
ଭୁବନେଶ୍ଵର: ଆଜିଠାରୁ ରାଜ୍ୟ ଅମଲା ମଞ୍ଚ ଗ୍ରେଡ ପେ ବୃଦ୍ଧି ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ଯାଇଛନ୍ତି। ପ୍ରାୟ ୫୦ ହଜାର ଅମଲା ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଯାହାଫଳରେ ସରକାରୀ ଦପ୍ତରର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି।
ଅମଲାମାନଙ୍କ ଦାବି ମୁତାବକ ୨୦୧୭ ପରେ ସରକାର ଅମଲାମାନଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଓ କମ୍ପ୍ୟୁଟର ଶିକ୍ଷାକୁ ବାଧ୍ୟତାମୂଳକ କରିଛନ୍ତି। ହେଲେ ସେହି ଅନୁସାରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ଅମଲାମାନଙ୍କର ଗ୍ରେଡ ପେ ବୃଦ୍ଧି କରାଯାଇନାହିଁ। ସେମାନେ ପୂର୍ବରୁ ପାଉଥିବା ୧୯୦୦ ଗ୍ରେଡ ପେ, ଏବେ ବି ବଳବତ୍ତର ରହିଛି। ହେଲେ ସମାନ କାମକୁ ସମାନ ଦରମା ନୀତିର ଏହା ଉଲ୍ଲଂଘନ ଅଭିଯୋଗ କରି ଗ୍ରେଡ ପେ ୪୨୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଅମଲାମାନେ ଦାବି କରିଆସୁଛନ୍ତି।
ଏଥିପାଇଁ ମେ ୧ ତାରିଖରୁ ସରକାରଙ୍କୁ ଚେତାବନୀ ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏହାପରେ ମଧ୍ୟ ସେମାନେ ମେ ୨୨ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଜ ପିନ୍ଧିବା ସହ ଜୁନ ପହିଲାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ଯିବାକୁ ଚେତାବନୀ ଦେଇଥିଲେ।
ଏହା ସତ୍ତ୍ୱେ ସରକାର ସେମାନଙ୍କ ଦାବି ପୂରଣ କରିନଥିବାରୁ ଆଜିଠାରୁ ସମସ୍ତ ଅମଲାମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ରାଜ୍ୟ ଅମଲା ମଞ୍ଚର ସୂଚନା ଅନୁସାରେ ରାଜସ୍ୱ ବିଭାଗ, ଟ୍ରେଜେରୀ, ସବ ରେଜିଷ୍ଟାର, ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା, କୃଷି, ଗ୍ରାମ୍ୟ ନିର୍ମାଣ ବିଭାଗର ପ୍ରାୟ ୫୦ ହଜାର ଅମଲାମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି।