ନୂଆଦିଲ୍ଲୀ: ନିର୍ବାଚନୀ ଚାନ୍ଦା ବା ଇଲେକ୍ଟୋରାଲ ବଣ୍ଡ ଯୋଜନାର ବୈଧତା ସହ ଜଡିତ ଏକ ମାମଲାର ସୁପ୍ରିମକୋର୍ଟ ଶୁଣାଣି କରୁଛନ୍ତି। ଏହି ମାମଲା କୋର୍ଟରେ ୮ ବର୍ଷ ବିଚାରାଧୀନ ଅଛି। ଏହି ଯୋଜନାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡିକରେ ଦାତାଙ୍କର ପରିଚୟକୁ ଗୁପ୍ତ ରଖିବା ନେଇ ପ୍ରଶ୍ନ ଉଠିଛି। ଏହା କଳା ଟଙ୍କାକୁ ପ୍ରୋତ୍ସାହିତ କରିପାରେ ବୋଲି ଆବେଦନକାରୀମାନେ ଚିନ୍ତିତ ଅଛନ୍ତି। ଏହି ଯୋଜନା ସମ୍ପର୍କରେ ଅଭିଯୋଗ ମଧ୍ୟ ହୋଇଥିଲା ଯେ, ଏହା ବଡ ବ୍ୟବସାୟୀମାନଙ୍କୁ ସେମାନଙ୍କର ପରିଚୟ ପ୍ରକାଶ ନକରି ଟଙ୍କା ଦାନ କରିବାରେ ସାହାଯ୍ୟ କରିବା ପାଇଁ ପରିକଳ୍ପନା କରାଯାଇଥିଲା।
ସୋମବାର ଦିନ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ଶୁଣାଣି କରିଥିଲେ। ଏହି ସମୟରେ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ ପ୍ରଶ୍ନ କରିଛନ୍ତି ଯେ, କ୍ଷମତାରେ ଥିବା ଦଳ କାହିଁକି ଅଧିକ ଦାନ ପାଆନ୍ତି? ଏହା ଉପରେ ଆଟର୍ଣ୍ଣି ଜେନେରାଲ ତୁଷାର ମେହେଟ୍ଟା ସରକାରଙ୍କ ତରଫରୁ ଉତ୍ତର ଦେଇଛନ୍ତି ଯେ, ଦାତା ସର୍ବଦା ଦଳର କ୍ଷମତାକୁ ଲକ୍ଷ କରି ଦାନ କରନ୍ତି। ଆସନ୍ତୁ ଜାଣିବା ପାଞ୍ଚ ବର୍ଷ ମଧ୍ୟରେ କେଉଁ ଦଳ ନିର୍ବାଚନୀ ଚାନ୍ଦା ମାଧ୍ୟମରେ କେତେ ଦାନ ଗ୍ରହଣ କରିଛନ୍ତି-
ବିଜେପି ୫୭ ପ୍ରତିଶତ ନିର୍ବାଚନୀ ଚାନ୍ଦା ପାଇଛି:
ନିର୍ବାଚନ ଆୟୋଗଙ୍କୁ ରାଜନୈତିକ ଦଳ ଦେଇଥିବା ସୂଚନା ଅନୁଯାୟୀ, ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୧୦ ହଜାର କୋଟି ଟଙ୍କା ନିର୍ବାଚନୀ ଚାନ୍ଦା ମାଧ୍ୟମରେ ରାଜନୈତିକ ଦଳମାନଙ୍କୁ ଦିଆଯାଇଥିଲା, ଯେଉଁଥିରୁ ଅଧାରୁ ଅଧିକ ଅର୍ଥ ଭାରତୀୟ ଜନତା ପାର୍ଟି (ବିଜେପି) କୁ ଯାଇଥିଲା। କଂଗ୍ରେସ ମାତ୍ର ନିର୍ବାଚନୀ ଚାନ୍ଦା ମାଧ୍ୟମରେ ୯୫୨.୨୯ କୋଟି ଟଙ୍କା ପାଇଛି। ଏହି ତଥ୍ୟ ୨୦୧୭-୨୦୧୮ ଏବଂ ୨୦୨୧-୨୦୨୨ ପାଇଁ ଅଟେ।
ଇଣ୍ଡିଆନ୍ ଏକ୍ସପ୍ରେସ୍ ର ରିପୋର୍ଟ ଅନୁଯାୟୀ, ୨୦୧୭-୨୦୧୮ ଏବଂ ୨୦୨୧-୨୦୨୨ ମଧ୍ୟରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୋଟ ୯,୨୦୮.୨୩ କୋଟି ଟଙ୍କା ମୂଲ୍ୟର ମୋଟ ନିର୍ବାଚନୀ ଚାନ୍ଦା ବିକ୍ରି ହୋଇଛି। ନିର୍ବାଚନୀ ଚାନ୍ଦା ଜରିଆରେ ବିଜେପିକୁ ମୋଟ ୫,୨୭୧.୯୭ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏଥି ସହିତ କଂଗ୍ରେସକୁ ୯୫୨.୯ କୋଟି ଟଙ୍କା ଦାନ ମିଳିଛି।
ସ୍ଥାନୀୟ ଦଳଗୁଡିକ ମଧ୍ୟ ଭଲ ପାଣ୍ଠି ପାଇଛନ୍ତି:
ଦୀର୍ଘ ଦିନ ଧରି ରାଜ୍ୟରେ କ୍ଷମତାରେ ଥିବା ଟିଏମସି, ବିଜେଡି ଏବଂ ଡିଏମକେ ଭଳି ରାଜନୈତିକ ଦଳ ମଧ୍ୟ ନିର୍ବାଚନୀ ଚାନ୍ଦା ମାଧ୍ୟମରେ ବହୁ ପରିମାଣର ଅର୍ଥ ପାଇଛନ୍ତି। ମମତା ବାନାର୍ଜୀଙ୍କ ଟିଏମସି ୭୬୭.୮୮ କୋଟି ଟଙ୍କା, ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦଳ ବିଜୁ ଜନତା ଦଳ ୬୨୨ କୋଟି ଟଙ୍କା ଏବଂ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ଡିଏମକେ ୪୩୧.୫୦ କୋଟି ଟଙ୍କା ପାଇଛି। ଏଥି ସହିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି (ଏଏପି) ୪୮.୮୩ କୋଟି ଟଙ୍କା ଏବଂ ନୀତୀଶ କୁମାରଙ୍କ ଜେଡିୟୁ କୁ ୨୪.୪୦ କୋଟି ଟଙ୍କା ନିର୍ବାଚନୀ ଚାନ୍ଦା ମାଧ୍ୟମରେ ପାଇଛି। ଏହା ବ୍ୟତୀତ ଶରଦ ପାୱାରଙ୍କ ଏନସିପି କୁ ୫୧.୫ କୋଟି ଟଙ୍କା ଅର୍ଥ ମିଳିଛି।
ଇଲେକ୍ଟୋରାଲ ବଣ୍ଡ ଯୋଜନା କ’ଣ?:
୨୦୧୮ ରେ ନିର୍ବାଚନୀ ଚାନ୍ଦା ଯୋଜନା ଆଇନଗତ ଭାବରେ କାର୍ଯ୍ୟକାରୀ ହୋଇଥିଲା। ଏହି ଯୋଜନା କାର୍ଯ୍ୟକାରୀ କରିବାବେଳେ ସରକାର ଯୁକ୍ତି ବାଢିଥିଲେ ଯେ, ଏହା ରାଜନୈତିକ ଦଳର ଆର୍ଥିକ ଅନୁଦାନରେ ସ୍ୱଚ୍ଛତା ଆଣିବ। ରାଜନୈତିକ ଦଳଗୁଡିକୁ ଅର୍ଥ ପ୍ରଦାନର ଏକ ଆର୍ଥିକ ମାଧ୍ୟମ ହେଉଛି ନିର୍ବାଚନୀ ଚାନ୍ଦା। ପ୍ରତିବର୍ଷ ଜାନୁଆରୀ, ଏପ୍ରିଲ, ଜୁଲାଇ ଏବଂ ଅକ୍ଟୋବର ମାସରେ ୧୦ ଦିନ ପାଇଁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ମନୋନୀତ ଶାଖାଗୁଡ଼ିକରେ ନିର୍ବାଚନୀ ଚାନ୍ଦା ବିକ୍ରି ହୁଏ। ଯେକୌଣସି ନାଗରିକ ବଣ୍ଡ କିଣି ନିଜ ଇଚ୍ଛା ଅନୁଯାୟୀ ଯେକୌଣସି ପାର୍ଟିକୁ ଚାନ୍ଦା ଦେଇପାରିବେ। ତଥାପି, ସେହି ନାଗରିକର ପରିଚୟ ଗୁପ୍ତ ରଖାଯାଏ। ବଣ୍ଡ କିଣିବାର ୧୫ ଦିନ ମଧ୍ୟରେ ଏହାକୁ ବ୍ୟବହାର କରିବାକୁ ପଡିବ। ବିଭିନ୍ନ ମୂଲ୍ୟର ନିର୍ବାଚନ ବଣ୍ଡ ଉପଲବ୍ଧ। ସେମାନଙ୍କର ମୂଲ୍ୟ ୧ ହଜାର, ୧୦ ହଜାର, ୧ ଲକ୍ଷ, ୧୦ ଲକ୍ଷ ଏବଂ ୧ କୋଟି ଟଙ୍କା।