ଭୁବନେଶ୍ୱର: ଜଳବାୟୁ ପରିବର୍ତନର ଭୟଙ୍କର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଉଥିବା ବେଳେ କ୍ଲାଇମେଟ ସ୍ମାର୍ଟ ଏଗ୍ରିକଲ୍ଚର ନିମନ୍ତେ ବାୟୁମଣ୍ଡଳ ବିଜ୍ଞାନ ଓ ଜଳବାୟୁ ମଡେଲିଂ କ୍ଷେତ୍ରରେ ସହଯୋଗ ନେଇ ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି।
କୃଷି କ୍ଷେତ୍ରରେ ଜଳବାୟୁର ପ୍ରଭାବ ଏବଂ କିଭଳି ପ୍ରକ୍ରିୟାରେ କୃଷକମାନେ ଉପକୃତ ହୋଇପାରିବେ ସେ ସମ୍ପର୍କର ସୋଆ ଓ ଆଇଏମ୍ଡି ମିଳିତ ଭାବେ କାର୍ଯ୍ୟ କରିବେ। ଆଇଏମ୍ଡିର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି। ଡକ୍ଟର ମହାପାତ୍ର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କ ସହ ମଧ୍ୟ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।
ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ୍ ସାଇନ୍ସେସ୍ (ଆଇଏଏସ୍) ପକ୍ଷରୁ ଏକ ବର୍ଷ ପୂର୍ବେ ଏକ ସେଂଟର ଫର୍ କ୍ଲାଇମେଟ ସ୍ମାର୍ଟ ଏଗ୍ରିକଲ୍ଚର ପ୍ରତିଷ୍ଠା କରାଯାଇଛି । ସୋଆ ଓ ଆଇଏମ୍ଡି ମଧ୍ୟରେ ତଥ୍ୟର ଆଦାନପ୍ରଦାନ ସହ ବିଶେଷ ଜ୍ଞାନ ଏବଂ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳକୁ ନେଇ ମିଳିତ ଗବେଷଣା କରାଯିବ। ଜଳବାୟୁ ପରିବର୍ତନ ଯୋଗୁଁ ଚାଷ ଉପରେ ପଡ଼ୁଥିବା ପ୍ରଭାବକୁ ଆଖିରେ ରଖି ପରିବର୍ତିତ ପରିସ୍ଥିତିରେ କୃଷକମାନେ କିପରି ଲାଭଜନକ କୃଷି ଆପଣେଇ ପାରିବେ ସେ ସମ୍ପର୍କରେ କାର୍ଯ୍ୟ କରାଯିବ।
ଏହି ଦୁଇ ଅନୁଷ୍ଠାନ ବିଭିନ୍ନ ତଥ୍ୟକୁ ନେଇ ଗବେଷଣା କରିବା ସହ ମିଳିତ ସନ୍ଦର୍ଭ ପ୍ରକାଶ କରିବେ ଓ ବିଭିନ୍ନ କର୍ମଶାଳା ଓ ସମ୍ମିଳନୀ ଇତ୍ୟାଦି ଆୟୋଜନ କରିବେ।
ଏହା ବ୍ୟତୀତ ଭାରତୀୟ ପାଣିପାଗ ବିଭାଗ ଏବଂ ସୋଆ ମିଳିତ ଭାବେ ଜଳବାୟୁ ବିଜ୍ଞାନ କ୍ଷେତ୍ରରେ ନୂତନ ଟେକ୍ନୋଲୋଜି ଉପଯୋଗ କରି ବିଭିନ୍ନ ଅଂଶୀଦାରଙ୍କ ସାହାଯ୍ୟ ନିମନ୍ତେ କାର୍ଯ୍ୟ କରିବେ।
ବୁଝାମଣା ଅନୁଯାୟୀ ଭାରତୀୟ ପାଣିପାଗ ବିଭାଗର ଅନୁମୋଦିତ ବୈଜ୍ଞାନିକମାନେ ସୋଆ ସହିତ ମିଳିତ ଗବେଷଣା ଏବଂ ବିକାଶ ପ୍ରକଳ୍ପରେ ଭାଗ ନେବେ ଏବଂ ଏମଏସସି, ଏମ୍ଟେକ୍ ଏବଂ ପିଏଚ୍ଡି ଛାତ୍ରଛାତ୍ରୀ ତଥା ସନ୍ଦର୍ଭ ଲେଖକମାନଙ୍କ ଗବେଷଣାର ତଦାରଖ କରିବା ସହ ରିପୋର୍ଟ ପ୍ରକାଶନରେ ସହାୟତା କରିବେ।
ଆଇଏମ୍ଡି ଜଳବାୟୁ ବିଜ୍ଞାନ ଏବଂ ଏହାର ପ୍ରୟୋଗ ସମ୍ବନ୍ଧୀୟ କ୍ଷେତ୍ରରେ ସହମତିରେ ପିଏଚ୍ଡି ଗବେଷଣା ନିମନ୍ତେ ସହଯୋଗ କରିବ ଏବଂ ଅନୁରୋଧ କ୍ରମେ କ୍ଷେତ୍ର ଏବଂ ପରୀକ୍ଷାଗାର ସୁବିଧା ପ୍ରଦାନ କରିବ । ଏହା ବ୍ୟତୀତ ଭାରତୀୟ ପାଣିପାଗ ବିଭାଗ ଛାତ୍ରଛାତ୍ରୀ , ଗବେଷକ ଏବଂ ସୋଆ ଅଧ୍ୟାପକମାନଙ୍କ ପାଇଁ ଉପଲବ୍ଧ ହେଲେ ପରୀକ୍ଷାଗାର ସୁବିଧା ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇବ।
ଏହି ଅବସରରେ ସୋଆ ସିସିଏସ୍ଏର ମୁଖ୍ୟ ପ୍ରଫେସର ଆର୍.କେ. ପଣ୍ଡା, ଡିଷ୍ଟିଙ୍ଗୁଇସ୍ଡ ପ୍ରଫେସର ୟୁ.ସି ମହାନ୍ତି, ଆଇଏଏସ୍ର ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ, ଡିନ୍ ପ୍ରଫେସର ଏସ୍. କେ. ରାଉତ ଏବଂ ଆଇଏଏସ୍ର ପ୍ରଫେସର ଡକ୍ଟର ଦୀନବନ୍ଧୁ ଜେନା ଓ ପ୍ରଫେସର ଜଗମୋହନ ଲାଲ୍ ଗୁଲାଟି ପ୍ରମୁଖ ଉପସ୍ଥିତ ଥିଲେ।
ଡକ୍ଟର ମହାପାତ୍ର କହିଲେ ଏହି ବୁ୍ଝାମଣା ଦ୍ୱାରା ସୋଆ ମିଳିତ ଭାବରେ ଅନେକ ଗବେଷଣା କରିପାରିବ ଯାହାକି ମାନବ ସମ୍ବଳ ଏବଂ ବୈଷୟିକ ଜ୍ଞାନକୌଶଳର ବିକାଶ କ୍ଷେତ୍ରରେ ସହାୟ ହୋଇପାରିବ। ସେ କହିଥିଲେ ଯେ ଆଇଏମ୍ଡି ନିକଟରେ ଅନେକ ତଥ୍ୟ ରହିଛି ଯାହାକି ଶିକ୍ଷାନୁଷ୍ଠାନଗୁଡ଼ିକରେ ଗବେଷଣା କାର୍ଯ୍ୟ ନିମନ୍ତେ ବିନା ମୂଲ୍ୟରେ ଯୋଗାଇ ଦିଆଯାଇପାରିବ।
ଆଇଏମ୍ଡି ନିକଟରେ ୧୯୦୧ ମସିହାରୁ ଡିଜିଟାଲ୍ ଡାଟା, ୧୯୮୩ ମସିହାରୁ ସାଟେଲାଇଟ ଡାଟା ଏବଂ ୧୯୯୯ ମସିହାରୁ ଡପ୍ଲର ଡାଟା ଉପଲବ୍ଧ ଅଟେ ବୋଲି ସେ କହିଥିଲେ।
୧୯୯୯ର ପ୍ରଳୟଙ୍କରୀ ମହାବାତ୍ୟା ଯେଉଁଥିରେ କି ଓଡ଼ିଶାର ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଥିଲା। ସେହି ଦୁଖଃଦ ଘଟଣାକୁ ସ୍ମରଣ କରି ଡଃ ମହାପାତ୍ର କହିଥିଲେ ଯେ ଏହା ସମସ୍ତଙ୍କର ଆଖି ଖୋଲିଦେଇଥିଲା। କାରଣ ସେତେବେଳେ ବିଜ୍ଞାନର ପ୍ରୟୋଗ ଠିକ୍ ଭାବେ ହୋଇପାରି ନଥିଲା। କିନ୍ତୁ ତା’ ପର ଠାରୁ ଏ କ୍ଷେତ୍ରରେ ଅନେକ ଉନ୍ନତି ଘଟିଛି। ତେଣୁ ବର୍ତମାନ ବାତ୍ୟା ଆସିଲେ ଜିରୋ କାଜୁଆଲିଟି ସମ୍ଭବ ହୋଇପାରୁଛି।
ନିକଟରେ ଗୁଜରାଟ ଉପକୂଳରେ ଆସିଥିବା ବାତ୍ୟା ‘ବିପର୍ଯ୍ୟୟ’ରେ କୌଣସି ମୃତ୍ୟୁ ଘଟି ନଥିବା ବେଳେ ୨୦୧୩ ମସିହାରେ ଫାଇଲିନ୍ରେ ଓଡ଼ିଶାରେ ମାତ୍ର ୨୨ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା। ଗବେଷଣା ଓ ସହଭାଗିତାରେ କାର୍ଯ୍ୟ ଯୋଗୁଁ ଏହା ସମ୍ଭବ ହୋଇପାରିଥିଲା ବୋଲି ସେ କହିଥିଲେ।