୃତ୍ତିଗତ କାର୍ଯ୍ୟ ଏବଂ କାର୍ଯ୍ୟକ୍ରମ ବିକାଶ ପାଇଁ ଉପଲବ୍ଧ ସମ୍ବଳକୁ ନେଇ ସେ ସନ୍ତୋଷ ବ୍ୟକ୍ତ କରିଥିଲେ । ଶ୍ରୀ ମିଶ୍ର ଆହୁରି କହିଥିଲେ ଯେ,ବାତ୍ୟା, ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମି ନିର୍ମାଣ ଭଳି ଘଟଣା କ୍ଷେତ୍ରରେ ପ୍ରଯୁକ୍ତିକୁ ଉପଯୋଗ କରାଯାଇ ବିପର୍ଯ୍ୟୟ ପ୍ରଶମନ ଉପକରଣ ଏବଂ ପଦ୍ଧତିକୁ ଆହୁରି ପ୍ରଭାବୀ କରାଯାଇପାରିବ । ସେ କହିଥିଲେ ଯେ ଆସନ୍ତା ୩ ବର୍ଷ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଏବଂ ଆମ ସମସ୍ତେ ଏକାଗ୍ରଚିତ୍ତ ହୋଇ ଏ ଦିଗରେ ଚେଷ୍ଟା କରିବା ଉଚିତ୍ ।
ସେଣ୍ଡାଇ ଫ୍ରେମୱାର୍କର କାର୍ଯ୍ୟକାରିତା ଧିମେଇ ଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ସବୁ ଅଂଶୀଦାରମାନଙ୍କୁ ଏ ଦିଗରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ ଆଉ ଗୋଟିଏ ସପ୍ତାହ ମଧ୍ୟରେ ଏହି ଫ୍ରେମୱାର୍କକୁ ଆଠ ବର୍ଷ ପୂରଣ ହେବ । ୧୫ ବର୍ଷର ଅବଧି ବିଶିଷ୍ଟ ଏହି ଫ୍ରେମୱାର୍କର ଅଧାରୁ ଅଧିକ ସମୟ ଶେଷ ହୋଇସାରିଛି, କିନ୍ତୁ ବିଶ୍ବ ଏହି ଲକ୍ଷ୍ୟ ହାସଲ ଠାରୁ ବହୁ ପଛରେ ପଡ଼ିଯାଇଛି । ଅଧିକ ସହନଶୀଳ ସମୁଦାୟ ସହିତ ଏକ ନିରାପଦ ଦେଶ ଏବଂ ନିରାପଦ ବିଶ୍ବ ନିର୍ମାଣ ଦିଗରେ କାର୍ଯ୍ୟ କରିବା ଲାଗି ବିପର୍ଯ୍ୟୟ ବିପତ୍ତି ପ୍ରଶମନ ବ୍ୟବସ୍ଥାକୁ ଆମେ ଆହୁରି ପ୍ରଭାବୀ, ଅଧିକ ମୁକାବିଲାକ୍ଷମ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ମିଶ୍ର କହିଥିଲେ ।