କେନ୍ଦ୍ର ମନ୍ତ୍ରୀମଣ୍ଡଳର ଆବଣ୍ଟନକୁ ନେଇ ବିବାଦ ଦେଖା ଦେବା ପରେ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇ ନଥିଲା ନୀତିଶ କୁମାରଙ୍କ ଜେଡିୟୁ। ଏହି ଘଟଣା ପରେ ବିଜେପି -ଜେଡିୟୁ ବିବାଦ ଘନେଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରବିବାର ନିଜ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ଏଥିରେ ଜେଡିୟୁରୁ ୬-୭ ଜଣଙ୍କୁ ସରକାରରେ ସାମିଲ କରାଯାଇଛି। କିନ୍ତୁ ଏହି ସମ୍ପ୍ରସାରଣରେ ଜେଡିୟୁ ସହିତ ମେଣ୍ଟ କରିଥିବା ବିଜେପିର କୌଣସି ସଦସ୍ୟଙ୍କୁ ସୁଯୋଗ ମିଳି ନାହିଁ। ଏହା ଉପରେ ଜେଡିୟୁ ପକ୍ଷରୁ କୁହାଯାଇଛି ଯେ, ପୂର୍ବରୁ ବିଜେପି କୋଟାରୁ ମନ୍ତ୍ରି ହୋଇସାରିଛନ୍ତି। ବର୍ତ୍ତମାନ ଯେଉଁ ପଦବୀ ଖାଲି ପଡ଼ିଛି ସେସବୁ ଜେଡିୟୁ କୋଟାରେ ରହିଛି। ତେବେ ମୋଦୀ ସରକାରରେ ଜେଡିୟୁର କୌଣସି ସାଂସଦଙ୍କୁ ମନ୍ତ୍ରୀ ପଦ ନ ମିଳିବା ପରେ ରାଜ୍ୟରେ ନୀତିଶ ସରକାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବା ଏବଂ ଏଥିରେ କୌଣସି ବିଜେପି ବିଧାୟକଙ୍କୁ ସାମିଲ ନ କରିବା ବିହାର ରାଜନୀତିକୁ ସରଗରମ କରିଛି। ଶନିବାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟପାଳଙ୍କୁ ଭେଟି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବା ନେଇ ଆଲୋଚନା କରିଥିଲେ।