Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନାଗରିକ ସମ୍ମାନ ସମାରୋହ: ଜାଣନ୍ତୁ ଓଡ଼ିଶାର କାହାକୁ ମିଳିଲା ପଦ୍ମଶ୍ରୀ ପୁରସ୍କାର
ଆଜିର ଖବର

ନାଗରିକ ସମ୍ମାନ ସମାରୋହ: ଜାଣନ୍ତୁ ଓଡ଼ିଶାର କାହାକୁ ମିଳିଲା ପଦ୍ମଶ୍ରୀ ପୁରସ୍କାର

April 6, 2023No Comments6 Mins Read
Share Facebook Twitter LinkedIn Email WhatsApp Copy Link
padmashree

ନୂଆଦିଲ୍ଲୀ: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ନାଗରିକ ସମ୍ମାନ ସମାରୋହରେ ଓଡ଼ିଶାର ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ, ଡକ୍ଟର କ୍ରିଷ୍ଣା ପଟେଲଙ୍କୁ କଳା କ୍ଷେତ୍ରରେ ଏବଂ ବୈଦ୍ୟ ପଟାୟତ କୁମାର ସାହୁଙ୍କୁ କୃଷି କ୍ଷେତ୍ରରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି।

ପୁରସ୍କାର ବିଜେତାଙ୍କ ଜୀବନ ଓ କାର୍ଯ୍ୟ ବିଷୟରେ ଏକ ବିସ୍ତୃତ ବିବରଣୀ ନିମ୍ନରେ ଦିଆଗଲା–

ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି

ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ର ଜଣେ ପ୍ରତିଷ୍ଠିତ ଓଡ଼ିଆ ସାହିତ୍ୟିକ, ବିଶିଷ୍ଟ ସ୍ତମ୍ଭକାର ଏବଂ ଗବେଷକ। ସେ ପ୍ରାୟ ପାଞ୍ଚ ଦଶନ୍ଧି ଧରି ଓଡ଼ିଆ ଭାଷା, ବ୍ୟାକରଣ, ସଂସ୍କୃତି ଓ ଇତିହାସ ଅଧ୍ୟୟନରେ ଯୋଗଦାନ ଦେଇ ଆସୁଛନ୍ତି। ନିଜେ ଜଣେ ଦିବ୍ୟାଙ୍ଗ ହୋଇଥିବା ସତ୍ତ୍ୱେ, ସେ ଓଡ଼ିଆକୁ ଏକ ଶାସ୍ତ୍ରୀୟ ଭାଷା ମାନ୍ୟତା ଦେବା ଲାଗି କ୍ରମାଗତ ଭାବେ ଭିନ୍ନ ଭିନ୍ନ ଗବେଷଣା ନିବନ୍ଧ ଓ ପୁସ୍ତକ ଲେଖିଛନ୍ତି। ଓଡ଼ିଆ ଭାଷା ଉପରେ ତାଙ୍କର ଅଧିକାଂଶ ବିଚାର, ଗବେଷଣା କାର୍ଯ୍ୟ ଏବଂ ରଚନା ଅନ୍ୟ ବୌଦ୍ଧିକ ଗବେଷଣା ବିଦ୍ୱାନ ଏବଂ ଓଡ଼ିଆପ୍ରେମୀଙ୍କ ଆଖି ଖୋଲି ଦେଇଥିଲା। ସରକାରଙ୍କ ଦ୍ୱାରା ଓଡ଼ିଆକୁ ଏକ ଶାସ୍ତ୍ରୀୟ ଭାଷା ରୂପରେ ଘୋଷଣା କରାଯିବା ପୂର୍ବରୁ, ୨୦୧୩ରେ ତାଙ୍କର ଏକ ଗବେଷଣା ପୁସ୍ତକ ‘‘ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା’’ ପ୍ରକାଶ ପାଇଥିଲା। ଏଥିରେ ସେ ଏକ ଶାସ୍ତ୍ରୀୟ ଭାଷା ଭାବେ ଓଡ଼ିଆ ଭାଷାର ବିକାଶ ଓ ଅଭିବୃଦ୍ଧି ସମେତ ଐତିହାସିକ ଅଧ୍ୟୟନଗୁଡ଼ିକର ଅବତାରଣା କରିଥିଲେ।

ଡକ୍ଟର ମିଶ୍ର ୧୯୫୦ ମସିହା ଜୁଲାଇ ୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ସେ ଏକ ଭାଷା ଭିତ୍ତିକ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଓ ଓଡ଼ିଆ ଭାଷାର ଶାସ୍ତ୍ରୀୟତା ଭଳି ମହତ ଉଦ୍ଦେଶ୍ୟ ନେଇ ସଂଖ୍ୟାଧିକ ସ୍ତମ୍ଭ ଲେଖିଥିଲେ, ଏଥିରେ ପ୍ରଭାବିତ ହୋଇ ଓଡ଼ିଶା ସରକାର ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ଏକ ରିପୋର୍ଟ ପ୍ରସ୍ତୁତ କରିବା ନିମନ୍ତେ ଏକ ସ୍ୱତନ୍ତ୍ର କମିଟି ଗଠନ କରିଥିଲେ।

ଡକ୍ଟର ମିଶ୍ରଙ୍କୁ ଲଗାତାର ରାଜ୍ୟ ସରକାରଙ୍କ ଦ୍ୱାରା ‘‘ଓଡ଼ିଶା ସାହିତ୍ୟ ଏକାଡେମୀ’’ର ସଦସ୍ୟ ଭାବେ ମନୋନିତ କରାଯାଇଛି ଏବଂ ନିକଟରେ ସେ ‘‘କେନ୍ଦ୍ର ସାହିତ୍ୟ ଏକାଡେମୀ’’ର ସଦସ୍ୟ ଭାବେ ମନୋନିତ ହୋଇଛନ୍ତି। ସେ ଓଡ଼ିଆ ଭାଷା ପ୍ରତିଷ୍ଠାନ ଦ୍ୱାରା ପ୍ରକାଶିତ ‘‘ଓଡ଼ିଆ ଭାଷାର ଇତିବୃତ୍ତ’’ର ସହ ଲେଖକ ଏବଂ ଓଡ଼ିଶାର ୩୦ ଜିଲ୍ଲା ଉପରେ ପ୍ରକାଶିତ ଅଧ୍ୟାୟ ‘‘ଓଡ଼ିଶାର ସାଂସ୍କୃତିକ ଐତିହ୍ୟ’’ର ସହ ସମ୍ପାଦକ ଅଛନ୍ତି ଏବଂ ଏହି ଅଧ୍ୟାୟରେ ବିଭିନ୍ନ ଗବେଷଣା ସ୍ତମ୍ଭ ଲେଖିଛନ୍ତି।

ସ୍ୱାଧୀନତା ସଂଗ୍ରାମୀ ସତ୍ୟବାଦୀ ମିଶ୍ରଙ୍କ ପୁତ୍ର ଡକ୍ଟର ମିଶ୍ରଙ୍କ ପିଲାଟି ଦିନରୁ ସାହିତ୍ୟ ପ୍ରତି ରୁଚି ରହିଥିଲା। ଛାତ୍ରାବସ୍ଥାରୁ ସେ ଆଧ୍ୟାତ୍ମିକତା ପ୍ରତି ଆକୃଷ୍ଟ ହୋଇଥିଲେ। ଜୀବନର ପରବର୍ତ୍ତୀ ପର୍ଯ୍ୟାୟରେ ସେ ଜଣେ ମହାନ ଗବେଷକ, ବକ୍ତା, ସ୍ତମ୍ଭକାର, ଆଧ୍ୟାତ୍ମିକ ପ୍ରବକ୍ତା ଏବଂ ପେସାଦାର ସମୀକ୍ଷକ ଭାବେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ଓଡ଼ିଆ ଭାଷାର ପ୍ରାଚୀନତା ଏବଂ ଶାସ୍ତ୍ରୀୟ ଗୁଣାବଳୀର ବିଭିନ୍ନ ଦିଗକୁ ପ୍ରତିଷ୍ଠିତ କରିବା କ୍ଷେତ୍ରରେ ତାଙ୍କର ନିରନ୍ତର ପ୍ରୟାସ ପ୍ରଶଂସନୀୟ। ତାଙ୍କର ଦିବ୍ୟ ପ୍ରବଚନ ମୌଳିକ ଆଧ୍ୟାତ୍ମିକ ଏବଂ ଦାର୍ଶନିକ ସିଦ୍ଧାନ୍ତରେ ପରିପୂର୍ଣ୍ଣ ଏବଂ ତାହା ଦିବ୍ୟ ଅନୁଭୂତି ପ୍ରଦାନ କରିଥାଏ। ନିଜର ରଚନା, ସମାଲୋଚନା, ଗବେଷଣାତ୍ମକ ନିବନ୍ଧ ଏବଂ ପ୍ରବଚନ ମାଧ୍ୟମରେ ସେ ଆନ୍ତରିକ ସତ୍ୟ, ଲୁଚି ରହିଥିବା ସାରାଂଶ ଓ ଅନ୍ତର୍ନିହିତ ରହସ୍ୟକୁ ଉଜାଗର କରିଛନ୍ତି। ସେ ଶ୍ରୀ ଜଗନ୍ନାଥ ସଂସ୍କୃତି, ରାମାୟଣ, ଶ୍ରୀମଦ ଭଗବତ ଗୀତା, ଶ୍ରୀମଦ ଭାଗବତ ଏବଂ ବେଦ ବେଦାନ୍ତର ଜଣେ ଲୋକପ୍ରିୟ ପ୍ରଚାରକ।

‘‘ଶାସ୍ତ୍ରୀୟ ଓଡ଼ିଆ’’ ଭାଷା ଉପରେ ତାଙ୍କର ସ୍ତମ୍ଭ, ଗବେଷଣା ଓ ପୁସ୍ତକ ରଚନା ପାଇଁ ଡକ୍ଟର ମିଶ୍ରଙ୍କୁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ଡି.ଲିଟ୍‌ ଉପାଧିରେ ଭୂଷିତ କରାଯାଇଛି। ଶାସ୍ତ୍ରୀୟ ଓଡ଼ିଆ ଭାଷା ପ୍ରତି ଯୋଗଦାନ ପାଇଁ ତାଙ୍କୁ ୨୦୧୯ ବର୍ଷ ପାଇଁ ‘‘ରାଷ୍ଟ୍ରପତିଙ୍କ ମାନପତ୍ର’’ରେ ସମ୍ମାନିତ କରାଯାଇଥିଲା।

କଳା କ୍ଷେତ୍ରରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଡକ୍ଟର କ୍ରିଷ୍ଣା ପଟେଲ

ଡକ୍ଟର କ୍ରିଷ୍ଣା ପଟେଲ ଜଣେ ଲୋକପ୍ରିୟ ଏବଂ ବହୁମୁଖୀ ଲୋକଗାୟିକା। ସେ ୧୯୭୮ ମସିହାରେ ନିଜର ସର୍ବାଦୃତ ସମ୍ବଲପୁରୀ ଗୀତ ‘‘ରଙ୍ଗବତୀ ରଙ୍ଗବତୀ’’ ମାଧ୍ୟମରେ ସମ୍ବଲପୁରୀ ଲୋକ ସଙ୍ଗୀତକୁ ସାରା ବିଶ୍ୱରେ ଲୋକପ୍ରିୟ କରାଇପାରିଥିଲେ।

ଡକ୍ଟର ପଟେଲ ୨୯ ନଭେମ୍ବର ୧୯୫୮ରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମା’ ଥିଲେ ଜଣେ ଗାୟିକା। ସେ ପିଲାଟି ଦିନରୁ ମା’ଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ତାଙ୍କ ଠାରୁ ‘ଚୌପଦୀ’ ଓ ‘ଜଣାଣ’ ଗାଇବା ଶିଖିଥିଲେ। ପରବର୍ତ୍ତୀ ସମୟରେ ସେ ଔପଚାରିକ ଭାବେ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ। ବିଶିଷ୍ଟ ଲୋକ ଗାୟକ ସ୍ୱର୍ଗତ ଗୁରୁ ଫକୀର ମୋହନ ପଟ୍ଟନାୟକ, ଗୁରୁ ଅରୁଣ ପ୍ରସନ୍ନ ସେଠ, ଗୁରୁ ପ୍ରଦୀପ ପାତ୍ର, ଗୁରୁ ପ୍ରଭୁଦତ୍ତ ପ୍ରଧାନ ଏବଂ ଗୁରୁ ପ୍ରଫୁଲ ମିତ୍ରଙ୍କ ଠାରୁ ସେ ସଙ୍ଗୀତ ଶିଖିଥିଲେ। ୧୯୭୦ ମସିହାରେ ତାଙ୍କୁ ସମ୍ବଲପୁର ସ୍ଥିତ ଆକାଶବାଣୀରେ ଜଣେ ‘ବି’ ଗ୍ରେଡ କଳାକାର ଭାବେ ମାନ୍ୟତା ମିଳିଥିଲା ଏବଂ ପରବର୍ତ୍ତୀ ସମୟରେ ସେ ‘ଏ’ ଗ୍ରେଡ୍‌ କଳାକାର ଭାବେ ପଦୋନ୍ନତି ପାଇଥିଲେ । ତାଙ୍କର ପ୍ରଥମ ସଙ୍ଗୀତ ‘ଯା ଯା କଳା ଭମର….’’ ସମ୍ବଲପୁରୀ ଭାଷାରେ ରେକର୍ଡ ହୋଇ ପ୍ରସାରିତ ହୋଇଥଲା। ବିନୋଦ ପଶାୟତ ଏହି ଗୀତ ରଚନା କରିଥିଲେ। ଏହାପରେ ରାମପ୍ରସାଦ ପୁରୋହିତଙ୍କ ରଚିତ ‘‘ମନ ବଗିଚା ଥି ଫୁଟିଛେ ମଲି…’’, ଜିତେନ୍ଦ୍ର ହରିପାଲଙ୍କ ସହିତ ମିଶି ଗାଇଥିବା ଲୋକପ୍ରିୟ ଯୁଗଳ ସଙ୍ଗୀତ ‘ଆୟେ ମାଲତୀ ସୁନା ଗୁରୀ ରେ…’’, ‘‘ଆହା ରେ ଲରି ମଟର…’’ ଭଳି ଅନେକ ଗୀତ ତାଙ୍କୁ ପଶ୍ଚିମ ଓଡ଼ିଶାର କୋକିଳକଣ୍ଠୀ ଭାବେ ପରିଚିତ କରିଥିଲା।

ଘରେ ଘରେ ପରିଚିତ ସମ୍ବଲପୁରୀ ଯୁଗଳ ସଙ୍ଗୀତ ‘‘ରଙ୍ଗ ବତୀ ରଙ୍ଗ ବତୀ….’’ ଡକ୍ଟର ପଟେଲଙ୍କୁ ବିଶେଷ ପ୍ରସିଦ୍ଧି ଆଣି ଦେଇଥିଲା। ୧୯୭୬-୭୭ ମସିହାରେ ଏହି ଗୀତ ପ୍ରଥମେ ସମ୍ବଲପୁର ଆକାଶବାଣୀ ଦ୍ୱାରା ରେକର୍ଡ କରାଯାଇଥିଲା। ଏଥିରେ କଣ୍ଠଦାନ କରିଥିବା କ୍ରୀଷ୍ଣା ପଟେଲ ଏବଂ ତାଙ୍କର ସହଗାୟକ ପଦ୍ମଶ୍ରୀ ପୁରସ୍କାର ବିଜେତା ଜିତେନ୍ଦ୍ର ହରିପାଲ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିଲେ। ପରବର୍ତ୍ତୀ ସମୟରେ ୧୯୭୯-୮୦ ମସିହାରେ ରଙ୍ଗବତୀ ଗୀତକୁ କୋଲକାତାର ଇଣ୍ଡିଆନ ରେକର୍ଡ କମ୍ପାନୀ (ଆଇଏନଇଆରସିଓ) ପାଇଁ ହିନ୍ଦୁସ୍ତାନ ରେକର୍ଡସ୍‌ ପକ୍ଷରୁ ପୁନର୍ବାର ରେକର୍ଡ କରାଯାଇଥିଲା। ରଙ୍ଗବତୀ ଗୀତ ବିବିସି ଲଣ୍ଡନ ଏବଂ ରୁଷ ସମେତ ବିଶ୍ୱର ବିଭିନ୍ନ ରେଡିଓ ଷ୍ଟେସନରେ ରେକର୍ଡ ହୋଇଥିବା କୁହାଯାଏ। ଜାତୀୟ ସାଧାରଣତନ୍ତ୍ର ଦିବସ ପରେଡରେ ଏହି ଗୀତ ବାଜିବା ଫଳରେ ଓଡ଼ିଶାକୁ ସମ୍ମାନ ଓ ପ୍ରତିଷ୍ଠା ମିଳିଥିଲା। ଏହି ଗୀତକୁ ସମ୍ମାନ ଜଣାଇବା ଲାଗି ଓଡ଼ିଶା ସରକାର ‘ରଙ୍ଗବତୀ ଉତ୍ସବ’ ନାମକ ଏକ ମହୋତ୍ସବ ପ୍ରତି ବର୍ଷ ଆୟୋଜନ କରି ଆସୁଛନ୍ତି ଏବଂ ଗୀତର ରଚୟିତା ମିତ୍ରଭାନୁ ଗୌନ୍ତିଆଙ୍କ ପୈତୃକ ଗ୍ରାମକୁ ‘‘ରଙ୍ଗବତୀ ବିଲୁଙ୍ଗ’’ ନାମ ଦିଆଯାଇଛି।

୧୯୮୭ ମସିହାରେ ଅନୁଷ୍ଠିତ ମସ୍କୋ ଫେଷ୍ଟିଭାଲ, ୧୯୮୮ ଓ ୧୯୯୯ରେ ଆଣ୍ଡାମାନ ଓ ନିକୋବାର ଦ୍ୱୀପସମୂହରେ ଅନୁଷ୍ଠିତ ଦ୍ୱୀପ ମହୋତ୍ସବ, ୨୦୦୦ ମସିହାରେ ଅନୁଷ୍ଠିତ ଫେଟ-ଡି-ପଣ୍ଡିଚେରୀ କାର୍ଯ୍ୟକ୍ରମରେ ଡକ୍ଟର ପଟେଲ ଭାରତର ପ୍ରତିନିଧିତ୍ୱ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ। ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ବାଲି ଯାତ୍ରା ମହୋତ୍ସବରେ ସେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ।

ଓଡ଼ିଶାରେ ଲୋକକଳାକୁ ବଜାୟ ରଖିବା ପାଇଁ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ଲାଗି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ତାଙ୍କୁ ୨୦୦୨ ମସିହାରେ ସମ୍ମାନିତ କରିଥିଲା। ସୃଜନଶୀଳ ଲୋକକଳା ଏବଂ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ୧୦ ଏପ୍ରିଲ ୨୦୧୫ରେ ଭୁବନେଶ୍ୱର ସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ମାନ ଜନକ ଡି. ଲିଟ୍‌ ଉପାଧିରେ ଭୂଷିତ କରାଯାଇଥିଲା।

କୃଷି କ୍ଷେତ୍ରରେ ପଦ୍ମଶ୍ରୀ ପୁରସ୍କାର ପାଇଲେ ବୈଦ୍ୟ ପଟାୟତ କୁମାର ସାହୁ

ପଟାୟତ କୁମାର ସାହୁ ପେସାରେ ଜଣେ ବୈଦ୍ୟ। ଆୟୁର୍ବେଦ ଔଷଧ ପ୍ରସ୍ତୁତ କରିବା ଏବଂ ଔଷଧୀୟ ବୃକ୍ଷରୋପଣ ପାଇଁ ସମଗ୍ର ପଶ୍ଚିମ ଓଡ଼ିଶାରେ ସେ ବିଶେଷ ଲୋକପ୍ରିୟ।

ଶ୍ରୀ ସାହୁ ୧୯୫୫ ମସିହା ଅଗଷ୍ଟ ୧୮ ତାରିଖରେ ଓଡ଼ିଶାର କଳାହାଣ୍ଡି ଜିଲ୍ଲା ନାନ୍ଦୋଳ ଗ୍ରାମରେ ଏକ ମଧ୍ୟବିତ୍ତ ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପରିବାରର ଆର୍ଥିକ ସମସ୍ୟା ଯୋଗୁ ସେ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିପାରିଥିଲେ।

ଜେଜେ ବାପା ଶ୍ରୀ ଗୋବର୍ଦ୍ଧନ ସାହୁ ଜଣେ ବୈଦ୍ୟ ଥିଲେ, ତାଙ୍କ ଦ୍ୱାରା ପ୍ରଭାବିତ ହୋଇ ଶ୍ରୀ ପଟ୍ଟାୟତ ସାହୁଙ୍କ ମନରେ ପିଲାଟି ଦିନରୁ ଔଷଧୀୟ ବୃକ୍ଷ ପ୍ରତି ଆଗ୍ରହ ଜନ୍ମିଥିଲା। ଏହି ଆଗ୍ରହ ବଳରେ ସେ ନିଜର ଦେଢ଼ ଏକର ଜମିରେ ଏକ ଔଷଧୀୟ ଉଦ୍ଭିଦ ବଗିଚା ତିଆରି କରିଛନ୍ତି ଯେଉଁଥିରେ ୩୨ଶହରୁ ଅଧିକ ବିଭିନ୍ନ ପ୍ରଜାତିର ଔଷଧୀୟ ବୃକ୍ଷ ରହିଛି। ବିଭିନ୍ନ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଛାତ୍ରଛାତ୍ରୀ ନିଜର ପ୍ରାକ୍ଟିକାଲ ଅଧ୍ୟୟନ ଏବଂ ଶିକ୍ଷାଗତ ପରିଦର୍ଶନ ନିମନ୍ତେ ଶ୍ରୀ ସାହୁଙ୍କ ବଗିଚାକୁ ଆସନ୍ତି। ୯୨୧ଟି ମୂଲ୍ୟବାନ ପୁସ୍ତକକୁ ନେଇ ଶ୍ରୀ ସାହୁ ଏକ ଆୟୁର୍ବେଦ ପାଠାଗାର ପ୍ରସ୍ତୁତ କରିଛନ୍ତି। ସମସ୍ତଙ୍କ ପାଇଁ ତାଙ୍କ ପାଠାଗାର ଖୋଲା ରହିଥାଏ ଏବଂ ଏଠାରେ ଦୈନିକ ଆୟୁର୍ବେଦକୁ ନେଇ ସାରଗର୍ଭକ ଆଲୋଚନା ହୋଇଥାଏ। ଶ୍ରୀ ସାହୁ ମଧ୍ୟ ଔଷଧୀୟ ବୃକ୍ଷ ଓ ଆୟୁର୍ବେଦ ଔଷଧ ଉପରେ ସ୍ତମ୍ଭ ଲେଖିଥାନ୍ତି ଏବଂ ତାଙ୍କର ଲେଖା ବିଭିନ୍ନ ସ୍ୱାସ୍ଥ୍ୟ ପତ୍ରିକାରେ ପ୍ରକାଶ ପାଇଥାଏ।

ଶ୍ରୀ ସାହୁଙ୍କ ମାର୍ଗଦର୍ଶନରେ କେତେକ ଅନୁଷ୍ଠାନ ଗଢ଼ି ଉଠିଛି ଏବଂ ସେମାନେ ଆୟୁର୍ବେଦ ଔଷଧକୁ ଲୋକପ୍ରିୟ କରାଇବା ଏବଂ ଔଷଧୀୟ ବୃକ୍ଷ ରୋପଣ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରୁଛନ୍ତି। ତାଙ୍କ ମାର୍ଗଦର୍ଶନରେ ୧୯୯୯ ମସିହାରେ ଛାତିକୁଡ଼ା ଗ୍ରାମରେ ଶୁଶ୍ରୁତ ବୈଦ୍ୟ ସଂଘ ଗଠନ କରାଯାଇଥିଲା ଏବଂ ଏଥିରେ ଜିଲ୍ଲାର ବିଭିନ୍ନ ଭାଗରୁ ୧୩୨ ଜଣ ପାରମ୍ପରିକ ବୈଦ୍ୟମାନେ ସଦସ୍ୟ ଅଛନ୍ତି। ପଟାୟତ ସାହୁଙ୍କ ମାର୍ଗଦର୍ଶନରେ ୨୦୦୦ ମସିହାରେ ଅଶ୍ୱିନୀ କୁମାର କଳାହାଣ୍ଡି ବୈଦ୍ୟ ସଂଘ ପ୍ରତିଷ୍ଠା କରାଯାଇଥିଲା। ସେ ମଧ୍ୟ ଫୁପଝୁଡ଼ି ପ୍ରାଥମିକ ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଛନ୍ତି ଏବଂ ବିଦ୍ୟାଳୟରେ ଏକ ସବୁଜ ସ୍ୱାସ୍ଥ୍ୟ ଦଳ ଗଢ଼ିଛନ୍ତି। ଏହି ଦଳ ସ୍କୁଲ ପରିସରରେ ୨୦୦ କିସମର ଔଷଧୀୟ ବୃକ୍ଷ ରୋପଣ କରିଛି । ଔଷଧୀୟ ଉଦ୍ଭିଦର ଉପକାରିତାକୁ ନେଇ ସେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଇଥାନ୍ତି।

ଘାନା ଜଙ୍ଗଲରେ ଥିବା ୩୫୦ ବିରଳ ଔଷଧୀୟ ଉଦ୍ଭିଦ ଆବିଷ୍କାର କରିଥିବା ଏକ ଦଳରେ ଶ୍ରୀ ସାହୁ ଜଣେ ସକ୍ରିୟ ସଦସ୍ୟ ଥିଲେ। ପରବର୍ତ୍ତୀ ପିଢ଼ି ଯେପରି ଔଷଧୀୟ ବୃକ୍ଷଗୁଡ଼ିକୁ ସହଜରେ ଚିହ୍ନି ପାରିବେ ସେଥିପାଇଁ ସେ ଅନେକ ଔଷଧୀୟ ଉଦ୍ଭିଦର ଫଟୋ ଓ ବିବରଣୀ ତିନୋଟି ବଡ଼ ରେଜିଷ୍ଟରରେ ଲେଖି ରଖିଛନ୍ତି। ଶ୍ରୀ ପଟ୍ଟାୟତ ସାହୁଙ୍କ ଏହି କାର୍ଯ୍ୟ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଏବଂ ସେ ୨୬ ସେପ୍ଟେମ୍ବର, ୨୦୨୧ରେ ଲୋକପ୍ରିୟ ମନ କୀ ବାତ୍‌ କାର୍ଯ୍ୟକ୍ରମରେ ପଟ୍ଟାୟତ ସାହୁଙ୍କ ବିଷୟରେ ଉଲ୍ଲେଖ କରିଥିଲେ।

ଶ୍ରୀ ସାହୁଙ୍କୁ ଅନେକ ପୁରସ୍କାର ଓ ସମ୍ମାନ ମିଳିଛି। ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ତାଙ୍କୁ ୨୦୦୯-୨୦୧୦ରେ ‘‘ପ୍ରକୃତି ବନ୍ଧୁ’’ ପୁରସ୍କାର ମିଳିଥିଲା। ଡଙ୍ଗରମୂରଲୀ ମୃତ୍ୟୁଞ୍ଜୟ ବୈଦ୍ୟ ସଂଘ ପକ୍ଷରୁ ୨୦୦୭ରେ ତାଙ୍କୁ ‘ବନୌଷଧୀ ପ୍ରବୀଣ’ ସମ୍ମାନ ମିଳିଥିଲା। ୨୦୧୧ରେ ସେ ଅଶ୍ୱିନୀ କୁମାର କଳାହାଣ୍ଡି ବୈଦ୍ୟ ସଂଘ ପକ୍ଷରୁ ‘‘ଆୟୁର୍ବେଦ ଶିରୋମଣି’’ ପୁରସ୍କାର ପାଇଥିଲେ। ଆରୋଗ୍ୟ ଭାରତୀ ଭୋପାଳ ପଶ୍ଚିମ ଓଡ଼ିଶା ଶାଖା ପକ୍ଷରୁ ୨୦୨୧ରେ ତାଙ୍କୁ ‘ଧନ୍ୱନ୍ତରୀ’ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଓଡିଶା ନାଗରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାର
Share. Facebook Twitter LinkedIn Email WhatsApp Copy Link

Related Posts

ସରିଲା ପଞ୍ଜୀକରଣ: ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପାଇଁ ୧୦୦୦ ଲୋକ କଲେ ଆବେଦନ

July 25, 2025

ଭିଜିଲାନ୍ସ ପଞ୍ଝାରେ ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ: ୩୦ ହଜାର ଲାଞ୍ଚ ନେବା ବେଳେ ହେଲେ ଗିରଫ

July 25, 2025

Odisha TEX 2025: ହିଣ୍ଡାଲକୋ ଓଡିଶାରେ ନିବେଶ କରିବ 200 କୋଟି ଟଙ୍କା, ଏମଓୟୁ ସ୍ଵାକ୍ଷରିତ

July 25, 2025

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ବର୍ଷ କାର୍ଯ୍ୟକାଳ ପୂରଣ: ରାଷ୍ଟ୍ରପତି ଭବନରେ ବିଭିନ୍ନ ପଦକ୍ଷେପର ଶୁଭାରମ୍ଭ

July 25, 2025
Latest News

ସରିଲା ପଞ୍ଜୀକରଣ: ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପାଇଁ ୧୦୦୦ ଲୋକ କଲେ ଆବେଦନ

July 25, 2025

ଭିଜିଲାନ୍ସ ପଞ୍ଝାରେ ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ: ୩୦ ହଜାର ଲାଞ୍ଚ ନେବା ବେଳେ ହେଲେ ଗିରଫ

July 25, 2025

Odisha TEX 2025: ହିଣ୍ଡାଲକୋ ଓଡିଶାରେ ନିବେଶ କରିବ 200 କୋଟି ଟଙ୍କା, ଏମଓୟୁ ସ୍ଵାକ୍ଷରିତ

July 25, 2025

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ବର୍ଷ କାର୍ଯ୍ୟକାଳ ପୂରଣ: ରାଷ୍ଟ୍ରପତି ଭବନରେ ବିଭିନ୍ନ ପଦକ୍ଷେପର ଶୁଭାରମ୍ଭ

July 25, 2025

ଭାରତ-ବ୍ରିଟେନ୍‌ ମୁକ୍ତ ବାଣିଜ୍ୟ ରାଜିନାମା ଦ୍ୱାରା ଉପକୃତ ହେବ ଓଡ଼ିଶା

July 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.