କଲର୍ସ ଚ୍ୟାନେଲ୍ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିଅଲିଟି ଶୋ’ ବିଗବସ୍କୁ ଆସନ୍ତା ସେପ୍ଟେମ୍ବର ୨୯ରୁ ଆରମ୍ଭ ହେବ। ତେବେ ପ୍ରତିଥର ପରି ଏଥର ମଧ୍ୟ ଭାଇଜାନ୍ଙ୍କ ଜଲ୍ଓ୍ବା ଦେଖିବାକୁ ମିଳିବ। ଚଳିତ ଥର ଏହି ହାଉସ୍ରେ ହରର୍ ତଡ୍କା ଲାଗିବ ବୋଲି ଶୁଣିବାକୁ ମିଳୁଛି। ସବୁଠୁ ଚର୍ଚ୍ଚାର କଥା ହେଉଛି ଏହାର ପ୍ରତିଯୋଗୀମାନେ। ‘ବିଗ୍ ବସ୍-୧୩’ରେ ଅଙ୍କିତା ଲୋଖଣ୍ଡେ ଓ ଦେବୋଲୀନା ଭଟ୍ଟାଚାର୍ଯ୍ୟଙ୍କ ସାମିଲ ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଛୋଟପରଦାର ଏହି ଦୁଇ ଅଭିନେତ୍ରୀଜଣକ ସଂସ୍କାରୀ ବୋହୂ ରୂପେ ବେଶ୍ ପରିଚିତ। ଅଙ୍କିତା ‘ପବିତ୍ର ରିସ୍ତା’ରେ ଅର୍ଚ୍ଚନା ଭୂମିକାରେ ବେଶ୍ ଲୋକପ୍ରିୟତା ପାଇଥିବାବେଳେ କଙ୍ଗନାଙ୍କ ଅଭିନୀତ ‘ମଣିକର୍ଣ୍ଣିକା’ ଜରିଆରେ ବଲିଉଡ୍ ଏଣ୍ଟ୍ରି ମଧ୍ୟ କରିସାରିଛନ୍ତି। ସେହିପରି ଦେବୋଲୀନା ଭଟ୍ଟାଚାର୍ଯ୍ୟ ‘ସାଥିୟା’ ଧାରାବାହିକର ଗୋପୀ ବୋହୂ ରୂପେ ବେଶ୍ ଲୋକପ୍ରିୟତା ପାଇଥିଲେ। ମାତ୍ର ଏନେଇ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା କରାଯାଇ ନାହିଁ। ସୂଚନାଯୋଗ୍ୟ, ଗତବର୍ଷ ଦୀପିକା କକ୍କଡ଼ ଏହି ଶୋ’ର ବିଜେତା ହୋଇଥିଲେ।