ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବ ଶିଘ୍ର ବିଜେପୁର ଆସନ ଛାଡିବେ। ତାଙ୍କର ପାରଂପାରିକ ଆସନ ହିଂଜିଳିର ବିଧାୟକ ଭାବେ ରହିବେ। ଗତକାଲି ମୁଖ୍ୟମନ୍ତ୍ରୀ ବିଜେପୁର ପାଇଁ ଯେଉଁ ବହୁକୋଟି ପ୍ୟାକେଜ ଘୋଷଣା କରିଛନ୍ତି ସେଥିରୁ ଏହା ସ୍ପଷ୍ଟ ହୋଇଛି। କାରଣ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ବିଜେପୁରର ଦାୟିତ୍ବ ମୁଁ ନେବି ବୋଲି ଘୋଷଣା କରିଥିଲେ। ସେଥିପାଇଁ ବିଜେପୁରବାସୀ ତାଙ୍କୁ ବିପୁଳ ଭୋଟରେ ବିଜୟୀ କଲେ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ ଥର ପାଇଁ ବିଜେପୁରର ଉନ୍ନତି ପାଇଁ ବଡ ଘୋଷଣା କରିଛନ୍ତି। ତେଣୁ ବର୍ତ୍ତମାନ ସେହି ଆସନରୁ ଇସ୍ତଫା ଦେଲେ କେହି ବି ତାଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିପାରିବ ନାହିଁ। ଅନ୍ୟପକ୍ଷରେ ସୁଶାନ୍ତ ସିଂ ଙ୍କୁ ମଧ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ କରାଯାଇଛି। ଫଳରେ ସୁଶାନ୍ତ ମଧ୍ୟ ସେହି ଅ଼ଞ୍ଚଳର ଉନ୍ନତି କରିପାରିବେ। ଯାହା ଜଣାପଡୁଛି ଆଉ ଦୁଇଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ବିଜେପୁର ଆସନରୁ ଇସ୍ତଫା ଦେବେ। ଫଳରେ ଛ ମାସ ମଧ୍ୟରେ ପୁଣି ଥରେ ବିଜେପୁରରେ ଆଉ ଏକ ଉପନିର୍ବାଚନ ହେବ।



