Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସର୍ବଭାରତୀୟ ବାଘ ସଂଖ୍ୟା ଆକଳନ-୨୦୨୨: ସବିଶେଷ ରିପୋର୍ଟ ପ୍ରକାଶିତ
ଆଜିର ଖବର

ସର୍ବଭାରତୀୟ ବାଘ ସଂଖ୍ୟା ଆକଳନ-୨୦୨୨: ସବିଶେଷ ରିପୋର୍ଟ ପ୍ରକାଶିତ

July 29, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ ଆଜି ଉତ୍ତରାଖଣ୍ଡର ଜିମ୍ କର୍ବେଟ ଟାଇଗର ରିଜର୍ଭ ଠାରେ ଭାରତର ବାଘ ଗଣନା ସଂକ୍ରାନ୍ତ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରକାଶିତ ହୋଇଛି। ୨୦୨୨ ଏପ୍ରିଲ ୯ତାରିଖରେ ‘ପ୍ରୋଜେକ୍ଟ ଟାଇଗର’ର ୫୦ବର୍ଷ ପୂର୍ତ୍ତି ଅବସରରେ ମହୀଶୁରୁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତରେ ୩୧୬୭ ମହାବଳ ବାଘ ଥିବା ପ୍ରାଥମିକଭାବେ ଘୋଷଣା କରିଥିଲେ। କ୍ୟାମେରା ଟ୍ରାପ୍‌ଡ୍ ପଦ୍ଧତିରେ ହୋଇଥିବା ବାଘଗଣନା ଅନୁସାରେଏହି ତଥ୍ୟ ପ୍ରଧାନମନ୍ତ୍ରୀ ଦେଇଥିଲେ। ତେବେ ୨୦୨୨ର ବାଘ ଗଣନାର ସମ୍ପୂର୍ଣ୍ଣ ତଥ୍ୟାବଳୀକୁ ଅନୁଧ୍ୟାନ କରିବା ପରେ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ(ଡବ୍ଲୁ ଆଇଆଇ) ପକ୍ଷରୁ କୁହାଯାଇଛି ଯେ ଦେଶରେ ମହାବଳ ବାଘଙ୍କ ସଂଖ୍ୟା ହାରାହାରି ୩୬୮୨ରୁ ସର୍ବାଧିକ ୩୯୨୫ ହୋଇପାରେ। ଉଭୟ କ୍ୟାମେରା ଟ୍ରାପ୍‌ଡ ଓ ଅଣ କ୍ୟାମେରା ଟ୍ରାପଡ ବାଘ ଗଣନା ପଦ୍ଧତିକୁ ମିଶାଇ ଏହି ସଂଖ୍ୟା ଆକଳନ କରାଯାଇଛି । ଏହି ତଥ୍ୟ ଅନୁସାରେ ଭାରତରେ ବାଘଙ୍କ ସଂଖ୍ୟା ୬.୧ ଶତାଂଶ ହାରରେ ବଢୁଛି ଯାହାକୁ କର୍ତ୍ତୃପକ୍ଷ ପ୍ରଶଂସାଯୋଗ୍ୟ ବୋଲି କହିଛନ୍ତି।

୨୦୨୨ର ଏହି ବାଘଗଣନା ତଥ୍ୟ ଅନୁସାରେ ଶିୱାଲିକ୍ ପର୍ବତମାଳା, ଗାଙ୍ଗେୟ ସମତଳଭୂମି ଅଞ୍ଚଳରେ ମହାବଳ ବାଘଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ ବଢିଛି । ନିର୍ଦ୍ଦିଷ୍ଟ ଭାବେ ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ ଓ ମହାରାଷ୍ଟ୍ରରେ ବାଘଙ୍କ ସଂଖ୍ୟା ବୃଦ୍ଧି ଉଲ୍ଲେଖଯୋଗ୍ୟ ହୋଇଛି। ତେବେ ଦେଶର କେତେକ ଅଞ୍ଚଳ ଯଥା ପଶ୍ଚିମ ଘାଟ ପର୍ବତମାଳରେ ସ୍ଥାନ ଭାବେ କିଛି ଅଞ୍ଚଳରେ ଏହି ବାଘଙ୍କ ସଂଖ୍ୟା କମିଛି। ଅତଏବ ଏମାନଙ୍କ ସ୍ଥିତିକୁ ଅନୁଧ୍ୟାନ କରି ବାଘ ସଂରକ୍ଷଣ ବ୍ୟବସ୍ଥାକୁ ସେଠାରୁ ତ୍ୱରାନ୍ୱିତ କରିବାକୁ ପଡିବ। ଆହୁରିମଧ୍ୟ ମିଜୋରାମ, ନାଗାଲାଣ୍ଡ, ଝାଡଖଣ୍ଡ, ଗୋଆ, ଛତିଶଗଡ ଓ ଅରୁଣାଚଳ ପ୍ରଦେଶରେ ମହାବାଳ ବାଘଙ୍କ ସଂଖ୍ୟା ଅସ୍ଥିର ଧାରା ପ୍ରଦର୍ଶନ କରୁଛି ଏବଂ ବାଘଙ୍କ ସଂଖ୍ୟା କମ୍ ରହୁଛି। ମଧ୍ୟପ୍ରଦେଶରେ ସବୁଠୁ ଅଧିକ ମହାବଳ ବାଘ ଅଛନ୍ତି ଓ ଏମାନଙ୍କ ସଂଖ୍ୟା ୭୮୫। ଏହା ପଛକୁ କର୍ଣ୍ଣାଟକ (୫୬୩), ଉତ୍ତରଖଣ୍ଡ(୫୬୦) ଓ ମହାରାଷ୍ଟ୍ର (୪୪୪)ରେ ରହିଛି।

ଦେଶରେ ଥିବା ବାଘ ସଂରକ୍ଷଣ କେନ୍ଦ୍ର ବା ଟାଇଗର ରିଜର୍ଭ ଗୁଡିକ ମଧ୍ୟରୁ କର୍ବେଟରେ ସର୍ବାଧିକ ୨୬୦, ଏହା ପଛକୁ ବାନ୍ଦିପୁରରେ ୧୫୦, ନାଗରହୋଲରେ ୧୪୧, କାହ୍ନାରେ ୧୦୫, କାଜିରଙ୍ଗାରେ ୧୦୪, ସୁନ୍ଦରବନରେ ୧୦୦, ତଡୋବାରେ ୯୭, ସତ୍ୟ ମଙ୍ଗଳମ୍‌ରେ ୮୫ ଓ ମଧ୍ୟପ୍ରଦେଶର ପେଞ୍ଚରେ ୭୭ ମହାବଳ ବାଘ ଅଛନ୍ତି। ଅନେକ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ବାଘଙ୍କ ସଂଖ୍ୟା ବୃଦ୍ଧି ଭଲ ଥିବାବେଳେ ଆଉ କେତେକରେ ଏହା ସମସ୍ୟାର ସମ୍ମୁଖୀନ। ରିପୋର୍ଟ ଅନୁସାରେ ଦେଶର ୩୫% ଟାଇଗର ରିଜର୍ଭ ଅଧିକ ସୁରକ୍ଷା,ପ୍ରାକୃତିକ ପରିବେଶର ପୁନରୁଦ୍ଧାର, ବାଘଙ୍କ ଖାଦକ ସଂଖ୍ୟା ବୃଦ୍ଧି ଓ ବାଘଙ୍କୁ ସେଠାରେ ପୁନଃ ଥଇଥାନର ବ୍ୟବସ୍ଥା କରାଯିବା ଆବଶ୍ୟକ।

ପରିବେଶ ଓ ପାରିପାଶ୍ୱିକ ସ୍ଥିତରେ ଉନ୍ନତି ଆଣି ତାହାକୁ ସୁରକ୍ଷିତ ରଖିବା, ପରିବେଶ ଅନୁକୂଳ ବିକାଶ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା, ବାଘଙ୍କ ପ୍ରାକୃତିକ ଆବାସ୍ଥଳୀ ନିକଟରେ ଖଣି ଖନନ କାମକୁ ଯଥା ସମ୍ଭବ କମାଇବା, ଖଣି ଅଞ୍ଚଳର ପ୍ରାକୃତିକ ପରିବେଶର ଉନ୍ନତି ଆଦି ଗୁରୁତ୍ୱ ଦେବାକୁ ରିପୋର୍ଟରେ ପରାମର୍ଶ ଦିଆଯାଇଛି। ଏହାଛଡା ଅତିରିକ୍ତ ଭାବେ ସଂରକ୍ଷିତ ଅଞ୍ଚଳର ପରିଚାଳନାକୁ ସୁଦୃଢ କରିବା, ବାଘ ଶିକାର ବିରୋଧୀ ପଦକ୍ଷେପକୁ ଆହୁରି ଅଧିକ ପ୍ରଭାବଶାଳୀ କରିବା, ତଥ୍ୟ ସଂଗ୍ରହରେ ଟେକ୍‌ନୋଲୋଜି ଓ ବିଜ୍ଞାନଭିତ୍ତିକ ବିଚାରର ପ୍ରୟୋଗ ଓ ମଣିଷ ବନ୍ୟଜନ୍ତୁ ଲଢେଇ ସମାଧାନ ଉପରେ ଅଗ୍ରାଧିକାର ଦେଲେ ଦେଶରେ ବାଘ ବଂଶ ସୁରକ୍ଷିତ ହୋଇପାରିବ ବୋଲି ରିପୋର୍ଟରେ କୁହାଯାଇଛି।

ବିଗତ ପଚାଶବର୍ଷ ମଧ୍ୟରେ ଭାରତରେ ପ୍ରୋଜେକ୍ଟ ଟାଇଗର ଉଲ୍ଲେଖନୀୟ ସଫଳତା ହାସଲ କରିଛି। ତେବେ ବାଘ ଶିକାର ଏବେ ମଧ୍ୟ ଏହି ବୃହତ୍ ମାର୍ଜାରମାନଙ୍କ ପାଇଁ ଏକ ବଡ ବିପଦ ହୋଇ ରହିଛି। ବାଘଙ୍କ ପ୍ରାକୃତିକ ଆବାସସ୍ଥଳୀର ସୁରକ୍ଷା ଓ ସଂରକ୍ଷଣ ଏବଂ ସେହି ପରିବେଶର ବିକାଶ ଉପରେ ବାଘଙ୍କ ବଂଶ ବୃଦ୍ଧି ବିଶେଷ ନିର୍ଭର କରେ।

ଆଜି (୨୦୨୩ ଜୁଲାଇ ୨୯ତାରିଖ) କର୍ବଟେ ଟାଇଗର ରିଜର୍ଭଠାରେ ବିଶ୍ୱ ବ୍ୟାଘ୍ର ଦିବସ ପାଳନ କରାଯାଇଥିଲା। ଏହି ଅବସରରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ବାଘ ଗଣନାର ସବିଶେଷ ରିପୋର୍ଟ ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁସ୍କର ସିଂହ ଧାମୀ, କେନ୍ଦ୍ର ପ୍ରତିରକ୍ଷା ତଥା ଏବଂ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଜୟ ଭଟ୍ଟ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ ୧୯୭୩ ଭାରତ ସରକାର ପ୍ରୋଜେକ୍ଟ ଟାଇଗର ଯୋଜନା ଆରମ୍ଭ କରିଥିଲେ। ମହାବଳ ବାଘଙ୍କ ସଂରକ୍ଷଣ ଓ ବଂଶ ବୃଦ୍ଧି ପାଇଁ ଏହା ଥିଲା ଏକ ମହାତାକାଂକ୍ଷୀ ଯୋଜନା। ଏଥି ସହିତ ଜୈବ ବିବିଧତାର ସୁରକ୍ଷା ଉପରେ ମଧ୍ୟ ସରକାର ଅଗ୍ରାଧିକାର ଦେଇଥିଲେ। ବିଗତ ୫୦ବର୍ଷ ମଧ୍ୟରେ ପ୍ରୋଜେକ୍ଟ ଟାଇଗର ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ପ୍ରାରମ୍ଭିକ ଭାବେ ଦେଶର ୧୮, ୨୭୮ ବର୍ଗ କିି.ମି. ଅଞ୍ଚଳରେ ନ’ଟି ଟାଇଗର ରିଜର୍ଭ ସ୍ଥାପନ କରାଯାଇଥିଲା। ସରଳ ଭାଷାରେ ଏସବୁ ଥିଲା ବାଘ ଅଭୟାରଣ୍ୟ। ଏବେ ଏହି ରିଜର୍ଭ ସଂଖ୍ୟା ୫୩ରେ ପହଞ୍ôଚଛି ଏବଂ ଏଥିରେ ୭୫, ୭୯୬ ବର୍ଗ କି.ମି. ଜଙ୍ଗଲାଞ୍ଚଳ ଅନ୍ତର୍ଭୁକ୍ତ ହୋଇଛି। ଏହା ଭାରତର ମୋଟ ସ୍ଥଳଭାଗର ୨.୩ ଶତାଂଶ।

ଏବେ ଭାରତରେ ବିଶ୍ୱର ୭୫ ଶତାଂଶ ମହାବାଳ ବାଘ ଅଛନ୍ତି । ୨୦୧୮ରେ ଦେଶରେ ମହାବାଳଙ୍କ ସଂଖ୍ୟା ୨୪୬୧ଥିଲା। ୨୦୨୨ରେ ଦେଶର ବିଭିନ୍ନ ଜଙ୍ଗଲଞ୍ଚଳରେ ୩୦୮୦ ଏହି ପ୍ରଜାତିର ବାଘକୁ ଦେଖିବାକୁ ମିଳିଥିଲା ବୋଲି ପ୍ରାଥମିକ ରିପୋର୍ଟରୁ ଜଣାପଡିଥିଲା। ଏବେ ଦେଶର ସୁରକ୍ଷିତ ଅଞ୍ଚଳରେ ଭାରତର ମୋଟ ମହାବଳ ବାଘଙ୍କ ମଧ୍ୟରୁ ତିନି ଚତୁର୍ଥାଂଶ ଅଛନ୍ତି।

ଦେଶର ମହାବଳ ବାଘ ସଂଖ୍ୟା ବୃଦ୍ଧି ପାଇଁ ସରକାର ପ୍ରୋଜେକ୍ଟ ଟାଇଗର ସହିତ ବିଭିନ୍ନ କୌଶଳ ପ୍ରୟୋଗ କରି ରୀତିମତ ଉଦ୍ୟମ ଜାରି ରଖିଛନ୍ତି। ଏହା ଫଳରେ ଏହି ବାଘଙ୍କ ସଂଖ୍ୟା ବଢିବାରେ ଲାଗିଛି। ବିଶ୍ୱର ମୋଟ ମହାବଳ ବାଘଙ୍କ ସଂଖ୍ୟାର ୭୫ଭାଗ ଭାରତରେ ରହିବା ନିଶ୍ଚିତ ଏକ ଗୌରବର ବିଷୟ।

ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରୋଜେକ୍ଟ ଟାଇଗର ବାଘ ଗଣନା ରିପୋର୍ଟ ବିଶ୍ୱ ବ୍ୟାଘ୍ର ଦିବସ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ଇତିହାସ ରଚିଲେ ଦୀପିକା ପାଦୁକୋଣ: ପଛରେ ପଡ଼ିଲେ ଏହି ହଲିଉଡ୍ ଷ୍ଟାର

August 5, 2025

ଚାରଟି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ବିଜେଡି, ଜାଣନ୍ତୁ କେଉଁଠି କାହାକୁ ମିଳିଲା ଦାୟିତ୍ବ

August 5, 2025

ଜୀ ସାର୍ଥକର ‘ଦେଖିବା ଟିଭି ଜିତିବା ଇଭି’ ପ୍ରତିଯୋଗିତାର ୫ ବିଜୟୀଙ୍କୁ ମିଳିଲା ଇଭି ଗାଡି

August 5, 2025

ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଗାଡ଼ି ଉପରକୁ ଆକ୍ରମଣ, ଟିଏମସି କର୍ମୀ କରିଥିବା ଅଭିଯୋଗ

August 5, 2025
Latest News

ଘୋଷଣା ହେଲା ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଏବଂ ସଦସ୍ୟାଙ୍କ ନାମ

August 5, 2025

ଇତିହାସ ରଚିଲେ ଦୀପିକା ପାଦୁକୋଣ: ପଛରେ ପଡ଼ିଲେ ଏହି ହଲିଉଡ୍ ଷ୍ଟାର

August 5, 2025

ଘୋଷଣା ହେଲା ଓଡିଶା ମହିଳା ଆୟୋଗ ଅଧ୍ୟକ୍ଷା ଓ ସଦସ୍ୟାଙ୍କ ନାମ, ଜାଣନ୍ତୁ କାହାକୁ ଦିଆଗଲା ନିଯୁକ୍ତି

August 5, 2025

ଚାରଟି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ବିଜେଡି, ଜାଣନ୍ତୁ କେଉଁଠି କାହାକୁ ମିଳିଲା ଦାୟିତ୍ବ

August 5, 2025

ଜୀ ସାର୍ଥକର ‘ଦେଖିବା ଟିଭି ଜିତିବା ଇଭି’ ପ୍ରତିଯୋଗିତାର ୫ ବିଜୟୀଙ୍କୁ ମିଳିଲା ଇଭି ଗାଡି

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.