ଭୁବନେଶ୍ବର: ରେଳ ଦୁର୍ଘଟଣାର ନିରପେକ୍ଷ ତଦନ୍ତ ପାଇଁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଇସ୍ତଫା ଦାବୀ କରି ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଓଡିଶାର ୧୨ଟି ରାଜନୈତିକ ଦଳ ତରଫରୁ ଏହି ବିକ୍ଷୋଭ କରାଯାଇଛି। ଏଥିରେ ୧୧ଦଫା ସମ୍ବଳିତ
ଏକ ସ୍ମାରକପତ୍ର ରାଜ୍ୟପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି।
ଏହି ୧୨ଟି ଦଳ ସିବିଆଇ ତଦନ୍ତକୁ ପ୍ରତ୍ୟାଖ୍ୟାନ କରିବା ସହିତ ସୁପ୍ରିମ କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳଙ୍କ ଦ୍ୱାରା ରେଳ ଦୁର୍ଘଟଣାର ତଦନ୍ତ ପାଇଁ ଦାବି କରାଯାଇଛି। ତଦନ୍ତର ନିରପେକ୍ଷତା ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତୁରନ୍ତ ଇସ୍ତଫା
ଦେବା ପାଇଁ ଏହି ଦଳମାନେ ଦୃଢ ଭାବେ ଦାବି କରିଛନ୍ତି।
ଏହି ପ୍ରତିବାଦ ଆନ୍ଦୋଳନରେ ଭାରତରୀୟ ଜାତୀୟ କଂଗ୍ରେସ, ସି.ପି.ଆଇ., ସି.ପି.ଆଇ.(ଏମ୍) , ସି.ପି.ଆଇ.ଏମ୍-ଏଲ୍(ଲେବେରେସନ୍), ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଳକ, ଆମ୍
ଆଦମୀ ପାର୍ଟି, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି, ସାମଜବାଦୀ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ, ସମତା କ୍ରାନ୍ତି ଦଳ, ଆର୍.ପି.ଆଇ, ସି.ପି.ଆଇ.ଏମ୍-ଏଲ୍(ରେଡ୍ଷ୍ଟାର) ପ୍ରମୁଖ ୧୨ଟି ରାଜନୈତିକ ଦଳର ନେତୃବୃନ୍ଦ ସାମିଲ ହୋଇଥିଲେ।