
ଆସନ୍ତା ପାଞ୍ଚ ବର୍ଷ ନିମନ୍ତେ ପୁନର୍ବାର ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବରେ ନିଯୁକ୍ତି ପାଇଛନ୍ତି ଅଜିତ୍ ଡୋଭାଲ। ଏହି ପଦବୀ ସହିତ ଡୋଭାଲ୍ଙ୍କୁ ଆସନ୍ତା ୫ ବର୍ଷ ନିମନ୍ତେ କ୍ୟାବିନେଟ୍ ପାହ୍ୟା ମଧ୍ୟ ମିଳିଛି। ଜାତୀୟ ସୁରକ୍ଷା ପରିଷଦ ପାଇଁ ତାଙ୍କର ଅବଦାନ ଯୋଗୁଁ ଡୋଭାଲଙ୍କୁ ଏହି ପଦବୀ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଦ୍ବିତୀୟ ଥର ପାଇଁ ଶପଥ ଗ୍ରହଣ କରିବା ପରେ ଡୋଭାଲଙ୍କୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଥିଲା। ରାଜନାଥ ସିଂଙ୍କୁ ପ୍ରତିରକ୍ଷା ବିଭାଗ ମିଳିବା ପରେ ଡୋଭାଲଙ୍କ ପରିବର୍ତ୍ତନ ନେଇ ଅନୁମାନ ଲଗାଇଥିଲେ। ମାତ୍ର ଭାରତର ଆତଙ୍କବାଦ ନିରୋଧୀ ମିଶନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଡୋଭାଲଙ୍କୁ ଏହି ପୁରସ୍କାର ମିଳିଛି। ୧୯୬୮ ବ୍ୟାଚ୍ର ଆଇପିଏସ୍ ଅଫିସର୍ ଡୋଭାଲ୍ ଗୁଇନ୍ଦା ବିଭାଗର ମୁଖ୍ୟ ଭାବରେ ପୂର୍ବରୁ କାର୍ଯ୍ୟ କରି ସାରିଥିବା ବେଳେ ଆତଙ୍କବାଦ ବିରୋଧୀ ମାମଲାରେ ଦେଶର ଏକ ନମ୍ବର ଅଫିସର ରହିଛନ୍ତି। ପୁଲଓ୍ବାମା ଆକ୍ରମଣ ପରେ ବାଲାକୋଟ ଏୟାର ଷ୍ଟ୍ରାଇକ୍ ଏବଂ ୨୦୧୬ରେ ସର୍ଜିକାଲ୍ ଷ୍ଟ୍ରାଇକ୍ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଡୋଭାଲ୍।