
ବିଜେପି ମହାସଚିବ ରାମ ମାଧବ ବିଜେପି କଂଗ୍ରେସର ରେକର୍ଡ ଭାଙ୍ଗି ୨୦୪୭ ପର୍ଯ୍ୟନ୍ତ ଶାସନ କ୍ଷମତାରେ ରହିବ ବୋଲି କହିଛନ୍ତି। ଭାରତରେ ଦୀର୍ଘକାଳ ଧରି ରାଜନୈତିକ କ୍ଷମତାରେ ରହିଥିବା ଦଳ ଭିତରେ ରହିଛି କଂଗ୍ରେସ। କଂଗ୍ରେସ ୧୯୫୦ରୁ ୧୯୭୭ ଯାଏଁ କ୍ରମାଗତ ଭାବରେ କେନ୍ଦ୍ରରେ ସରକାର ଗଢିଥିଲା। ଆଉ ଏହି ରେକର୍ଡକୁ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ଭାରତୀୟ ଜନତା ପାର୍ଟି ଭଙ୍ଗ କରିବ ବୋଲି କହିଛନ୍ତି ରାମ ମାଧବ। ତ୍ରିପୁରାର ରାଜଧାନୀ ଅଗରତଲା ଠାରେ ଶୁକ୍ରବାର ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ରାମ ମାଧବ କହିଛନ୍ତି, ଭାରତ ସ୍ୱଧୀନତାର ୧୦୦ତମ ବାର୍ଷିକ ଉତ୍ସବ ପାଳନ କରିବା ପର୍ଯ୍ୟନ୍ତ ବିଜେପି କ୍ଷମତାରେ ରହିବ ବୋଲି କହିବା ସହିତ ଆଗାମୀ ୩ ବର୍ଷରେ ନୂତନ ଭାବରେ ଭାରତ ନିର୍ମାଣ ହେବ। ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ବର୍ତ୍ତମାନ ସରକାରଙ୍କ ନୀତି ବଳରେ ଦେଶ ବିକାଶ ପଥରେ ଆଗଉଛି ବୋଲି କହିଛନ୍ତି ରାମ ମାଧବ।