
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭୭ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଭାଷଣ ଦେଇ ତାଙ୍କର ୧୪୦ କୋଟି ‘ପରିବାର ସଦସ୍ୟ’ଙ୍କୁ ଶୁଭେଚ୍ଛା ଜଣାଇବା ସହ ଦେଶ ପ୍ରତି ଥିବା ବିଶ୍ୱାସକୁ ଉଲ୍ଲେଖ କରିଛନ୍ତି।
ଭାରତର ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିବା ପ୍ରତ୍ୟେକ ମହାନ ବ୍ୟକ୍ତିଙ୍କୁ ଶ୍ରୀ ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ଅଧୀନରେ ଅସହଯୋଗ ଆନ୍ଦୋଳନ ଓ ସତ୍ୟାଗ୍ରହ ଆନ୍ଦୋଳନ ଏବଂ ଭଗତ ସିଂହ, ସୁଖଦେବ ଓ ରାଜଗୁରୁ ଏବଂ ଅନେକ ବୀରଙ୍କ ବଳିଦାନକୁ ସ୍ମରଣ କରି ସେ କହିଥିଲେ ଯେ ସେହି ପୀଢ଼ିର ପ୍ରାୟ ସମସ୍ତେ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ।
ଏହି ଗୁରୁତ୍ୱପୂର୍ଣ୍ଣ ବର୍ଷରେ ହେବାକୁ ଥିବା ପ୍ରମୁଖ ବାର୍ଷିକୀ ଉପରେ ସେ ଆଲୋକପାତ କରିଥିଲେ। ଆଜି ମହାନ ବିପ୍ଳବୀ ତଥା ଆଧ୍ୟାତ୍ମିକତାର ପ୍ରତୀକ ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜୟନ୍ତୀ ପାଳନ ହେଉଛି। ସେ ସ୍ୱାମୀ ଦୟାନନ୍ଦଙ୍କ ଜୟନ୍ତୀର ୧୫୦ତମ ବାର୍ଷିକୀ, ରାଣୀ ଦୁର୍ଗାବତୀଙ୍କ ୫୦୦ତମ ଜୟନ୍ତୀ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯାହାକୁ ଅତି ଉତ୍ସାହର ସହ ପାଳନ କରାଯିବ। ସେ ଭକ୍ତି ଯୋଗ ସନ୍ଥ ମୀରା ବାଇଙ୍କ ୫୨୫ ବର୍ଷ ପୂର୍ତ୍ତି ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ଆସନ୍ତା ସାଧାରଣତନ୍ତ୍ର ଦିବସ ମଧ୍ୟ ୭୫ତମ ସାଧାରଣତନ୍ତ୍ର ଦିବସ ହେବ ବୋଲି ସେ କହିଛନ୍ତି। ଅନେକ ଦୃଷ୍ଟିକୋଣ, ଅନେକ ସୁଯୋଗ, ଅନେକ ସମ୍ଭାବନା ସହ ନୂତନ ପ୍ରେରଣା, ନୂତନ ଚେତନା ଓ ନୂତନ ସଂକଳ୍ପ ଦେଶ ଆଗକୁ ବଢିବ ବୋଲି ଶ୍ରୀ ମୋଦୀ କହିଛନ୍ତି।