
ଭୁବନେଶ୍ୱର: ଦେଶବାସୀଙ୍କ ମନରେ ଦେଶପ୍ରେମର ଭାବନା ଜାଗ୍ରତ କରିବା ଏବଂ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ବୀରମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ସଫଳତାପୂର୍ବକ ଗତ ଅଗଷ୍ଟ ୧୫ ତାରିଖରେ ଶେଷ ହେବା ପରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ପ୍ରବଳ ଉତ୍ସାହ ଓ ଉଦ୍ଦୀପନାର ସହ ଦେଶବ୍ୟାପୀ ଜାରି ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ବୀରମାନଙ୍କୁ ପ୍ରଣାମ ସହ ସେମାନଙ୍କ ଜନ୍ମସ୍ଥାନରୁ କଳସରେ ମାଟି ସଂଗ୍ରହ କରାଯାଇ ଅମୃତ କଳସ ଯାତ୍ରାମାନ ଆୟୋଜନ କରାଯାଉଛି।
ଆଜି ଏହି କ୍ରମରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ମାଟି ସଂଗ୍ରହ ଓ ଅମୃତ କଳସ ଯାତ୍ରା ଆୟୋଜିତ ହୋଇଯାଇଛି। ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମ (ଆଇଟିଡିସି)ର ଅଧ୍ୟକ୍ଷ ଡକ୍ଟର ସମ୍ବିତ ପାତ୍ର ପୁରୀ ଜିଲ୍ଲାର ପିପିଲି ଓ ଡେଲାଙ୍ଗ ବ୍ଲକର ବିଭିନ୍ନ ଗ୍ରାମରୁ ଅମୃତ କଳସରେ ମାଟି ସଂଗ୍ରହ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ବଡ଼କୂଳ ଗ୍ରାମ ଏବଂ ଭୁବନେଶ୍ୱର ବ୍ଲକର ଏକାମ୍ର ଠାରେ ମଧ୍ୟ ଅମୃତ କଳସ ଯାତ୍ରା ଓ ମାଟି ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଯାଇଛି।
ଅନ୍ୟପଟେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର କୁମୁସି ଗ୍ରାମରେ ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଅମୃତ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଦେଶପ୍ରେମୀ ସ୍ୱେଚ୍ଛାସେବୀମାନେ ଗାଁରୁ ଅମୃତ କଳସରେ ମାଟି ସଂଗ୍ରହ କରିଛନ୍ତି। ଅନୁରୂପ ଭାବେ ଢେଙ୍କାନାଳ ଜିଲ୍ଲାର ମାଣିପୁର ଗ୍ରାମପଞ୍ଚାୟତରେ ମଧ୍ୟ ଅମୃତ କଳସ ଯାତ୍ରାରେ ମାଟି ସଂଗ୍ରହ କରାଯାଇଛି। ଦେଶପ୍ରେମ ଭାବନାରେ ଉଦବୁଦ୍ଧ ହୋଇ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଏଥିରେ ଭାଗ ନେଇଥିବା ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ ଯେ, ସର୍ବଭାରତୀୟ ପ୍ରସାର କାର୍ଯ୍ୟକ୍ରମ ଆକାରରେ ଦେଶର ପ୍ରତ୍ୟେକ ଘରେ ଏହି ଅଭିଯାନକୁ ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖାଯାଇଛି । ଭାରତର ଗ୍ରାମୀଣ କ୍ଷେତ୍ରରେ ୬ ଲକ୍ଷରୁ ଅଧିକ ଗାଁ ଏବଂ ଅନ୍ୟ ସହରାଞ୍ଚଳରୁ ମାଟି ଓ ଚାଉଳ ଏକାଠି କରାଯାଉଛି। ଗ୍ରାମୀଣ କ୍ଷେତ୍ରରେ ଏହାକୁ ବ୍ଲକ୍ ସ୍ତରରେ ଏକାଠି କରାଯାଉଛି ଏବଂ ରାଜ୍ୟ ରାଜଧାନୀ ଦେଇ ଦିଲ୍ଲୀକୁ ଆଣିବା ପାଇଁ ପ୍ରସ୍ତୁତି କରାଯାଉଛି । ଅକ୍ଟୋବର ଶେଷ ସୁଦ୍ଧା ଅନ୍ତିମ କାର୍ଯ୍ୟକ୍ରମ ପାଇଁ ୮୫୦୦ରୁ ଅଧିକ କଳସ ଦିଲ୍ଲୀରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଭାରତର କୋଣଅନୁକୋଣରୁ ଏକତ୍ରିତ କରାଯାଇଥିବା ମାଟିକୁ ଅମୃତ ବାଟିକା ଏବଂ ଅମୃତ ସ୍ମାରକରେ ରଖାଯିବ ଯାହାକି ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରାଯିବାର ଐତିହ୍ୟ ବହନ କରିବ।