ପଞ୍ଚମ ତେଲେଙ୍ଗାନା ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ। ତେଲେଙ୍ଗାନାର ଶହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହିତ ସମସ୍ତେ ଏକତ୍ର ହୋଇ ପ୍ରଦେଶର ବିକାଶ କରିବା ଉଚିତ୍ ବୋଲି ରାଓ ପ୍ରକାଶ କରିଥିଲେ। ପବ୍ଲିକ୍ ଗାର୍ଡେନ୍ ନିକଟରେ ରହିଥିବା ଶହୀଦ ସ୍ମୃତି ସ୍ତମ୍ଭ ନିକଟରେ ରାଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଶ୍ରଦ୍ଧାଞ୍ଜଳି ଜ୍ଞାପନ ଅବସରରେ ତିନି ନୂତନ ବିଧେୟକ ପ୍ରଣୟନ ସମ୍ପର୍କରେ ସୂଚନା ଦେଇଥିଲେ କେସିଆର। ସରକାରୀ ବିଭାଗକୁ ଦୁର୍ନୀତିମୁକ୍ତ ରହି ଜନସାଧାରଣଙ୍କ ସେବାରେ ନିୟୋଜିତ ହେବା ପାଇଁ ମଧ୍ୟ ଆହ୍ବାନ ଦେଇଥିଲେ ଚନ୍ଦ୍ରଶେଖର ରାଓ। ଜାତୀୟ ଅର୍ଥ କମିଶନ ତେଲେଙ୍ଗାନା ନିମନ୍ତେ ୧୨୮୯ କୋଟିର ଅର୍ଥରାଶି ପ୍ରଦାନ କରୁଥିବା ବେଳେ ତେଲେଙ୍ଗାନା ସରକାର ମଧ୍ୟ ସମାନ ଅର୍ଥ ପ୍ରଦାନ କରିବେ ବୋଲି କହିଥିଲେ ରାଓ। ସେହିପରି ୫୦୦ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଗ୍ରାମ ପାଇଁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ବାର୍ଷିକ ୮ ଲକ୍ଷର ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ରାଓ ସୂଚନା ଦେଇଥିଲେ।