
ନୂଆଦିଲ୍ଲୀ: ଆଜି (ଅଗଷ୍ଟ ୨) ସଂସଦର ମୌସୁମୀ ଅଧିବେଶନର ଦଶମ ଦିନ। ଆଜି ଲୋକସଭା ବାଚସ୍ପତି ଓମ୍ ବିର୍ଲା ନିଜ ଚେୟାରରେ ବସି ନ ଥିଲେ। ଲୋକସଭାରେ ବିରୋଧୀ ସାଂସଦଙ୍କ ଲଗାତାର ହଟ୍ଟଗୋଳରେ ସେ ଅସନ୍ତୁଷ୍ଟ ଥିବାରୁ ଗୃହକୁ ଆସିବାକୁ ମନା କରିଦେଇଥିଲେ। ତାଙ୍କ ସ୍ଥାନରେ ଆନ୍ଧ୍ରପ୍ରଦେଶର ରାଜାମପେଟରୁ ସାଂସଦ ପିଭି ମିଧୁନ ରେଡ୍ଡୀଙ୍କୁ ଦାୟିତ୍ୱ ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବିରୋଧୀ ହଟ୍ଟଗୋଳ ବନ୍ଦ ନ କରିବା ପର୍ଯ୍ୟନ୍ତ ବାଚସ୍ପତି ଓମ୍ ବିର୍ଲା ସଂସଦକୁ ଆସିବେ ନାହିଁ।
ଦିଲ୍ଲୀ ଅଧ୍ୟାଦେଶ ଉପରେ ହେବ ଆଲୋଚନା
ଗତକାଲି ଲୋକସଭାରେ ଦିଲ୍ଲୀ ଅଧ୍ୟାଦେଶ ଆଗତ ହୋଇଥିଲା। ଏହାକୁ ନେଇ ଆଜି ଆଲୋଚନା ହେବାର ଥିଲା। କିନ୍ତୁ ଏହା ପୂର୍ବରୁ ବିରୋଧୀ ହଙ୍ଗାମା କରିବା ଆରମ୍ଭ କରିବା ପରେ ଗୃହକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଓ ପରେ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ବିଜେପି ବୁଧବାର ହ୍ୱିପ୍ ଜାରି କରି ସମସ୍ତ ସାଂସଦଙ୍କୁ ଗୃହରେ ଉପସ୍ଥିତ ରହିବାକୁ କହିଥିଲା, ଯାହାଦ୍ୱାରା ଏହି ବିଲ୍ ପାରିତ ହୋଇପାରିବ।