
ଗୁଆହାଟୀ: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ବିଜେପିକୁ ଚ୍ୟାଲେଞ୍ଜ କରିବା ଲାଗି ଆସାମ କଂଗ୍ରେସ ନେତୃତ୍ୱରେ ୧୧ ଟି ରାଜନୈତିକ ଦଳର ଏକ ବୈଠକ ଗୁରୁବାର ଦିନ ଗୁଆହାଟୀରେ ଅନୁଷ୍ଠିତ ହୋଇଥିଲା। ଏହି ସଭା ଆୟୋଜନ କରିଥିବା ଆସାମପ୍ରଦେଶ କଂଗ୍ରେସ କମିଟି (ଏପିସିସି) ସମସ୍ତ ସମାନ ବିରୋଧୀ ଶକ୍ତିମାନଙ୍କୁ ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ କ୍ଷମତାରୁ ହଟାଇବାର ବୃହତ ଲକ୍ଷ୍ୟ ନେଇ ସେମାନଙ୍କ ମତଭେଦକୁ ଦୂରେଇ ରଖିବାକୁ ଅନୁରୋଧ କରିଛି।
ତେବେ ବଦରୁଦ୍ଦିନ ଅଜମଲଙ୍କ ନେତୃତ୍ୱରେ ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (AIUDF) କୁ ଏହି ବୈଠକରୁ ଦୂରେଇ ରଖାଯାଇଥିଲା। ଏହି ବୈଠକରେ କଂଗ୍ରେସର ବରିଷ୍ଠ ନେତା ତଥା ଅନ୍ୟ ୧୦ ବିରୋଧୀ ଦଳର ପ୍ରତିନିଧୀ ଉପସ୍ଥିତ ଥିଲେ। ସୂଚନାନୁସାରେ, ଲୋକସଭା ନିର୍ବାଚନରେ ବିଜେପିକୁ ପରାସ୍ତ କରିବାର ରଣନୀତି ଉପରେ ଆଲୋଚନା କରାଯାଇଥିଲା।
ଏହି ବୈଠକରେ ଏଆଇସିସି ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂ ଏବଂ ଆସାମ କଂଗ୍ରେସ ସଭାପତି ଭୁପେନ କୁମାର ବୋରା ମଧ୍ୟ ଉପସ୍ଥିତ ଥିଲେ। ଆସାମ କଂଗ୍ରେସ ସଭାପତି କହିଛନ୍ତି ଯେ, ଏହି ସଭାରେ ୧୧ ଟି ରାଜନୈତିକ ଦଳ ଥିଲେ, କଂଗ୍ରେସ ବ୍ୟତୀତ ଅନ୍ୟ ରାଜନୈତିକ ଦଳଗୁଡ଼ିକ ହେଲେ ଜେଡି (ୟୁ), ଏନସିପି, ରାୟଜୋର ଦଳ, ଆରଜେଡି, ଟିଏମସି, ଆସାମ ଜାତିୟ ପରିଷଦ, ସିପିଆଇ, ସିପିଆଇ (ଏମ), ସିପିଆଇ (ML) ଏବଂ ଜାତିୟ ଦଳ ଆସାମ ଥିଲା। ସଭାରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ଏବଂ କିଛି ନିଷ୍ପତ୍ତି ମଧ୍ୟ ନିଆଯାଇଥିଲା।