ଆମ ଓଡିଶା ନବୀନ ଓଡିଶାକୁ ନେଇ ବିରୋଧୀଙ୍କ ବିରୋଧ, ଜୟନାରାୟଣ କହିଲେ ଏପରି କଥା

Published: Oct 10, 2023, 6:18 pm IST
Jayanarayan

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ଆରମ୍ଭ କରିଥିବା ‘ଆମ ଓଡିଶା ନବୀନ ଓଡିଶା ଯୋଜନା’କୁ ସମାଲୋଚନା କରିଛନ୍ତି ବିରୋଧୀ ବିଜେପି। ଆଜି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଏହି କାର୍ଯ୍ୟକ୍ରମକୁ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ତୀବ୍ର ବିରୋଧ କରିଛନ୍ତି।

ଏହି ଯୋଜନାକୁ ଜୟନାରାୟଣ କଟାକ୍ଷ କରି କହିଛନ୍ତି ଯେ ଏହା ବାସ୍ତବରେ ହେଉଛି ନବୀନ ଓଡିଶା ଲୁଟ୍ ଓଡିଶା। ଏହି ଯୋଜନାରେ ଖର୍ଚ୍ଚ ହେବାକୁ ଥିବା ୪୦୦୦କୋଟି ଟଙ୍କାରୁ ୫୦ପ୍ରତିଶତ ପିସି ହାରରେ ୨୦୦୦କୋଟି ଟଙ୍କା ବିଜୁ ଜନତା ଦଳ ସରକାର ଲୁଟ୍ କରିବା ପାଇଁ ଷଡଯନ୍ତ୍ର କରିଛନ୍ତି। ଖାଲି ସେତିକି ନୁହେଁ, ସରକାରୀ ବିଜ୍ଞାପନରେ ବିଜୁ ଜନତା ଦଳର ଦଳୀୟ ଚିହ୍ନକୁ ବ୍ୟବହାର କରି ଏକ ଘୃଣ୍ୟ ପରମ୍ପରା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ।

ବିଜ୍ଞାପନରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ବିଜୁ ଜନତା ଦଳର ଲୋକପ୍ରିୟତା ରସାତଳ ହୋଇଛି। ସେଥିପାଇଁ ସେମାନେ ଏବେ ସରକାରୀ ଯୋଜନାରେ ନିଜର ଦଳୀୟ ଚିହ୍ନକୁ ଥୋପିବା ପାଇଁ ଅପଚେଷ୍ଟା କରିଛନ୍ତି । ସରକାରୀ ବିଜ୍ଞାପନରେ କୌଣସି ବି ହାଲତରେ ଦଳୀୟ ଚିହ୍ନ, ଦଳୀୟ ପ୍ରଚାର କରାଯାଇ ପାରିବନାହିଁ।

ଆଜି ରାଜ୍ୟ ସରକାର ସମସ୍ତ ନୀତିନିୟମକୁ ଭାଙ୍ଗି ଯେଉଁ ଭଳି ଭାବରେ ସରକାରୀ ଅର୍ଥରେ ବିଜୁ ଜନତା ଦଳର ଚିହ୍ନର ପ୍ରଚାର କରିଛନ୍ତି ଏହାର ଜବାବ ଆଗାମୀ ଦିନରେ ଦିଆଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି।

ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ଓ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ଉପସ୍ଥିତ ଥିଲେ।

Related posts