ଶିକ୍ଷକ ଡେପୁଟେସନ ନେଇ ପୁଣି ବୋରିଖିରେ ଛାତ୍ରଛାତ୍ରୀଙ୍କ ପ୍ରତିବାଦ

Published: Jul 25, 2023, 7:51 am IST

କୁଜଙ୍ଗ: କୁଜଙ୍ଗ ବ୍ଲକ ବୋରିଖି ସ୍ଥିତ ସରକାରୀ ନୋଡାଲ ହାଇସ୍କୁଲ ବୋରିଖିର ଶିକ୍ଷକ ସୂର୍ଯ୍ୟକାନ୍ତ ମଲ୍ଲଙ୍କୁ କୁଜଙ୍ଗ ବନବିହାରୀ ଉଚ୍ଚ ବିଦ୍ୟାଳୟକୁ ଡେପୁଟେସନରେ ସପ୍ତାହକୁ ୩ ଦିନ ପାଇଁ ବଦଳି କରାଯାଇଛି। ଶିକ୍ଷକ ୩ଦିନ ଅନ୍ୟ ବିଦ୍ୟାଳୟକୁ ଗଲେ ବିଦ୍ୟାଳୟର ପାଠ ପଢା ପ୍ରଭାବିତ ହେବ। ତେଣୁ ଏହି ଶିକ୍ଷକଙ୍କ ଅନ୍ୟତ୍ର ନବଦଳାଇବା ସହ ବିଦ୍ୟାଳୟର ଖାଲିପଡିଥିବା ଶିକ୍ଷକ ପଦବୀକୁ ତୁରନ୍ତ ପୂରଣ କରିବାକୁ ଆଜି ଏହି ବିଦ୍ୟାଳୟର ବିଦ୍ୟାର୍ଥୀ, ଅଭିଭାବକ ଓ ପରିଚାଳନା କମିଟିର ବହୁ ସଦସ୍ୟମାନେ ପ୍ରତିବାଦ କରିଥିଲେ। ପ୍ରକାଶ ଯେ, ଚଳିତ ମାସ ପ୍ରଥମ ସପ୍ତାହରେ ରାସ୍ତାରୋକ କରିବା ସହ ପ୍ରତିବାଦ କରାଯାଇଥିଲା।

ଏହି ପ୍ରତିବାଦ ସମୟରେ ଶିକ୍ଷାବିଭାଗର ବ୍ଲକ ଅଧିକାରୀ ଘଟଣା ସ୍ଥଳରେ ପହଁଚି ପ୍ରତିବାଦକାରୀଙ୍କୁ ବୁଝାସୁଝା କରିବା ସହ ଏହି ବିଷୟରେ ଶିକ୍ଷା ବିଭିନ୍ନ ବିଷୟକୁ ଧ୍ୟାନ ଦେଇ ଉଚିତ ପଦକ୍ଷପ ନେବ ବୋଲି କହିଥିଲେ। ମାତ୍ର ଇତିମଧ୍ୟରେ ଆନ୍ଦୋଳନକୁ ୩ ସପ୍ତାହ ବିତିଯିବାକୁ ବସିଥିବା ବେଳେ ଶିକ୍ଷକଙ୍କ ଡେପୁଟେସନ୍ ବାତିଲ ନହୋଇଥିବାରୁ ଆଜି ସକାଳ ଦଶଟାରୁ ପୁଣି ଛାତ୍ର ଅଭିଭାବକ ଓ ସ୍ଥାନୀୟ ମୁରବି ମାନେ ଧାରଣା, ପ୍ରତିବାଦ ଓ ରାସ୍ତାରୋକ କରି ନିଜ ନିଜର କ୍ଷୋଭ ପ୍ରକାଶ କରିଛନ୍ତି।

ବିଦ୍ୟାଳୟରେ ଏବେବି ୧୦ଟି ଶ୍ରେଣୀକୁ ଆବଶ୍ୟକୀୟ ଶିକ୍ଷକ ନଥିବା ବେଳେ ପୁଣି ଏହି ଶିକ୍ଷକଙ୍କ ମଧ୍ୟରୁ ଜଣଙ୍କୁ ୩ ଦିନ ଅନ୍ୟତ୍ର ପଠାଇବାକୁ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ସହଜରେ ଗ୍ରହଣ କରି ପାରୁନାହାଁନ୍ତି। ଫଳରେ ଆଜି ସକାଳ ଦଶଟାରରେ ଏହି ବିଦ୍ୟାଳୟର ବିଦ୍ୟାର୍ଥୀ ମାନେ ଚାନ୍ଦପୁର-ପାଟପୁର ରାସ୍ତାରେ ଧାରଣା ଦେବା ରାସ୍ତାରୋକ କରି ପ୍ରତିବାଦ କରିଥିଲେ। ଫଳରେ ପ୍ରାୟ ସକାଳ ସମୟ ବିଦ୍ୟାଳୟରେ ପ୍ରତିବାଦ ଯୋଗୁ ପାଠ ପଢା ଠପ୍ ହୋଇଯାଇଥିଲା।

Related posts