ନୂଆଦିଲ୍ଲୀ: ଆଜି ସକାଳେ ହାୱଡା-ଦିଲ୍ଲୀ ମୁଖ୍ୟ ରେଳ ଲାଇନରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ଯାହାଫଳରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ପୁରୀ-ଜୟନଗର ଏକ୍ସପ୍ରେସ (୧୮୪୧୯) ଜମୁଇର ସିମୁଲତଲା ରେଳ ଷ୍ଟେସନ ନିକଟରେ ‘ବର୍ନିଂ ଟ୍ରେନ୍’ର ଶିକାର ହେବାରୁ ବଞ୍ଚିଯାଇଛି। ରେଳ ଲାଇନର ଓଭରହେଡ୍ ତାରରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା। ଠିକ ଏହି ସମୟରେ ପୁରୀ-ଜୟନଗର ଏକ୍ସପ୍ରେସ ପହଞ୍ଚିଥିଲା। ଟ୍ରେନର ଗତି ଅଧିକ ଥିଲା ତେଣୁ ଡ୍ରାଇଭର ଚାହିଁଲେ ମଧ୍ୟ ସେହି ସ୍ଥାନ ପୂର୍ବରୁ ଟ୍ରେନକୁ ଅଟକାଇ ପାରିନଥିଲେ। ଏହିପରି ନିଆଁ ମଧ୍ୟରେ ଟ୍ରେନ୍ ଆଗକୁ ବଢିଥିଲା।
ତେବେ ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇ ନାହିଁ। ଜଣେ ଯାତ୍ରୀ କହିଛନ୍ତି ଯେ, ସ୍ଥାନୀୟ ଲୋକମାନେ ଗାଡିଟିକୁ ରୋକିବା ପାଇଁ ଚିତ୍କାର କରିଥିଲେ। ସେମାନେ ନିଜ ହାତରେ ସଂକେତ ଦେଇ ଟ୍ରେନକୁ ଅଟକାଇବାକୁ ଚେଷ୍ଟା କରୁଥିଲେ କିନ୍ତୁ ଅଧିକ ବେଗ ଯୋଗୁଁ ଟ୍ରେନଟି ନିଆଁ ମଧ୍ୟରେ ଆଗକୁ ବଢିଥିଲା। ପରେ ଟ୍ରେନ୍ ଟି ଅଟକି ଯାଇଥିଲା।
ପୁରୀ-ଜୟନଗର ଏକ୍ସପ୍ରେସରେ ସମୁଦାୟ ୧୮ ଟି କୋଚ୍ ଥିଲେ। ପ୍ରାୟ ୧୧୦୦ ରୁ ୧୩୦୦ ଯାତ୍ରୀ ଏଥିରେ ଯାତ୍ରା କରୁଥିଲେ। ଏହି ଘଟଣା ପରେ ହାୱାଡା-ନୂଆଦିଲ୍ଲୀ ମୁଖ୍ୟ ରେଳ ଲାଇନ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିଲା।