ବିଜେପିର ନୂଆ ସଭାପତିଙ୍କୁ ଶୁଭେଚ୍ଛା ଦେଲେ ବିଦାୟୀ ସଭାପତି

Published: Mar 23, 2023, 6:36 pm IST

ଭୁବନେଶ୍ୱର : ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡା ଆଜି ରାଜ୍ୟ ସଭାପତି ଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀ ମନମୋହନ ସାମଲଙ୍କୁ ନିଯୁକ୍ତି ଦେଇଛନ୍ତି। ନବନିଯୁକ୍ତ ରାଜ୍ୟ ସଭାପତି ଶ୍ରୀ ସାମଲଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି। ଏଥି ସହ ଶ୍ରୀ ମହାନ୍ତି ବିଜେପିର ସମସ୍ତ କାର୍ଯ୍ୟକର୍ତା, ସହଯୋଗୀ, ଗଣମାଧ୍ୟମ ଓ ଶୁଭେଚ୍ଛୁଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଆଭ୍ୟନ୍ତରୀଣ ଗଣତନ୍ତ୍ର ଆଉ ସମ୍ବିଧାନ ଥିବା ଭାରତୀୟ ଜନତା ପାର୍ଟୀ ହେଉଛି ବିଶ୍ୱର ସର୍ବବୃହତ ଓ ଏକ ନମ୍ବର ରାଜନୈତିକ ପାର୍ଟୀ। ଏହାର ସଦସ୍ୟ ୧୮ କୋଟିରୁ ଉର୍ଦ୍ଧ୍ୱ। ଗତ ୨୦୨୦ ମସିହା ଜାନୁଆରୀ ୧୭ ତାରିଖ ଦିନରୁ ରାଜ୍ୟ ସଭାପତି ଭାବେ ଦାୟୀତ୍ୱ ତୁଲାଇ ଆସୁଥିବା ଶ୍ରୀ ମହାନ୍ତିଙ୍କ ଗତ ଜାନୁଆରୀ ମାସରେ କାର୍ଯ୍ୟକାଳ ଅବଧି ପୁରଣ ହୋଇସାରିଥିଲା। ଗତ ୩ବର୍ଷର ଅବଧିରେ ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ପାର୍ଟୀ କୋଭିଡ ସଂକଟର ମୁକାବିଲା କରିବା ସହିତ ଧାମନଗର ଉପନିର୍ବାଚନରେ ପାର୍ଟୀକୁ ବିଜୟୀ କରାଇଥିଲେ।

ରାଜ୍ୟର ପ୍ରମୁଖ ବିରୋଧୀ ଦଳ ଭାବେ ଏବଂ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଲୋକଙ୍କ ସ୍ୱରକୁ ଶାଣିତ ଭାବେ ଉପସ୍ଥାପନା କରୁଥିବା ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ପାର୍ଟି ଅନେକ ଉପନିର୍ବାଚନରେ ପାର୍ଟୀର ସ୍ଥିତିକୁ ସୁଦୃଢ କରିବାରେ ସଫଳ ହୋଇଥିଲେ।
ନବନିଯୁକ୍ତ ରାଜ୍ୟ ସଭାପତି ଶ୍ରୀ ସାମଲଙ୍କ ନେତୃତ୍ୱରେ ଆଗାମୀ ଦିନରେ ପାର୍ଟୀର ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ସହ ରାଜ୍ୟରେ ଶାସକ ବିଜୁ ଜନତା ଦଳର ବିକଳ୍ପ ହେବ ବୋଲି ଶ୍ରୀ ମହାନ୍ତି ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଏହି ଅବସରରେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଗୋଲକ ମହାପାତ୍ର, ଡ.ଲେଖାଶ୍ରୀ ସମାନ୍ତସିଂହାର ଓ ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Related posts