
କେରଳରେ ଜଣେ ଯୁବକ ଜ୍ବରରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହେବା ପରେ ନିପା ଭାଇରସ୍ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏର୍ଣ୍ଣାକୁଲମ୍ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ ପୁନେର ଭାଇରୋଲୋଜି ପରୀକ୍ଷାଗାରରୁ ଚୂଡାନ୍ତ ରିପୋର୍ଟ ଆସିବା ପରେ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରାଯିବ। ମଙ୍ଗଳବାର ପୁନେରୁ ଚୂଡାନ୍ତ ରିପୋର୍ଟ ଆସିବ ବୋଲି ଜଣା ପଡିଛି। କୋଚିର ଏକ ଘରୋଇ ହସ୍ପିଟାଲରେ ଯୁବକ ଜଣକ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା ପରେ ସର୍ବ ସାଧାରଣରେ ଆତଙ୍କ ଦେଖା ଦେଇଥିବା ବେଳେ କରଳ ସ୍ବାସ୍ଥ୍ୟ ମନ୍ତ୍ରୀ କେ କେ ଶୈଳଜା ଏହି ଖବରକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ସୁଦ୍ଧା କୌଣସି ପରୀକ୍ଷଣ ରିପୋର୍ଟ ଆସିନାହିଁ। ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ କୌଣସି ଗୁଜବ ପ୍ରଚାର ନ କରିବା ପାଇଁ ଅନୁରୋଧ କରିଛନ୍ତି ଶୈଳଜା। ସରକାର କୌଣସି ବିପର୍ଯ୍ୟୟ ପାଇଁ ଆଗୁଆ ପ୍ରସ୍ତୁତ ଅଛନ୍ତି ବୋଲି ଶୈଳଜା ପ୍ରକାଶ କରିଛନ୍ତି। ୨୦୧୮ ମେ ମାସରେ ନିପା ଭାଇରସ୍ ପ୍ରଭାବରେ କେରଳରେ ୨୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୨ ଜଣଙ୍କର ପ୍ରାଣହାନି ଘଟିଥିଲା। କୋଝିକୋଡ ଏବଂ ମଲ୍ଲାପୁରମ୍ରେ ଏହା ସର୍ବାଧିକ କ୍ଷତି ଘଟାଇଥିଲା।